ଚର୍ଚିତ ୧୯୯୯ ଚେନ୍ନାଇ ଟେଷ୍ଟ୍: ଗାଙ୍ଗୁଲିଙ୍କ ବିବାଦୀୟ ଆଉଟ୍ ନେଇ ମୁହଁ ଖୋଲିଲେ ଇଞ୍ଜି

ଚେନ୍ନାଇ: ଚର୍ଚିତ ୧୯୯୯ ଚେନ୍ନାଇ ଟେଷ୍ଟ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିବାଦୀୟ ଢଙ୍ଗରେ ଆଉଟ୍ ହୋଇଥିଲେ। ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିବା କ୍ୟାଚ୍‌ଟି ପ୍ରକୃତରେ ଆଇନସମ୍ମତ ନଥିଲା ବୋଲି ଭାରତୀୟ ପ୍ରଶଂସକଙ୍କଠାରୁ କ୍ରିକେଟ୍ ପଣ୍ଡିତମାନେ ମତ ପ୍ରକାଶ କରିଥିଲେ। ଦୀର୍ଘ ୨୧ ବର୍ଷ ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ୍-ହକ୍ ଏହି ଘଟଣାରେ ମୁହଁ ଖୋଲିଛନ୍ତି। ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମ ‘ଡିଆରଏସ୍‌ ୱିଥ୍ ଆସ୍’ରେ ଅଂଶଗ୍ରହଣ କରି ସଂପୃକ୍ତ କ୍ୟାଚ୍‌‌ଟି ପ୍ରକୃତରେ ସନ୍ଦେହାତ୍ମକ ଥିଲା ବୋଲି ଇଞ୍ଜି ସ୍ବୀକାର କରିଛନ୍ତି। ସେହି ବିବାଦୀୟ ଏବଂ ଚର୍ଚିତ ଘଟଣା ଉପରୁ ପରଦା ଉଠାଇବା ଲାଗି ଅଶ୍ବିନ ଅନୁରୋଧ କରିବା ପରେ ଇଞ୍ଜି ସେହି ମ୍ୟାଚ୍ ଓ କ୍ୟାଚ୍ କଥା ମନେ ପକାଇ କହିଥିଲେ ଯେ ଏହି କ୍ୟାଚ୍‌ରେ ଦୁଇ ଜଣ ସଂପୃକ୍ତ ଥିଲେ। ବଲ୍ ପ୍ରଥମେ ଆଝାର ମେହମୁଦଙ୍କ ଦେହରେ ବାଜିଥିଲା। ଏହା ପରେ ମୋଇନ ଖାନ୍ ତାକୁ ଧରିଥିଲେ। ଆଝାର ସେହି ମ୍ୟାଚ୍ ଖେଳୁନଥିଲେ। ମୋ ବଦଳରେ କ୍ଷେତ୍ରରକ୍ଷଣ କରିବାକୁ ଆସିଥିଲେ। ଏଣୁ ଏହି ବିଷୟରେ ଅଧିକ କିଛି ମୁଁ କହି ପାରିବିନାହିଁ। ଗାଙ୍ଗୁଲିଙ୍କ ଆଉଟ୍ ପରେ ପ୍ରଶଂସକ କିନ୍ତୁ ‘ଅମ୍ପାୟାର ମୁର୍ଦାବାଦ, ଅମ୍ପାୟାର ମୁର୍ଦାବାଦ’ ସ୍ଲୋଗାନ ଦେଉଥିବା କଥା ଏହି ବାର୍ତ୍ତାଳାପ ବେଳେ ଇଞ୍ଜିଙ୍କୁ ମନେ ପକାଇ ଦେଇଥିଲେ ଅଶ୍ବିନ। ଇଞ୍ଜି କିନ୍ତୁ ଏହି ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ହୃଦୟ ଖୋଲା ପ୍ରଶଂସା କରିଥିଲେ। ‘‘ଧୋନି ୨୦୧୧ ବିଶ୍ବକପ୍ ଫାଇନାଲ୍‌ରେ ଯେଭଳି ଭାବେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ, ତାଙ୍କର ଆତ୍ମବିଶ୍ବାସ ଥିଲା ଯେ ଆବଶ୍ୟକତା ବେଳେ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ। ମୁଁ ଏଭଳି ଖେଳାଳିଙ୍କୁ ସମ୍ମାନ କରେ। ସେମାନେ ସଚ୍ଚା କ୍ରୀଡ଼ା‌ବିତ୍’’ ବୋଲି କହିଥିଲେ ସେ। ଅଶ୍ବିନ ଓ ଇଞ୍ଜି ମଧ୍ୟ ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ମ୍ୟାଚ୍ ଶେଷ କରିବା ଦକ୍ଷତା ଉପରେ ଢେର କିଛି ସମୟ ପାଇଁ ଆଲୋଚନା କରିଥିଲେ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କେଉଁ ପାଳି ତାଙ୍କର ସବୁଠାରୁ ପସନ୍ଦ, ତା ଉପରୁ ମଧ୍ୟ ପରଦା ଉଠାଇଥିଲେ ଇଞ୍ଜମାମ। ‘‘୨୦୦୩ ବିଶ୍ବକପ୍‌ରେ ଯେତେବେଳେ ପାକିସ୍ତାନ ୨୭୪ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା, ସଚିନ ଚମତ୍କାର କ୍ରିକେଟ୍ ଖେଳିଥିଲେ। ମୁଁ ତାଙ୍କୁ ବହୁ ବର୍ଷ ଧରି ଖେଳିବାର ଦେଖିଛି, ହେଲେ ସେହି ପାଳିରେ ସେ ସତରେ ବହୁତ ଭଲ ବ୍ୟାଟିଂ କରିଥିଲେ। ସେହି ପରିବେଶରେ ସେ ଯେଭଳି ଭାବେ ଆମ ଦ୍ରୁତ ବୋଲରଙ୍କୁ ମୁକାବିଲା କରୁଥିଲେ, ତାହା ପ୍ରଶଂସନୀୟ। ସଚିନଙ୍କ ୯୮ ରନ୍ ପାଳି ବଳରେ ଭାରତ ସେହି ମ୍ୟାଚ୍‌କୁ ଜିତି ନେଇଥିଲା।

ସମ୍ବନ୍ଧିତ ଖବର