ନୂଆଦିଲ୍ଲୀ: ବିଶ୍ବ ଫୁଟ୍ବଲ୍ ସଂସ୍ଥା (ଫିଫା) ସୋମବାର ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ (ଭାରତ ୨୦୨୨)ର ଅଫିସିଆଲ୍ ମାସ୍କଟ ‘ଈଭା’ ସୋମବାର ଉନ୍ମୋଚନ କରିଛି। ମାସ୍କଟ ‘ଇଭା’ ଏସୀୟ ସିଂହୀର ପ୍ରତୀକ। ଯାହା ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦର୍ଶାଉଛି। ଫିଫା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଈଭା’ର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତ ଓ ସାରା ବିଶ୍ବର ମହିଳା ଓ ବାଳିକାଙ୍କ ଅନ୍ତର୍ନିହିତ ଗୁଣକୁ ସମ୍ମୁଖକୁ ଆଣିବା। ଏହି ଅବସରରେ ଏକ ଭିଡିଓ ମଧ୍ୟ ଉନ୍ମୋଚିତ ହୋଇଛି। ଏହି ଭିଡିଓଟି ଓଡ଼ିଶାର କୋଣାର୍କ ମନ୍ଦିରରେ ସୁଟିଂ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘‘ଈଭା ହେଉଛି ଦୃଢ଼, ଖେଳୁଆଡ଼ ଏବଂ ଆର୍କଷଣୀୟ ଏସୀୟ ସିଂହୀ। ଏହାର ମୁଖ୍ୟ ଲକ୍ଷ୍ୟ ଟିମ୍ୱାର୍କ, ନମନୀୟତା, ଦୟାବାନ ଓ ସଶକ୍ତିକରଣକୁ ବ୍ୟବହାର କରି ମହିଳା ଓ ବାଳିକାଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରାଇବା। ଈଭା ମଧ୍ୟ ସାରା ବିଶ୍ବର ପ୍ରଶଂସକଙ୍କୁ ଆଗାମୀ ବର୍ଷ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍କୁ ଆକର୍ଷିତ କରିବ’’ ବୋଲି ଫିଫାର ମୁଖ୍ୟ ମହିଳା ଫୁଟ୍ବଲ୍ ଅଧିକାରୀ ସରାଇ ବାରେମାନ କହିଛନ୍ତି। ‘‘ଅଫିସିଆଲ୍ ମାସ୍କଟ ‘ଈଭା’ର ଉନ୍ମୋଚନ ହେବା ଫିଫା ୧୭ ବର୍ଷରୁ କମ୍ ବିଶ୍ବକପ୍ ଭାରତ ୨୦୨୨ ଆୟୋଜନ ରାସ୍ତାରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଲା’’ ବୋଲି ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ସଭାପତି ଏବଂ ସ୍ଥାନୀୟ ଆୟୋଜକ ସମିତି (ଏଲ୍ଓସି)ର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଏହି ପ୍ରତିଯୋଗିତା ଭାରତରେ ଆସନ୍ତା ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।