ବର୍ମିଂହାମ: ଲିଡ୍ସରେ ଲିଡ୍ ହାତଛଡ଼ା କରିଥିବା ଭାରତୀୟ ଦଳ ବୁଧବାରଠାରୁ ଏଜ୍ବାଷ୍ଟନ୍ରେ ଦ୍ବିତୀୟ ଟେଷ୍ଟ୍ ଖେଳିବ। ଏଜ୍ବାଷ୍ଟନ୍ରେ ଟେଷ୍ଟ୍ ଇତିହାସରେ ଭାରତ କେବେ ବି ଟେଷ୍ଟ୍ଟିଏ ଜିତିପାରିନାହିଁ। ଏହି ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜିତ ୱାଡ଼େକର, ମହମ୍ମଦ ଆଝାରୁଦ୍ଦିନ୍, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଦଳର ଅଭିଯାନ ବି ଏଠାରେ ସଫଳ ହୋଇନି। ଏବେ ଯୁବ ସେନା ସହ ଆସିଥିବା ଶୁବମନ ଗିଲ୍ଙ୍କ ଦଳ ପାଇଁ ବି ସମାନ ଆହ୍ବାନ ଛିଡ଼ା ହୋଇଛି। ପ୍ରଥମ ଟେଷ୍ଟ୍ର ଅଧିକାଂଶ ଭାଗରେ ପ୍ରାଧାନ୍ୟ ବିସ୍ତାର କରିବା ସତ୍ତ୍ବେ ଭାରତ ବିଜୟ ହାତଛଡ଼ା କରିବା ଅତିରିକ୍ତ ଚାପ ବି ବଢ଼ାଇଛି। ଘରୋଇ ଇଂଲଣ୍ଡ ବି ସେଠାରେ ୩୭୧ ରନ୍ ବିଜୟ ଲକ୍ଷ୍ୟକୁ ପଛରେ ପକାଇ ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତ୍ଧାବନ କରିବାରେ ସକ୍ଷମ ହୋଇଛି। ପୂର୍ବ ସର୍ବୋଚ୍ଚ ପଶ୍ଚାତ୍ଧାବନ ବିଜୟ ବି ଭାରତ ବିପକ୍ଷରେ (୩୭୮) ଏହି ଏଜ୍ବାଷ୍ଟନ୍ରେ ପାଇଥିବାରୁ ଘରୋଇ ଦଳର ମନୋବଳ ଉଚ୍ଚରେ ରହିଛି। ଭାରତ ବିପକ୍ଷରେ ସବୁକିଛି ଥିଲେ ମଧ୍ୟ ପ୍ରଥମ ଟେଷ୍ଟ୍ର ଶେଷ ଦିନକୁ ଭୁଲିଗଲେ ଭାରତ ଆତ୍ମବିଶ୍ବାସ ବଜାୟ ରଖିପାରିବ।
ଭାରତ ପାଇଁ କିନ୍ତୁ ଯଶପ୍ରୀତ୍ ବୁମ୍ରାଙ୍କ ଦ୍ବନ୍ଦ୍ବ ଓ ସଂଶୟ ଜାରି ରହିଛି। କିଛି ଅତି ଆବଶ୍ୟକ ଟେଷ୍ଟ୍ ତଥା ଚଳିତ ଗସ୍ତରେ ୫ରୁ ୩ ଟେଷ୍ଟ୍ ଖେଳିବା ଯୋଜନା କରିଥିବାରୁ ଅନ୍ୟ ବୋଲରମାନଙ୍କ ଦାୟିତ୍ବ ଓ ପ୍ରଦର୍ଶନ ନିର୍ଣ୍ଣାୟକ ହେବାକୁ ଯାଉଛି। ଏଜ୍ବାଷ୍ଟନ୍ରେ ବି ବୁମ୍ରାଙ୍କୁ ଖେଳାଯିବ କି ନା ସ୍ପଷ୍ଟ କରାଯାଇନାହିଁ। ଏ ସମ୍ପର୍କରେ ଭାରତ ଶେଷ ମିନିଟ୍ ପର୍ଯ୍ୟନ୍ତ ନିଜ ଯୋଜନାକୁ ଗୋପନ ରଖିବ ବୋଲି ମଧ୍ୟ ଘୋଷଣା କରିଛି। ବୁମ୍ରାଙ୍କ ସମ୍ପର୍କରେ ମଙ୍ଗଳବାର ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ କହିଛନ୍ତି ‘‘ଏହା ଭାରତର ସମସ୍ୟା। ଏ ସମ୍ପର୍କରେ ସେମାନେ ବୁଝିବେ। ମୁଁ ଇଂଲଣ୍ଡ ଅଧିନାୟକ। ଭାରତ କିନ୍ତୁ ଏକ ଭଲ ଦଳ, ସେମାନେ ଭାରି ଲଢ଼ନ୍ତି, ଅତି ଉତ୍ସାହୀ ଦଳ ମଧ୍ୟ। କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ଖେଳାଳିଙ୍କ ଉପରେ ସବୁବେଳେ ଚାପ ଥାଏ। ଆଉ ଭାରତ କ୍ରିକେଟ୍ ଖେଳୁଥିଲେ ତ ଅନ୍ୟ ସମସ୍ତ ଦେଶଠାରୁ ଅଧିକ ଚାପ ଥାଏ’’।
