ବେଙ୍ଗଲ୍ କ୍ରିକେଟ୍ ଓ ଇଡେନ୍ ଗାର୍ଡେନ୍ସ ସହ ଓଡ଼ିଶା କ୍ରିକେଟ୍‌ର ଯେ ଅନେକ ମଧୁର ସମ୍ପର୍କ ରହିଛି ଏହା କୋଲ୍‌କାତା ଆସିଲେ ମନେ ପଡ଼ିଯିବା ସ୍ବାଭାବିକ। ଏପରିକି ଓଡ଼ିଶା କ୍ରିକେଟ୍‌ର ଅଭ୍ୟୁଦୟ ଦିଗରେ ଇଡେନ୍ ଗାର୍ଡେନ୍ସର ଢେର ଅବଦାନ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ଦୁଇ ଶ୍ରେଷ୍ଠ ଦ୍ରୁତ ବୋଲର ଦେବାଶିଷ ମହାନ୍ତି ଏବଂ ବସନ୍ତ ମହାନ୍ତି, ବେଙ୍ଗଲ ବିପକ୍ଷରେ ବେଙ୍ଗଲରେ ଖେଳି ଘରୋଇ କ୍ରିକେଟ୍‌ର ଶିଖର ଛୁଇଁଥିଲେ। ୧୯୯୬ରେ ଦେବାଶିଷ ମହାନ୍ତି ଇଡେନ୍ ଗାର୍ଡେନ୍ସରେ ବେଙ୍ଗଲ ବିପକ୍ଷ ରଣଜୀ ପଦାର୍ପଣରେ ଜବରଦସ୍ତ ପ୍ରଦର୍ଶନ (୯ ୱିକେଟ୍‌) ପରେ ଭାରତୀୟ ଦଳକୁ ଡାକରା ପାଇଥିଲେ। ଦେବାଶିଷ ଏହି ସ୍ମରଣୀୟ ଦିନର ୨୬ତମ ବାର୍ଷିକୀ ଗୋଟିଏ ଦିନ ପୂର୍ବରୁ (ନଭେମ୍ବର ୩) ପାଳନ କରିଛନ୍ତି। ଅନ୍ୟ ପକ୍ଷରେ ବସନ୍ତ ମହାନ୍ତି ସିଲିଗୁଡ଼ିରେ ଚମତ୍କାର ପଦାର୍ପଣ (୭ ୱି‌କେଟ) ସହ ଆସିଥିଲା ବେଳେ ୧୬ ବର୍ଷ ପରେ ଚଳିତ ବର୍ଷ ଏହି ଐତିହାସିକ ପଡ଼ିଆରେ ବେଙ୍ଗଲକୁ ହରାଇ ଅବସର ନେଇଥିଲେ। ବସନ୍ତଙ୍କ ବିଦାୟୀ ରଣଜୀ ମ୍ୟାଚ୍‌ରେ ସୁନିଲ ରାଉଳ ୯ ୱିକେଟ୍ ଦଖଲ କରିବା ଆଉ ଜଣେ ଦ୍ରୁତ ବୋଲରଙ୍କ ଭବିଷ୍ୟତର ଝଲକ ଦେଖାଇଛି। ସେହିଭଳି ୨୦୦୫ ମସିହାରେ କୋଲ୍‌କାତାର ଯ‌ାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ପ୍ରଥମ ଓଡ଼ିଆ ଭାବେ ବିବିସିସି ମହାପାତ୍ର ଏବଂ ଶିବସୁନ୍ଦର ଦାସ (ବନାମ ଝାଡ଼ଖଣ୍ଡ) ଲିଷ୍ଟ୍ ‘ଏ’ ଶତକର ସ୍ମୃତି ସାଉଁଟିବା ଆ‌େମ୍ଭ ପ୍ରତ୍ୟକ୍ଷଭାବେ ଦେଖିଛୁ।