ଆଜିଠୁ ଆନ୍ତର୍ଜାତିକ କ୍ରିକେଟ୍‌: ମୁହାଁମୁହିଁ ହେବେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍, ୧୪୩ ବର୍ଷ ପ‌ରେ ପ୍ରଥମ ଥର ପାଇଁ ଫାଙ୍କା ଷ୍ଟାଡିୟମ୍‌ରେ ଖେଳ‌

ଲଣ୍ଡନ: ସାଂପ୍ରତିକ କୋଭିଡ୍‌-୧୯ ମହାମାରୀ ଯୋଗୁଁ କ୍ରୀଡ଼ା ଦୁନିଆ ଠପ୍‌ ହୋଇଯାଇଥିଲା ବେଳେ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ୍‌ର ପ୍ରତ୍ୟାବର୍ତନ ନେଇ ଯେଉଁ ଅପେକ୍ଷା ରହିଥିଲା ଶେଷରେ ତା’ର ଅନ୍ତ ଘଟିଛି। ଆସନ୍ତାକାଲି (ବୁଧବାର) ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ୍‌ ଫେରିବାର ପଥ ପରିଷ୍କାର ହୋଇଯାଇଛି। ଆଉ କୋଭିଡ୍‌-୧୯ ପରବର୍ତୀ ଏହି ଆନ୍ତର୍ଜାତିକ ପ୍ରତ୍ୟାବର୍ତନର ପ୍ରଥମ ମ୍ୟାଚ୍‌ ସାଉଥମ୍ପଟନ୍‌ରେ ଖେଳାଯିବ। ୧୪୩ ବର୍ଷ ପ‌ରେ ପ୍ରଥମ ଥର ପାଇଁ ଫାଙ୍କା ଷ୍ଟାଡିୟମ୍‌ରେ ଏବଂ ଜୈବ ସୁରକ୍ଷିତ ପରିବେଶରେ ଟେଷ୍ଟ ଖେଳିବାର ଅନୁଭୂତି ଖେଳାଳିମାନେ ପାଇବେ। ସାଉଥମ୍ପଟନ୍‌ରେ ଘରୋଇ ଇଂଲଣ୍ଡ ଏବଂ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଟେଷ୍ଟ୍‌ ଖେଳି କରୋନା ପରବର୍ତୀ ଆନ୍ତର୍ଜାତିକ କ୍ରିକେଟର ମୁକସାକ୍ଷୀ ରହିବେ। ଉଭୟ ଦଳର ଅଧିନାୟକ ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡର କାମଚଳା) ଏବଂ ଜାସନ୍‌ ହୋଲ୍‌ଡର (ୱେଷ୍ଟଇଣ୍ଡିଜ୍‌) ନିଜ ନିଜ ଦଳକୁ ନେଇ ପୂରା ପ୍ରସ୍ତୁତ ହୋଇଯାଇଛନ୍ତି। ଉଭୟ ଦଳ ମଧ୍ୟ ଟ୍ରଫି ଉପରେ ନଜର ରଖିଛନ୍ତି।

