ଟ୍ବେଣ୍ଟି-୨୦ରେ ଦ୍ରୁତତମ ୬୦୦୦ ରନ୍‌: କୋହଲିଙ୍କୁ ଟପିଲେ ରାହୁଲ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର୍‌ ତଥା ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଅଧିନାୟକ କେଏଲ୍‌ ରାହୁଲ ୭ ମ୍ୟାଚ୍‌ରୁ ୨୬୫ ରନ୍‌ କରିସାରିଛନ୍ତି। ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଦଳ ହାରିଯାଇଥିଲା ବେଳେ ରାହୁଲ ୨୪ ବଲ୍‌ରୁ ୩୦ ରନ୍‌ କରିଥିଲେ। ହେଲେ ଏହି ପାଳି ଅବସରରେ ସେ ଏକ ମାଇଲଖୁଣ୍ଟ ଛୁଇଁଥିଲେ। ସେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୬୦୦୦ ରନ୍‌ ପୂରଣ କରିଥିଲେ। ଆଉ ଏକ୍ଷେତ୍ରରେ ସେ ବିରାଟ କୋହଲିଙ୍କୁ ଟପି ଦ୍ରୁତତମ ଭାରତୀୟ ସାବ୍ୟସ୍ତ ହୋଇଥିଲେ। ରାହୁଲ ୬୦୦୦ ରନ୍‌ ପୂରଣ କରିବାକୁ ୧୬୬ ପାଳି ଖେଳିଥିଲା ବେଳେ କୋହଲି ୧୮୪ ପାଳି ନେଇଥିଲେ। ଏହି ଦୁଇ ଜଣଙ୍କ ପଛକୁ ଶିଖର ଧାୱନ୍‌ (୨୧୩ ପାଳି) ତୃତୀୟ ଭାରତୀୟ ରହିଛନ୍ତି। ପୁଣି ମୋଟ ଉପରେ ସେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ପରେ ତୃତୀୟ ଦ୍ରୁତତମ କୀର୍ତ୍ତିମାନ ରଚିଛନ୍ତି। ଅନ୍ୟପକ୍ଷରେ ଗେଲ୍‌ (୧୬୨ ପାଳି) ଏବଂ ବାବର (୧୬୫ ପାଳି) ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ସନ୍‌ ମାର୍ସ (୧୮୦ ପାଳି) କୋହଲିଙ୍କ ଉପରେ ଚତୁର୍ଥରେ ରହିଛନ୍ତି।

ସମ୍ବନ୍ଧିତ ଖବର