ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ବର୍ତ୍ତମାନ ବରିଷ୍ଠ ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସ ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ପୂର୍ବତନ ମୁଖ୍ୟ ଚେତନ ଶର୍ମା ବୋର୍ଡର ଆଭ୍ୟନ୍ତରୀଣ କଥାକୁ କ୍ୟାମେରା ଆଗରେ କହିଦେଇ ଷ୍ଟିଙ୍ଗ ଅପରେସନ୍‌ରେ ଧରାପଡ଼ିବାରୁ ବିସିସିଆଇ ତାଙ୍କୁ ଦାୟିତ୍ବରୁ ହଟାଇ ଦେଇଥିଲା ଏବଂ ଶିବସୁନ୍ଦରଙ୍କୁ ଅନ୍ତରୀଣ ଦାୟିତ୍ବ ଦିଆଯାଇଥିଲା। ତେବେ ଗତ କିଛି ବର୍ଷ ହେବ ଜାତୀୟ ଚୟନକର୍ତ୍ତା ପଦବି ପାଇଁ ଦେଶର ନାମୀ କ୍ରିକେଟର୍‌ମାନେ ମୁହଁ ଫେରାଇ ନେଉଥିବା ଜଣାପଡ଼ିଛି। ଏହି ପଦବିରେ ଯେତିକି ସମ୍ମାନ ସେମାନେ ଆଶା କରୁଛନ୍ତି, ହୁଏତ ତାହା ମିଳିପାରୁନଥିବାରୁ ଏପରି ହେଉଥିବା ଅନୁମାନ କରାଯାଉଛି। ଚୟନ ସମିତିରେ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଏବଂ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ଦେଖିଲେ ପ୍ରସାରଣକାରୀ ସଂସ୍ଥା ପୂର୍ବତନ କ୍ରିକେଟରଙ୍କୁ ଦେଉଥିବା ପାଉଣା ତୁଳନାରେ ବିସିସିଆଇ ପ୍ରାପ୍ୟ ବହୁତ କମ୍‌ ହୋଇଯାଉଛି।

Advertisment

ବିସିସିଆଇର ଜଣେ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ବୋର୍ଡର ପ୍ରଶାସନିକ ସମିତି ହାତରେ କ୍ଷମତା ରହିଥିଲା ସେତେବେଳେ ବୀରେନ୍ଦ୍ର ସେହବାଗ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବି ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହି ପଦବି ଅନୀଲ କୁମ୍ବଲେଙ୍କୁ ମିଳିଥିଲା। ତେଣୁ ସେହବାଗ୍‌ଙ୍କ ଭଳି କ୍ରିକେଟର ସ୍ବତଃ ଏହି ପଦବି ପାଇଁ ଆବେଦନ କରିବେନି ଏବଂ ତାଙ୍କ ଭଳି ବ୍ୟକ୍ତିତ୍ବଙ୍କ ପାଇଁ ବୋର୍ଡର ପାଉଣା ସନ୍ତୋଷଜନକ ହେଉନଥିବା ବିଶ୍ବାସ ସ୍ପଷ୍ଟ ହୋଇଛି। ଯଦି ତାଙ୍କ ଭଳି କ୍ରିକେଟର୍‌ଙ୍କ କଥା ବିଚାର କରିବା, କେବଳ ସେ ଏକା ଉତ୍ତରାଞ୍ଚଳରୁ ଆସୁନାହାନ୍ତି। ତାଙ୍କ ସମସାମୟିକ ଭାବେ ଏହି ଅଞ୍ଚଳରୁ ଯୁବରାଜ ସିଂହ, ଗୌତମ ଗମ୍ଭୀର, ହରଭଜନ ସିଂହଙ୍କ ନାମ ମଧ୍ୟ ସାମ୍ନାକୁ ଆସିବ। କିନ୍ତୁ ଅବସରକୁ ୫ ବର୍ଷ ପୂରଣ ହୋଇଥିବା ନିୟମ ଆଧାରରେ ଏମାନେ ଯୋଗ୍ୟତା ଅର୍ଜନ କରିନାହାନ୍ତି। ତେଣୁ ଯେପର୍ଯ୍ୟନ୍ତ ବିସିସିଆଇ ଶେଷ ଆନ୍ତର୍ଜାତିକ ମ୍ୟାଚ୍‌କୁ ଅବସର ସମୟ ଭାବେ ପୁନଃର୍ବିଚାର ନକରୁଛି, ଏଭଳି କ୍ରିକେଟର ବୋର୍ଡର ପ୍ରମୁଖ ଦାୟିତ୍ବ ଗ୍ରହଣ ପାଇଁ ଆଗକୁ ଆସିପାରିବେନି। ଏହା ମଧ୍ୟ ଭାବିବା ଭୁଲ୍‌ ହେବ ଯେ, ବୋର୍ଡ ସେମାନଙ୍କୁ ବାର୍ଷିକ ୪ରୁ ୫ କୋଟି ଟଙ୍କା ଦେଇପାରିବନି, ବରଂ ଅନେକ କ୍ରିକେଟର୍‌ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବିସିସିଆଇ ସହିତ ସଂପର୍କ ରଖିଥିବାରୁ ଦ୍ବୈତ ସ୍ବାର୍ଥ ନିୟମ ଯୋଗୁଁ ସେମାନେ ଏସବୁ ପଦବି ପାଇଁ ଆଗ୍ରହ ଦେଖାଉନଥିବା ସଂପୃକ୍ତ ଅଧିକାରୀଜଣକ କହିଛନ୍ତି।