ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ୍ କ୍ରିକେଟ୍‌ର ଚିରସ୍ମରଣୀୟ ୩ ନମ୍ବର, ରାହୁଲ ଦ୍ରାବିଡ଼ଙ୍କ ପରେ ଶ୍ରେଷ୍ଠ ଅତୁଟ ପ୍ରାଚୀର ଚେତେଶ୍ବର ପୂଜାରା ରବିବାର ସମସ୍ତ ଫର୍ମାଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୦ରୁ ୨୦୨୩ ମସିହା ମଧ୍ୟରେ ୧୦୩ ଟେଷ୍ଟ୍‌ ଖେଳି ୧୬,୨୧୭ ବଲ୍‌ ସମ୍ମୁଖୀନ ହୋଇ ସେ ୭୧୯୫ ରନ୍ ସଂଗ୍ରହ କରିଥିଲେ। ଏଥିରେ ୧୯ ଶତକ ଓ ୩୫ ଅର୍ଦ୍ଧଶତକ ବି ସାମିଲ ରହିଛି। ଭାରତ ସୃଷ୍ଟି କରିଥିବା ଅନ୍ୟତମ ଉତ୍କୃଷ୍ଟ ଟେଷ୍ଟ୍ କ୍ରିକେଟ୍‌ର ‌ପୂଜାରା ୨ ବର୍ଷ ହେବ ଏହି ଫର୍ମାଟ ଖେଳି ନଥିଲେ ବି ପ୍ରଶଂସକଙ୍କ ପସନ୍ଦ ତାଲିକାରୁ ବାହାରକୁ ଯାଇନାହାନ୍ତି। ସଙ୍କଟମୋଚକ ଭାବେ ସଦା ବିବେଚିତ ଭାରତ ପାଇଁ ମାତ୍ର ୫ଟି ଦିନିକିଆ ଖେଳିଥିଲେ ମଧ୍ୟ ଟ୍ବେଣ୍ଟି-୨୦ରେ ସୁଯୋଗ ପାଇ ନଥିଲେ। ଟେଷ୍ଟ୍ ସ୍ପେସାଲିଷ୍ଟ୍‌ ଭାବେ ନିଜକୁ ପ୍ରତିପାଦିତ କରିଥିବା ୩୭ ବ‌ର୍ଷୀୟ ପୂଜାରା ରବିବାର ସାମାଜିକ ଗଣମାଧ୍ୟମରେ ଦୁଇ ଦୁଇଟି ଲମ୍ବା ବିବୃତି ତଥା ଭାବପ୍ରବଣ ବାର୍ତ୍ତା ରଖି ଅବସର ସୂଚନା ଦେଇଛନ୍ତି। ‘‘ରାଜକୋଟ ଭଳି ଏକ ଛୋଟ ସହରରୁ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ ହେବାକୁ ସ୍ବପ୍ନ ଦେଖିବା ବେଳେ ମୁଁ ଭାବିନଥିଲି ଏହି ଖେଳ ମୋତେ ଏତେ କିଛି ଦେବ। ସୁଯୋଗ, ଅଭିଜ୍ଞତା, ଭଲ ପାଇବା ସହ ରାଜ୍ୟ ଓ ମହାନ ଦେଶର ପ୍ରତିନିଧିତ୍ବ କରିବାର ଅମୂଲ୍ୟ ମୁହୂର୍ତ୍ତ ମୁଁ ପାଇଛି। ଭାରତୀୟ ଜର୍ସି ପରିଧାନ କରିବା, ଜାତୀୟ ସଂଗୀତ ଗାଇବା, ପଡ଼ିଆକୁ ଯିବାବେଳେ ପ୍ରତିଥର ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଛି। ଏସବୁକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ସବୁ ଭଲ କଥାର ଶେଷ ଅଛି, କିନ୍ତୁ ଭାରତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେବା ପୂର୍ବରୁ ମୁଁ କୃତଜ୍ଞତା ଜଣାଇବାକୁ ଭୁଲିଯାଉନାହିଁ’’ ବୋଲି ପୂଜାରା ଲେଖିଛନ୍ତି।

