ସୁରେଶ ସ୍ବାଇଁ
ଭୁବନେଶ୍ବର: ଚମତ୍କାର ଢଙ୍ଗରେ କ୍ରିକେଟ୍ ଦୁନିଆକୁ ଆସିଥିବା ମହିଳା ଖେଳାଳି ସ୍ବାଗତିକା ରଥଙ୍କ ଗୀତିମୟ କ୍ରିକେଟ୍ ଯାତ୍ରାର ଅନ୍ତ ଘଟିଛି। ରାଜ୍ୟ କ୍ରିକେଟ୍ର ହାତଗଣତି ମହିଳା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ସ୍ବାଗତିକା ସ୍ବତନ୍ତ୍ର ସ୍ଥାନ ବହନ କରିଆସୁଥିବା ବେଳେ ସୋମବାର (ମଇ ପହିଲା) ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ମାଧୁରୀ ମେହେଟା, ରୋସନାରା ପରବିନ, ସ୍ବାଗତିକା ରଥ, ସୁକନ୍ୟା ପରିଡ଼ା ହେଉଛନ୍ତି ମାତ୍ର ୪ ଜଣ ଓଡ଼ିଆ କ୍ରିକେଟର୍ ଯେଉଁମାନେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବାର ଗୌରବ ପାଇଛନ୍ତି। ୨୦୦୭-୦୮ରୁ ୨୦୧୫-୧୬ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଅନ୍ତଃରାଜ୍ୟ ଜାତୀୟ କ୍ରିକେଟ୍ ଖେଳିବା ପରେ ସ୍ବାଗତିକା ୨୦୧୬-୧୭ରୁ ୨୦୨୨-୨୩ ଋତୁଯାଏଁ ଭାରତୀୟ ରେଳବାଇ ପାଇଁ ଖେଳି ପ୍ରଚୁର ସଫଳତାର ଫର୍ଦ ଯୋଡ଼ିଛନ୍ତି। ୨୮ ବର୍ଷୀୟା ଏହି ଅଲ୍ରାଉଣ୍ଡର୍ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପାଇଁ ଖେଳି ଘରୋଇ କ୍ରିକେଟ୍ର ଏକ ପରିଚିତ ମୁହଁ ପାଲଟିଥିଲେ। ୨୦୧୨ ମସିହାରେ କିନ୍ତୁ ସ୍ବାଗତିକା ଭାରତୀୟ ଦଳରୁ ୩ ଦିନିକିଆ ଏବଂ ୨ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମୁହୂର୍ତ ହୋଇରହିଛି ଏବଂ ଚିରଦିନ ପାଇଁ ସ୍ମରଣୀୟ ରହିବ। ଖେଳ ଜୀବନସାରା ସମ୍ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ସ୍ବାଗତିକା ବିସିସିଆଇ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ରେଳବାଇ ସ୍ପୋର୍ଟସ ପ୍ରମୋସନ ବୋର୍ଡ, ସମସ୍ତ ପ୍ରଶିକ୍ଷକ ଓ ସାଥୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅବସର ପରବର୍ତୀ ଜୀବନ ପାଇଁ ସ୍ବାଗତିକାଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ସମ୍ପାଦକ ସଂଜୟ ବେହେରା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
ଅନ୍ତଃଜିଲ୍ଲାରେ ପରଫେକ୍ଟ ଟେନ୍
