ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟରେ ବ୍ୟାଟ୍ସମ୍ୟାନ୍ଙ୍କ ପ୍ରାଧାନ୍ୟ ପରିଲଖିତ ହେଉଥିବା ବେଳେ ଟେଷ୍ଟ୍ କ୍ରିକେଟ୍ରେ ବ୍ୟାଟସମ୍ୟାନ୍ ଓ ବୋଲରଙ୍କ ମଧ୍ୟରେ ସନ୍ତୁଳନ ଦେଖିବାକୁ ମିଳିଥାଏ। ଟେଷ୍ଟ୍ କ୍ରିକେଟ୍ର ୧୪୩ ବର୍ଷର ଲମ୍ବା ଇତିହାସରେ ୬ ଜଣ ବୋଲର ରହିଛନ୍ତି ଯିଏ ୫୦୦ ୱିକେଟ୍ କ୍ଲବ୍ ସଦସ୍ୟ ହୋଇପାରିଛନ୍ତି। ସେହି ୬ ଜଣ ବୋଲରଙ୍କୁ କମ୍ ମ୍ୟାଚ୍ କ୍ରମରେ ସ୍ଥାନିତ କରିଛୁ।
୧-ମୁଥୟା ମୁରଲୀଧରନ: ୮୭ ଟେଷ୍ଟ୍
ଦୀର୍ଘ ୧୮ ବର୍ଷର ଟେଷ୍ଟ୍ କ୍ରିକେଟ୍ ଜୀବନରେ ୧୩୩ ମ୍ୟାଚ୍ରୁ ମୋଟ ୮୦୦ ୱିକେଟ୍ ନେଇଥିବା ଶ୍ରୀଲଙ୍କାର ସ୍ପିନ୍ ଯାଦୁକର ମୁଥୟା ମୁରଲୀଧରନ ୫୦୦ ୱିକେଟ୍ ମାଇଲଖୁଣ୍ଟ୍ ବେଳକୁ ୮୭ ଟେଷ୍ଟ୍ ଖେଳିଥିଲେ। ତାଙ୍କ ସ୍ପିନ୍ ପ୍ରତିଦ୍ବନ୍ଦ୍ବୀ ସେନ୍ ୱର୍ନଙ୍କୁ ସେ ଅତିକ୍ରମ କରି ଶୀର୍ଷରେ ରହିଛନ୍ତି। ସଂଯୋଗବଶତଃ ଅଷ୍ଟ୍ରେଲିଆର ମାଇକେଲ କାସ୍ପ୍ରୋୱିଜଙ୍କୁ କାଣ୍ଡି ଟେଷ୍ଟ୍ରେ ୫୦୦ତମ ଶିକାର କରିଥିଲେ। ଦିନ ଦୃଷ୍ଟିରୁ ଦେଖିଲେ ମଧ୍ୟ ମୁରଲୀ ରେକର୍ଡ ସମୟରେ ୫୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଏଥିପାଇଁ ସେ ୧୧ ବର୍ଷ ୨୦୧ ଦିନ ନେଇଥିଲେ।
୨-ଅନିଲ କୁମ୍ବଲେ: ୧୦୫ ମ୍ୟାଚ୍
ଭାରତୀୟ କିଂବଦନ୍ତି ଅନିଲ କୁମ୍ବଲେ ୧୩୨ ଟେଷ୍ଟ୍ରୁ ୬୧୯ ୱିକେଟ୍ ନେଇଛନ୍ତି। କିନ୍ତୁ ୫୦୦ ୱିକେଟ୍ ବେଳକୁ ସେ ୧୦୫ତମ ମ୍ୟାଚ୍ ଖେଳୁଥିଲେ। ବଲ୍କୁ ଟର୍ନ କରାଇବାରେ ୱର୍ନ ଏବଂ କୁମ୍ବଲେ ସଫଳତାର ଶିଖର ଛୁଇଁଥିଲେ। କୁମ୍ବଲେ କିନ୍ତୁ ଗୋଟିଏ ଓଭରରେ ୬ଟି ବିବିଧ ବଲ୍ ବୋଲିଂର କ୍ଷମତା ରଖୁଥିଲେ। ଇଂଲଣ୍ଡ ବିପକ୍ଷ ମୋହାଲି ଟେଷ୍ଟ୍ରେ ଷ୍ଟିଭ୍ ହାର୍ମିସନଙ୍କୁ ନିଜର ୫୦୦ତମ ଶିକାର କରି ଏହି କ୍ଲବ୍ର ଦ୍ବିତୀୟ ଦ୍ରୁତତମ ସଦସ୍ୟ ରହିଛନ୍ତି। କୁମ୍ବଲେଙ୍କୁ ଏଥିପାଇଁ ୧୫ ବର୍ଷ ୨୧୨ ଦିନ ଲାଗିଥିଲା। କୁମ୍ବଲେ ଭାରତର ସର୍ବାଧିକ ଟେଷ୍ଟ୍ ୱିକେଟ୍ ଦଖଲକାରୀ ଏବଂ ଏବେ ବି ସେ ୫୦୦ ୱିକେଟ୍ କ୍ଲବ୍ର ଏକମାତ୍ର ଭାରତୀୟ। ସର୍ବକାଳୀନ ତାଲିକାରେ ସେ ସେନ୍ ୱର୍ନ (୭୦୮)ଙ୍କ ତଳକୁ ତୃତୀୟରେ ରହିଛନ୍ତି।
୩-ସେନ୍ ୱର୍ନ: ୧୦୮ ମ୍ୟାଚ୍