Advertisment

ପୂଜାରାଙ୍କ ଅବସର ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ନୁହେଁ। ନିକଟରେ ବିରାଟ କୋହଲି, ‌ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ ଅବସର ନେଇଥିବା ବେଳେ ପୂଜାରା ଏହି ତାଲିକାରେ ସାମିଲ ହୋଇଛନ୍ତି। ୪୩.୬୦ ହାରରେ ରନ୍‌ ସଂଗ୍ରହ କରିଥିବା ପୂଜାରା ମଧ୍ୟ ଭାରତର ଅଗ୍ରଣୀ ଟେଷ୍ଟ୍‌ ରନ୍‌ ହାସଲକାରୀ ତାଲିକାରେ ଏବେ ଅଷ୍ଟମ ସ୍ଥାନରେ ରହିଛନ୍ତି। ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ସେ ୨୧,୩୦୧ ରନ୍ ସଂଗ୍ରହ କରିବା ମଧ୍ୟ ତାଙ୍କ ସଙ୍କଳ୍ପ ଓ ସାଧନାର ପ୍ରତିଫଳନ କରୁଛି। ଆଉ ଏକ ଘରୋଇ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସେ ସୌରାଷ୍ଟ୍ର ପାଇଁ ଖେଳିବାକୁ ଆଶା ଥିଲା। କିନ୍ତୁ ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବା ଲକ୍ଷ୍ୟରେ ସେ ଅବସର ଘୋଷଣା କରି ଦେଇଛନ୍ତି। ସୌରାଷ୍ଟ୍ରରୁ ‌ଚେତେଶ୍ବର ପୂଜାରା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଦୁଇ ମହାନ କ୍ରିକେଟର୍ ବି ଭାରତୀୟ କ୍ରିକେଟ୍‌କୁ ଲମ୍ବା ସେବା ଯୋଗାଇ ଆସିଛନ୍ତି। ଜ‌ାଡ଼େଜା କେବଳ‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିଛନ୍ତି।‌ ‘‘ପୂଜାରା ପଡ଼ିଆରୁ ଅବସର ନିଅନ୍ତୁ ବୋଲି ମୁଁ ଆଶା କରୁଥିଲି, ଏବେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ହେବ’’ ବୋଲି କହିଛନ୍ତି ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ସଭାପତି ଜୟଦେବ ସାହା। ସୂଚନାଯୋଗ୍ୟ, ୨୦୦୫ରେ ଜୟଦେବ ସାହାଙ୍କ ନେତୃତ୍ବାଧୀନ ସୌରାଷ୍ଟ୍ର ଦଳରୁ ରଣଜୀ ଜୀବନ ଆରମ୍ଭ କରିଥିଲେ ପୂଜାରା। ୫ ବର୍ଷ ପରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ଖେଳ ଜୀବନ ଆରମ୍ଭରୁ ଶେଷ ଯାଏ ସମାନ ସମର୍ପଣ ଭାବରେ ସେ ଖେଳିଥିଲେ। ତାଙ୍କ କ୍ରିକେଟ୍ ଜୀବନ ଗଢ଼ିଥିବା ପିତା ଅରବିନ୍ଦ ପୂଜାରାଙ୍କୁ ବଡ଼ ସଲାମ ଜଣାଉଛି ବୋଲି ଜୟଦେବ ସାହା କହିଛନ୍ତି। ଭାରତୀୟ ଦଳରୁ ବାଦ୍ ପଡ଼ିବା ପରେ ପୂଜାରା ସଦ୍ୟ ସମାପ୍ତ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାରେ ଭାଷ୍ୟକାର ଭୂମିକା ତୁଲାଇଥିଲେ।

୨୦୧୮-୧୯ ଓ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ବିଜୟ ପାଇଥିବା ବେଳେ ପୂଜାରା ଭାରତୀୟ ବ୍ୟାଟିଂରେ ମେରୁଦଣ୍ଡ ଥିଲେ। ୨୦୧୮-୧୯ ଗସ୍ତରେ ୪ ମ୍ୟାଚ୍‌ରୁ ସେ ୭୪.୪୨ ହାରରେ ୫୨୧ ରନ୍ ଏବଂ ୨୦୨୦-୨୧ରେ ୪ ମ୍ୟାଚ୍‌ରୁ ୩୩.୮୭ ହାରରେ ୨୭୧ ରନ୍ କରିଥିଲେ। ଗାବା ଟେଷ୍ଟ୍‌ରେ ଅଷ୍ଟ୍ରେଲୀୟ ପେସ୍‌ ବୋଲର ତାଙ୍କ ଶରୀରକୁ ଏକାଧିକ ବାର ଆକ୍ରମଣ କରିଥ‌ିଲେ ମଧ୍ୟ ସେ ବିଚଳିତ ନ ହୋଇ ବ୍ୟାଟିଂ କରିଥିଲେ। ଉଭୟ ଶୃଙ୍ଖଳାକୁ ଭାରତ ସମାନ ୨-୧ ବ୍ୟବଧାନରେ ଜିତିଥିଲା।