କୋଭିଡ୍‌-୧୯ ନିୟମ ଯୋଗୁଁ ଷ୍ଟାଡିୟମ୍‌ ମଧ୍ୟକୁ କୌଣସି ଦର୍ଶକଙ୍କୁ ଅନୁମତି ଦିଆଯାଇନଥିବାରୁ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଟେଲିଭିଜନ୍‌ରେ ମ୍ୟାଚ୍‌ ଦେଖିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। କେବଳ ଟସ୍‌ ଏବଂ ମ୍ୟାଚ୍‌ ଆରମ୍ଭ ପାଇଁ ଅମ୍ପାୟାରଙ୍କ ନିର୍ଦେଶକୁ ଏବେ ସମସ୍ତଙ୍କ ଅପେକ୍ଷା। କୋଭିଡ୍‌-୧୯ ପରବର୍ତୀ ତଥା ନୂଆ କଟକଣା ମଧ୍ୟରେ ଖେଳାଯିବାକୁ ଥିବା ଏହି ପ୍ରଥମ ଆନ୍ତର୍ଜାତିକ ଶୃଙ୍ଖଳାକୁ ଦେଖିବା ପାଇଁ ସାରା ବିଶ୍ବ ଚାହିଁରହିଛି। ଯେଉଁଥିରେ ଦର୍ଶକ ନଥି‌ବେ, ବଲ୍‌ରେ ଲାଳର ପ୍ରୟୋଗ କରାଯିବନି ଏବଂ ସୀମିତ ଉତ୍ସବ ପାଳନ କରାଯାଇପାରିବ। ୱେଷ୍ଟଇଣ୍ଡିଜ୍‌ ମଧ୍ୟ କରୋନା ମହାମାରୀର ପ୍ରକୋପ ମଧ୍ୟରେ ୩ ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ଆସିଛି। ପ୍ରଥମ ଟେଷ୍ଟ୍‌ ବୁଧବାରଠାରୁ ସାଉଥମ୍ପଟନ୍‌ରେ ଖେଳାଯିବା ପରେ ପରର୍ବତୀ ଦୁଇଟିଯାକ ଟେଷ୍ଟ୍‌ ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫୋଡ୍‌ରେ ଯଥାକ୍ରମେ ଜୁଲାଇ ୧୬ ଓ ୨୪ ତାରିଖରୁ ଆରମ୍ଭ ହେବ।

Times of India

ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମ୍‌ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚର, ଡୋକିନିକ୍‌ ବେସ୍‌, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ନସ, ଜୋସ୍‌ ବଟ୍ଟଲର୍‌ (ୱିକେଟ୍‌ରକ୍ଷକ), ଜାକ୍‌ କ୍ରଲି, ଜୋଏ ଡେନ୍‌ଲି, ଓଲି ପୋପେ, ଡମ୍‌ ସିବ୍‌ଲେ, କ୍ରିସ୍‌ ୱକ୍‌ସ, ମାର୍କ ଉଡ୍‌।

ୱେଷ୍ଟଇଣ୍ଡିଜ୍‌ ଦଳ: ଜାସନ୍‌ ହୋଲ୍‌ଡର (ଅଧିନାୟକ), ଜର୍ମିନ୍‌ ବ୍ଲାକ୍‌ଉଡ୍‌, କ୍ରୁମା ବୋନର୍‌, କ୍ରେଗ୍‌ ବ୍ରାଥ୍‌ୱେଟ୍‌, ସମର ବ୍ରୁକ୍ସ, ଜନ୍‌ କାମ୍ପବେଲ୍‌, ରସ୍ତନ ଚେଜ୍‌, ରାକିମ୍‌ କର୍ନୱାଲ, ସେନ୍‌ ଡୌରିକ୍‌, ସାନନ୍ ଗାବ୍ରିଏଲ୍‌, ଚେମର ହୋଲ୍‌ଡର, ସାଇ ହୋପ୍‌, ଅଲ୍‌ଜାରି ଜୋସେଫ୍‌, ରେମନ୍‌ ରାଇଫର, କେମାର ରୋଚ୍‌।

ଷ୍ଟୋକ୍ସ କାମଚଳା ଅଧିନାୟକ
୨୦୧୯ ବିଶ୍ବକପ୍‌ ବିଜେତା ଦଳର ମହାନାୟକ ବେନ୍‌ ଷ୍ଟୋକ୍ସ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ଦଳର କାମଚଳା ନେତୃତ୍ବ ନେବେ। ନିୟମିତ ଅଧିନାୟକ ଜୋ ରୁଟ୍‌ ତାଙ୍କ ପତ୍ନୀ ଦ୍ବିତୀୟ ସନ୍ତାନ ଜନ୍ମ ଦେବାକୁ ଥିବାରୁ ଛୁଟିରେ ରହିଛନ୍ତି। ଏହା ପୂର୍ବରୁ ଷ୍ଟୋକ୍ସ କେବେ ବି ଟେଷ୍ଟ୍‌ରେ ଇଂଲଣ୍ଡର ନେତୃତ୍ବ ନେଇନଥିଲେ। ତେଣୁ ପ୍ରଥମ ଥର ପାଇଁ ତାଙ୍କୁ ଅଧିନାୟକ ଭାବେ ପଡ଼ିଆରେ ଦେଖିବାକୁ ମିଳିବ। ଇଂଲଣ୍ଡ ଦଳରେ ଷ୍ଟୋକ୍ସଙ୍କ ସାମର୍ଥ୍ୟ ସମସ୍ତଙ୍କୁ ବେଶ୍‌ ଜଣା। ତାଙ୍କ ମ୍ୟାଚ୍‌ ବିଜୟୀ ପାଳି ବଳରେ ସେ ମୋଡ଼ ବଦଳାଇଦେବାର ସାମର୍ଥ୍ୟ ରଖିଥା’ନ୍ତି। ପୁଣି ବୋଲିଂରେ ବି କମାଲ କରନ୍ତି। ଏବେ ଅଧିନାୟକ ଭାବେ କିପରି ଖେଳୁଛନ୍ତି ତାହା ଦେଖିବାର କଥା।