ଭାରତ ଦ୍ବିତୀୟ ସ୍ପିନର୍ ଖେଳାଇବା ଯୋଜନା କରୁ ନଥିବାରୁ କୁଲଦୀପଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ ବୋଲି ବିଶ୍ବାସ କରାଯାଉଛି। ବୁମ୍ରା ବସିଲେ ଆକାଶ ଦୀପ ଖେଳିବେ। ଶାର୍ଦୁଳ ଠାକୁରଙ୍କ ବଦଳରେ ୱାସିଂଟନ୍ ସୁନ୍ଦର ବି ଖେଳିପାରନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂ ଆଭରେଜ୍ ସମ୍ପ୍ରତି ଚିନ୍ତାଜନକ ରହିଛି। ଶେଷ ୪ ଟେଷ୍ଟ୍ରେ ସେ ୧୧୦ ଓଭରରୁ ୭୮ ହାରରେ ମାତ୍ର ୫ ୱିକେଟ୍ ନେଇଛନ୍ତି। ଭାରତର ପେସ୍-ସ୍ପିନ୍କୁ ୩-୨ ସମ୍ଭାବନା ସମ୍ପର୍କରେ ଅଧିନାୟକ ଶୁବମନ ଗିଲ୍ କହିଛନ୍ତି, ‘‘ପ୍ରଥମ ଟେଷ୍ଟ୍ର ଶେଷ ଦିନରେ ଯଦି ଆମ ପାଖରେ ଅତିରିକ୍ତ ସ୍ପିନର୍ ଥାଆନ୍ତେ ତେବେ ମ୍ୟାଚ୍ ଉନ୍ନତ ହୋଇଥାନ୍ତା। କିଛି ପ୍ୟାଚ୍ ଥିଲା ଯେଉଁଠୁ ଫାଇଦା ଉଠାଇ ପାରିଥାନ୍ତେ। ଜାଡ଼ୁ ଭାଇଙ୍କ ବୋଲିଂ ବେଳେ ସୁଯୋଗ ସୃଷ୍ଟି ହେଉଥିଲା। ବିଶେଷ କରି ବଲ୍ ପୁରୁଣା ହୋଇଗଲେ ସ୍ପିନର୍ ରନ୍କୁ ନିୟନ୍ତ୍ରଣ କରିପାରିଥାନ୍ତେ। ଇଂଲଣ୍ଡ ପରିବେଶରେ ୩୦/୪୦ ଓଭର୍ ପରେ ବଲ୍ ଆଉ ସୁଇଙ୍ଗ କରି ନଥାଏ। ବ୍ୟାଟିଂ ପାଇଁ ଏହା ଅନୁକୂଳ ହୋଇଯାଏ। ପେସ୍ ବୋଲରଙ୍କ ପାଇଁ ସ୍ପିନର୍ ରନ୍କୁ ନିୟନ୍ତ୍ରଣ କରିପାରିବେ’’। ଲିଡ୍ରେ କିନ୍ତୁ ଭାରତ ଉଭୟ ପାଳିକୁ ମିଶାଇ ୭୨ ରନ୍ ଭିତରେ ଶେଷ ୧୩ ୱିକେଟ୍ ହରାଇବା ଚିନ୍ତାଚନକ ଥିବାରୁ ଗିଲ୍ ଶୀର୍ଷକ୍ରମ ବ୍ୟାଟରଙ୍କୁ ଅଧିକ ଦାୟିତ୍ବ ସମ୍ଭାଳିବାକୁ ଆହ୍ବାନ ଦେଇଛନ୍ତି। ଚିନ୍ତାଜନକ ତଥ୍ୟ: ଏଜ୍ବାଷ୍ଟନ୍ରେ ପରାଜୟ ଧାରା ପାଇଁ ଯେ କେବଳ ଭାରତ ଉପରେ ଚାପ ରହିଛି ତା ନୁହେଁ। ଇଂଲଣ୍ଡ ମଧ୍ୟ ଏଠାରେ ଖେଳିଥିବା ଶେଷ ୫ଟିରୁ ୩ଟି ହାରିଯାଇଛି। ଜୋ ରୁଟ୍ ଏ ପର୍ଯ୍ୟନ୍ତ ୧୦୨ଟି ୫୦+ ସ୍କୋର୍ କରିଛନ୍ତି। ଆଉ ଗୋଟିଏ ପାଳି ତାଙ୍କୁ ଜ୍ୟାକ୍ କାଲିସ୍ ଓ ରିକି ପଣ୍ଟିଂଙ୍କ ସମକକ୍ଷ କରାଇବ। କେବଳ ସଚିନ ତେନ୍ଦୁଲକର (୧୧୯) ଆଗରେ ରହିଛନ୍ତି।
ଭାରତ ସମ୍ଭାବ୍ୟ ୧୧: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ୍, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), କରୁଣ ନାୟାର, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, ଆକାଶ୍ ଦୀପ/ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।
ଇଂଲଣ୍ଡ ୧୧: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ରକ୍ଷକ), କ୍ରିସ୍ ଓକ୍ସ, ବ୍ରାଏଡନ୍ କାର୍ସ, ଜୋସ୍ ଟଙ୍ଗ୍, ସୋଏବ୍ ବଶିର୍।