ଝଡ଼ର ଇଗଲ୍‌: ଅତୁଳନୀୟ, ୨୧,୩୦୧ ରନ୍‌ ଓ ୬୬ ଶତକ

ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌କୁ ସେବା କରିଥିବା ପୂଜାରାଙ୍କ ଅବସର ଖବର ପରେ ତାଙ୍କୁ ବିସିସିଆଇ,‌ ଆଇସିସି ସହିତ ବହୁ ପୂର୍ବତନ‌ ଖେଳାଳି, ପ୍ରଶିକ୍ଷକ ଓ ପ୍ରଶାସକ ଶୁଭେଚ୍ଛା ଜଣାଇଛନ୍ତି। ପୂଜାରାଙ୍କୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଝଡ଼ର ଇଗଲ୍ ସହ ତୁଳନା କରିଛନ୍ତି। ‘‘ଝଡ଼ ନିଜ ପ୍ରକୋପ ଦେଖାଉଥିବା ବେଳେ ପୂଜାରା ସୁଉଚ୍ଚ ପ୍ରାଚୀର ଭଳି ଛିଡ଼ା ହୋଇଥାନ୍ତି, ଆଶା ଲିଭି ଆସୁଥିବା ବେଳେ ସେ ଲଢ଼େଇ ଜାରି ରଖିଥାନ୍ତି, ଧନ୍ୟବାଦ ପୂଜି...’’ ବୋଲି ଲେଖିଛନ୍ତି ଗମ୍ଭୀର। ଭାରତୀୟ କ୍ରିକେଟ୍‌କୁ ତୁମ ସେବା ପ୍ରେରଣାଦାୟକ ଓ ଗର୍ବର ବିଷୟ ବୋଲି କହିଛନ୍ତି ବୀରେନ୍ଦ୍ର ସେହବାଗ। ଦ୍ବିତୀୟ ପାଳି ପାଇଁ ଶ‌ୁଭେଚ୍ଛା ଜଣାଇଛନ୍ତି ଭେଙ୍କଟେଶ ପ୍ରସାଦ। ‘‘ତୁମ ନାମକୁ ପରେ ତୁମ କାମକୁ ସଲାମ କରୁଛି’’ ବୋଲି ଉଲ୍ଲେଖ କରିଛନ୍ତି ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ୱାସିମ୍ ଜାଫର।

କ୍ରିକେଟ୍‌ ପଡ଼ିଆରେ ଚେତେଶ୍ବର ପୂଜାରାଙ୍କ ଦୁଇ ଦଶନ୍ଧିର କ୍ରିକେଟ୍ ଯାତ୍ରାକୁ ଅତୁଳନୀୟ କୁହାଯାଇପାରିବ। ୩୭ ବର୍ଷୀୟ ପୂଜାରା ତାଙ୍କ ଏହି ଦୁଇ ଦଶନ୍ଧି ଭିତରେ ଭାରତୀୟ ଦଳ ସହ ସୌରାଷ୍ଟ୍ର ପାଇଁ ବି ଏକାଧିକ ରେକର୍ଡ କରିଛନ୍ତି। ୫ ଥର ରଣଜୀ ଟ୍ରଫି ଫାଇନାଲ୍ ଖେଳିବା ସହ ୨୦୧୯-୨୦ ଓ ୨୦୨୨-୨୩ ଋତୁରେ ବିଜେତା ହୋଇଥିଲେ। ସୌରାଷ୍ଟ୍ର ପାଇଁ ୨୫ ଶତକ ଓ ୭,୭୭୪ ରନ୍ ବି କୌଣସି ଖେଳାଳି କରିପାରିନାହାନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୬୬ ଶତକ ସହ ୨୧,୩୦୧ ରନ୍ ବି ତାଙ୍କ ଅବଦାନକୁ ଦର୍ଶାଉଛି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ବ୍ୟାଟିଂ କରିବାର କଳା ତାଙ୍କୁ ଟେଷ୍ଟ୍‌ କ୍ରିକେଟ୍‌ ସ୍ପେସାଲିଷ୍ଟ୍ କରିଦେଇଥିଲା। ପ୍ରଥମ ଶ୍ରେଣୀରେ ୬୬ ଶତକ କେବଳ ଭାରତୀୟଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୮୧), ସୁନିଲ ଗାଭାସ୍କର (୮୧), ରାହୁଲ ଦ୍ରାବିଡ଼ (୬୮)ଙ୍କ ତଳେ ରହିଛି। ସର୍ବାଧିକ ୧୮ ଦ୍ବିଶତକ ବି ବିଶ୍ବର ସର୍ବକାଳୀନ ତାଲିକାରେ ତାଙ୍କୁ ଚତୁର୍ଥରେ ରଖିଛି। ସାର୍‌ ଡନ୍ ବ୍ରାଡ୍‌ମ୍ୟାନ୍ (୩୭), ୱାଲି ହାମଣ୍ଡ୍‌ (୩୬) ଓ ପ୍ୟାଟ୍‌ସି ହେଣ୍ଡ୍ରେନ୍‌ (୨୨)ଙ୍କ ତଳକୁ ରହିଛନ୍ତି। ଭାରତୀୟ ମଧ୍ୟରେ ଦ୍ବିତୀୟରେ ରହିଛନ୍ତି ବିଜୟ ମର୍ଚାଣ୍ଟ୍ (୧୧)।