ଲାଳ କଟକଣା ବୋଲରଙ୍କ ପାଇଁ ଏକ ଆହ୍ବାନ
କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ବଲ୍‌ରେ ଲାଳର ପ୍ରୟୋଗ ଉପରେ କଟକଣା ଜାରି କରିଛି। ଏଥି ସହିତ ଖେଳର ନିୟମକାନୁନରେ ମଧ୍ୟ ମଧ୍ୟବର୍ତୀକଳୀନ ପରିବର୍ତନକୁ ଆଇସିସି ସ୍ପଷ୍ଟ କରିଛି। ଯଦି ଜଣେ ଖେଳାଳି ବଲ୍‌ରେ ଲାଳ ଲଗାନ୍ତି, ତାହାଲେ ପ୍ରାଥମିକ ଭାବେ ଅମ୍ପାୟାର ହିଁ ଏଭଳି ସ୍ଥିତିକୁ ସମ୍ଭାଳିବେ। କିନ୍ତୁ ବାରମ୍ବାର ଏପରି ଘଟିଲେ ସଂପୃକ୍ତ ଦଳକୁ ଚେତାବନୀ ଦିଆଯିବ ବୋଲି ଆଇସିସି କହିଛି। ଗୋଟିଏ ଦଳକୁ ମଧ୍ୟ ଏହାକୁ ନେଇ ଗୋଟିଏ ପାଳିରେ ଦୁଇ ଥର ଚେତାବନୀ ଦିଆଯାଇପାରିବ। କିନ୍ତୁ ଏହାପରେ ୫ ରନ୍‌ ଜରିମାନା ବ୍ୟାଟିଂ କରୁଥିବା ଦଳକୁ ପ୍ରଦାନ କରାଯିବ। ଯେତେବେଳେ ବି ବଲ୍‌ରେ ଲାଳର ପ୍ରୟୋଗ କରାଯିବ ସେତେବେଳେ ଅମ୍ପାୟାରଙ୍କ ନିର୍ଦେଶକୁ ମାନିବାକୁ ପଡ଼ିବ। ହେଲେ ଲାଳ ଉପରେ କଟକଣା ବୋଲରଙ୍କ ପାଇଁ ଏକ ଆହ୍ବାନ ହେବ। ଏଥିଯୋଗୁଁ ବଲ୍‌କୁ ଘୁରାଇବାରେ ତଥା ସୁଇଂ କରିବାରେ ବୋଲରଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ବିଶେଷକରି ଉଭୟ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଦଳର ତାରକା ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଓ କେରାମ ରୋଚ୍‌ ନିଜ ନିଜର ସୁଇଂ ପାଇଁ ଖ୍ୟାତ। ତେଣୁ ପ୍ରଥମ ଟେଷ୍ଟ୍‌ରେ ‌ଲାଳର ବିନା ବ୍ୟବହାରରେ ସେମାନେ କିପରି ବଲ୍‌କୁ ଘୁରାଇବେ ତାହା ଚିନ୍ତାଜନକ ରହିଛି।

ସମ୍ବନ୍ଧିତ ଖବର