ଅଷ୍ଟ୍ରେଲିଆର ମହାନ ବୋଲର ସେନ୍ ୱର୍ନଙ୍କ ଟେଷ୍ଟ୍ ଜୀବନ ଏକ ପରୀ କାହାଣୀ ଭଳି ରୋଚକ ଓ ଉତ୍କଣ୍ଠାପୂର୍ଣ୍ଣ। ‘ବଲ୍ ଅଫ୍ ଦ ସେଞ୍ଚୁରି’ ସହିତ ସେ ୧୪୫ ଟେଷ୍ଟ୍ରୁ ଦଖଲ କରିଛନ୍ତି ୭୦୮ ୱିକେଟ୍। ସର୍ବକାଳୀନ ତାଲିକାରେ ଦ୍ବିତୀୟରେ ରହିଥିଲେ ମଧ୍ୟ ଦ୍ରୁତତମ ତାଲିକାରେ (୧୦୮ ମ୍ୟାଚ୍) ତୃତୀୟରେ ରୁହନ୍ତି। କର୍ଟନି ୱାଲ୍ସଙ୍କ ପରେ କିନ୍ତୁ ଦ୍ବିତୀୟ ବୋଲର୍ ଭାବେ ଏହି କ୍ଲବ୍ରେ ପ୍ରବେଶ କରିଥିଲେ। ବିଶ୍ବବ୍ୟାପୀ ସମସ୍ତ ପଡିଆରେ ସେ ବ୍ୟାଟସମ୍ୟାନ୍ଙ୍କ ପାଇଁ ଭୟ ସଞ୍ଚାର କରିବାରେ ଅନ୍ୟତମ ବୋଲର ଥିଲେ। ଗଲ୍ ଟେଷ୍ଟ୍ରେ ହାସନ୍ ତିଲକରତ୍ନେଙ୍କୁ ନିଜର ୫୦୦ତମ ଶିକାର କରିଥିଲେ। ନିଜ ଖେଳ ଜୀବନରେ ୩୭ ଥର ୫ ୱିକେଟ୍ ଏବଂ ୧୦ ଥର ଦଶ ୱିକେଟ୍ ସଫଳତା ଅର୍ଜନ କରିଥିଲେ।
୪-ଗ୍ଲେନ୍ ମ୍ୟାକଗ୍ରା: ୧୧୦ ମ୍ୟାଚ୍
ନିଜ ଖେଳ ଜୀବନସାରା ପ୍ରତିପକ୍ଷ ଶିବିରରେ ଆତଙ୍କ ଖେଳାଇଥିବା ପ୍ରଭାବୀ ଦ୍ରୁତ ବୋଲର ଥିଲେ ଗ୍ଲେନ୍ ମ୍ୟାକଗ୍ରା। ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ବୋଲର ଭାବେ ୧୨୪ ଟେଷ୍ଟ୍ରୁ ନେଇଥିଲେ ୫୬୩ ୱିକେଟ୍। ସେନ୍ ୱର୍ନଙ୍କ ପରେ ସେ ସଫଳତମ ଅଷ୍ଟ୍ରେଲୀୟ ବୋଲର୍। କର୍ଟନି ୱାଲ୍ସଙ୍କ ପରେ ସେ ଦ୍ବିତୀୟ ଦ୍ରୁତତମ ବୋଲର ଭାବେ ୫୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଲର୍ଡସରେ ନିଜର ୧୧୦ତମ ଟେଷ୍ଟ୍ରେ ମାର୍କସ ଟ୍ରେସ୍କୋଥିକଙ୍କୁ ଆଉଟ୍ କରି ଏହି କ୍ଲବ୍ରେ ଯୋଗ ଦେଇଥିଲେ। ଏହାର ୧୪ ମ୍ୟାଚ୍ ପରେ ତାଙ୍କ ୧୪ ବର୍ଷର କ୍ରିକେଟ୍ ଜୀବନ ଶେଷ ହୋଇଥିଲା।
୫-କର୍ଟନି ୱାଲ୍ସ ଓ ଜେମ୍ସ ଆଣ୍ଡରସନ୍: ୧୨୯ ମ୍ୟାଚ୍
୫୦୦ ଟେଷ୍ଟ୍ ୱିକେଟ୍ କ୍ଲବ୍ର ପ୍ରତିଷ୍ଠାତା ହେଉଛନ୍ତି ୱେଷ୍ଟଇଣ୍ଡିଜ୍ ମହାନ କର୍ଟନୀ ୱାଲ୍ସ। ନିଜର ଗତି ଓ ସଠିକତାରେ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାହତ କରୁଥିଲେ ୱାଲ୍ସ। ୧୭ ବର୍ଷର ଖେଳ ଜୀବନରେ ୧୩୨ ଟେଷ୍ଟ୍ରୁ ୫୧୯ ୱିକେଟ୍ ନେଇଥିଲେ। ୧୨୯ତମ ଟେଷ୍ଟ୍ରେ ୫୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ସମାନ ସଂଖ୍ୟକ ମ୍ୟାଚ୍ରୁ ମଧ୍ୟ ଏହି ବିରଳ କ୍ଲବ୍ରେ ରହିଥିଲେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍। ୱାଲ୍ସ ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏବଂ ଆଣ୍ଡରସନ୍ ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ଅର୍ଜନ କରିଥିଲେ। ଏକମାତ୍ର ସକ୍ରିୟ ଖେଳାଳି ଭାବେ ଆଣ୍ଡରସନ୍ ଏବେ ୧୫୧ ଟେଷ୍ଟ୍ରୁ ୫୮୪ ୱିକେଟ୍ ନେଇ ସର୍ବକାଳୀନ ତାଲିକାରେ ଚତୁର୍ଥରେ ରହିଛନ୍ତି। ୱାଲ୍ସ ଏହି ତାଲିକାର ଷଷ୍ଠରେ ରହିଛନ୍ତି।