ଅନ୍ତଃରାଜ୍ୟ କ୍ରିକେଟ୍ରେ ପରଫେକ୍ଟ ଟେନ୍ (ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍) ନେଇ ଚର୍ଚ୍ଚାକୁ ଆସିଥିବା ଏହି ଭଦ୍ରକ ଝିଅ ଯାଜପୁର ପାଇଁ ଖେଳି କ୍ୟାରିୟର ଗଢ଼ିଥିଲେ। ଭଦ୍ରକର ଯଶୋଟିକିରର ବିଜୟ କୁମାର ରଥ ଓ କୁଞ୍ଜଲତା ରଥଙ୍କ ଝିଅ କ୍ରିକେଟ୍ ପ୍ରତି ପିଲାଦିନୁ ଦୁର୍ବଳତା ରଖିଥିଲେ। କିନ୍ତୁ ଏହି ଡାହାଣହାତୀ ବ୍ୟାଟର୍ ଏବଂ ଅଫ୍ସ୍ପିନର ଟିକିଏ ବିଳମ୍ବରେ ଗମ୍ଭୀରତାର ସହ କ୍ରିକେଟ୍କୁ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଜ୍ଞାନଚାନ୍ଦ ଦାସଙ୍କଠାରୁ ଖେଳ ଶିଖିବା ପରେ ସେ ଅଧିକ ଶାଣିତ ହୋଇଥିଲେ। ବୀରେନ୍ଦ୍ର ସେହବାଗ ଓ ବିରାଟ କୋହଲିଙ୍କ ଖେଳରେ ପ୍ରଭାବିତ ହୋଇ ସ୍ବପ୍ନ ଦେଖିଥିଲେ। ରାଜ୍ୟ କନିଷ୍ଠ ଦଳରୁ କ୍ରମେ ବରିଷ୍ଠ ଦଳର ପ୍ରତିନିଧିତ୍ବ କରିଥିଲେ। ୨୦୧୨ରେ କଟକରେ କଳାହାଣ୍ଡି ବିପକ୍ଷ ଅନ୍ତଃଜିଲ୍ଲା କ୍ରିକେଟ୍ରେ ପରଫେକ୍ଟ ଟେନ୍ ନେବା ପରେ ସ୍ବାଗତିକାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା।
ରେଳବାଇ ପାଇଁ ୮ ଜାତୀୟ ଟ୍ରଫି
ଓଡ଼ିଶା ପାଇଁ ୮ ଋତୁ ଖେଳିବା ଅବସରରେ ସ୍ବାଗତିକା ଭାରତୀୟ ଦଳରୁ ୨୦୧୩ରେ ବାଂଲାଦେଶ ବିପକ୍ଷରେ ନିଜର ସମସ୍ତ ୩ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହାପରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ ମଧ୍ୟ ସୁଯୋଗ ପାଇନଥିଲେ। ତେବେ ରେଳବାଇରେ ଯୋଗଦେବା ଏବଂ ଏହାର ମୁଖ୍ୟ ଦଳରେ ସ୍ଥାନ ପାଇବା ସ୍ବାଗତିକାଙ୍କୁ ଜଣେ ପରିପକ୍ବ କ୍ରିକେଟର୍ ଭାବେ ଅନେକ ସଫଳତା ଦେଇଥିଲା। କୌଣସି ଓଡ଼ିଆ ମହିଳା କ୍ରିକେଟର୍ ଭାବେ ଜାତୀୟ ଟ୍ରଫି ତୋଳି ଧରିବାର ସୁଯୋଗ ପାଇଥିବା ବେଳେ ସ୍ବାଗତିକା ପ୍ରାୟ ଅଧାଡଜନ ଏହି ବିରଳ ସଫଳତା ପାଇଥିଲେ। ୨୦୧୬-୧୭ ଋତୁରେ ସ୍ବାଗତିକା ରେଳବାଇରେ ଯୋଗଦେଇ ଚଳିତ ବର୍ଷ ପର୍ଯ୍ୟନ୍ତ ଖେଳିଥିଲେ ଏବଂ ଲଗାତାର ଭାବେ ଟ୍ରଫି ଜିତିବାର ଧାରା ଜାରି ରଖିଥିଲେ। ୪ ଥର ଦିନିକିଆ (୨୦୧୭-୧୮, ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩) ଏବଂ ୪ ଥର ଟ୍ବେଣ୍ଟି-୨୦ (୨୦୧୬-୧୭, ୨୦୧୯-୨୦, ୨୦୨୧-୨୨, ୨୦୨୨-୨୩) ଜାତୀୟ ଟ୍ରଫି ଜିତି ବିରଳ ସଫଳତା ପାଇଛନ୍ତି। ପୁରୁଷ କ୍ରିକେଟରେ ରଶ୍ମିରଂଜନ ପରିଡ଼ା ରାଜସ୍ଥାନ ପାଇଁ ରଣଜୀ ଟ୍ରଫି ଜିତିବାର ସଫଳତାକୁ ଛାଡ଼ିଦେଲେ ସ୍ବାଗତିକଙ୍କ ଏହି ସଫଳତା ବହୁ ଉଚ୍ଚରେ ରହିଛି।