ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ୍ ଆଜିଠୁ: ବ୍ରିସବେନ୍‌ ବାଜିରେ ‘ବର୍ଡର-ଗାଭାସ୍କର ଟ୍ରଫି’

ଏକାଧିକ ମାଇଲଖୁଣ୍ଟ ଅପେକ୍ଷାରେ ବ୍ରିସ୍‌ବେନ୍‌ ଟେଷ୍ଟ୍‌

ବ୍ରିସବେନ୍, ୧୪ା୧: ଆହତ ଶରୀର ଏବଂ ପ୍ରମୁଖ ତାରକାଙ୍କ ଅନୁପସ୍ଥିତି ସତ୍ତ୍ବେ ଅଭୁଲା ଅମୀମାଂସିତ ହାସଲ କରି ସିଡ୍‌ନିରେ ଘରୋଇ ଅଷ୍ଟ୍ରେଲିଆର ଆତ୍ମବଡ଼ିମାକୁ ଭାଙ୍ଗି ଚୁରମାର କରିଦେଇଥିବା ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନ୍‌ରେ ଆଉ ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ, ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଖେଳିବା ନ ଖେଳିବାର ଆଶା ଓ ଆଶଙ୍କା ଭିତରେ ଗସ୍ତର ସବୁଠାରୁ ଜୀବନ୍ତ, ଉଚ୍ଛାଳ ଭରା ଏବଂ ଆହ୍ବାନପୂର୍ଣ୍ଣ ସ୍ଥାନୀୟ ଗାବା ପିଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ଘାଇଲା ସେନା‌ ଶୁକ୍ରବାରଠାରୁ ଶେଷ ଟେଷ୍ଟ୍ ଖେଳିବାକୁ ଯାଉଛି। ବାଜିରେ ରହିଛି ଚର୍ଚିତ ବର୍ଡର-ଗାଭାସ୍କର ଟ୍ରଫି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ଶୃଙ୍ଖଳା ଜିତିଥିବାରୁ ଭାରତକୁ ଏହି ଆକର୍ଷଣୀୟ ଟ୍ରଫିକୁ ନିଜ ପାଖରେ ରଖିବା ଲାଗି କେବଳ ଆଉ ଏକ ଅମୀମାଂସିତର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ହାତରୁ ବର୍ଡର-ଗାଭାସ୍କର ଟ୍ରଫି ଛଡ଼ାଇନେବା ଲାଗି ଘରୋଇ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ତେବେ ଗାବାରେ କଙ୍ଗାରୁ ସେନାର ୩୨ ବର୍ଷର ଅପରାଜେୟ ଧାରାକୁ ଭାଙ୍ଗିପାରିଲେ ଅଷ୍ଟ୍ରେଲିଆ ମାଟିରେ ଲଗାତାର ଶୃଙ୍ଖଳା ଜିତିବାର ଅନନ୍ୟ ଓ ଅସାଧାରଣ ଗୌରବ ହାସଲ କରିବ ଭାରତ। ପୂର୍ବ ରେକର୍ଡ କିନ୍ତୁ ଭାରତ ସପକ୍ଷରେ ନାହିଁ। ଏଠାରେ ୬ ଟେଷ୍ଟ୍ ଖେଳି ୫ଟିରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ। ୨୦୦୩ରେ ଏଠାରେ ଖେଳିଥିବା ଟେଷ୍ଟ୍‌କୁ ପ୍ରଥମ ଓ ଶେଷ ଥର ପାଇଁ ଅମୀମାଂସିତ ରଖିପାରିଥିଲା ଭାରତ। ସେପଟେ ୨୦୧୨ ମସିହା ପରଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ପ୍ରଥମ ଥର ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ଶେଷ ଟେଷ୍ଟ୍ ଖେଳିବ। ଗାବାରେ ଯେଉଁ ଦଳ ଉଚିତ ନମନୀୟତା ଏବଂ ସନ୍ତୁଳନ ଦେଖାଇବ, ସେ ହିଁ ବାଜି ମାରିନେବ। ବାଉନ୍ସି ପିଚ୍‌ରେ ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ଅଗ୍ନିବର୍ଷୀ ବୋଲିଂ ଭାରତୀୟ ବ୍ୟାଟର୍‌ଙ୍କୁ ବରାବର ପରୀକ୍ଷାରେ ପକାଇବ। ଭାରତୀୟ ବୋଲିଂ ତୁଳନାତ୍ମକ ଭାବେ ଅନଭିଜ୍ଞ ଥିବାରୁ ଅଷ୍ଟ୍ରେଲିଆ ଏଥିଲାଗି ଫାଇଦା‌ରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହତ ଜର୍ଜରିତ ଭାରତୀୟ କ୍ରିକେଟ୍ ଦଳ ବ୍ରିସ୍‌ବେନ୍‌ର ପ୍ରତୀକ୍ଷିତ ଲଢ଼େଇ ପାଇଁ ସମ୍ଭବତଃ ଜୋରଦାର ପ୍ରସ୍ତୁତି କରିପାରିନି। ଆଘାତପ୍ରାପ୍ତ ଖେଳାଳିଙ୍କ ଲମ୍ବା ତାଲିକା ବି ଦଳର ଅନ୍ୟତମ ନକାରାତ୍ମକ ଦିଗ ଭାବେ ଉଭା‌ ହୋଇଛି। ବୁମ୍‌ରା ଓ ଅଶ୍ବିନଙ୍କୁ ନେଇ ଗୁରୁବାର ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ନମିଳିବା କିନ୍ତୁ ଦଳକୁ ଦ୍ବନ୍ଦ୍ବରେ ପକାଇଛି। ସେଥିପାଇଁ ଏହି ଟେଷ୍ଟ୍ ଲାଗି ଗୁରୁବାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା ଭାରତ ଏହାକୁ ମ୍ୟାଚ୍‌ ଦିନ ଅର୍ଥାତ୍ ଶୁକ୍ରବାରକୁ ଟାଳିଛି। ଡାକ୍ତରମାନେ ବୁମ୍‌ରାଙ୍କ ଉପରେ ବିଶେଷ ନଜର ରଖିଛନ୍ତି। ଉଭୟ ଅଶ୍ବିନ ଓ ବୁମ୍‌ରାଙ୍କୁ ନେଇ ଅନ୍ତିମ ନିଷ୍ପତ୍ତି ମ୍ୟାଚ୍‌ର ଠିକ୍ ପୂର୍ବରୁ ନିଆଯିବ ବୋଲି ଦଳ ସଙ୍କେତ ଦେଇଛି। ପ୍ରତିପକ୍ଷ ଅଷ୍ଟ୍ରେଲିଆ କିନ୍ତୁ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଦେଇଛି। ବୁମ୍‌ରା ଓ ଅଶ୍ବିନ ଫିଟ୍ ନହେଲେ ସାର୍ଦୁଲ ଠାକୁର ଏବଂ ୱାସିଂଟନ୍ ସୁନ୍ଦର କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ବ୍ରିସ୍‌ବେନ୍‌ରେ ଖେଳିବା ସୁଯୋଗ ପାଇବେ। ସେପଟେ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନଙ୍କ ପାଇଁ ବ୍ରିସ୍‌ବେନ୍ ଟେଷ୍ଟ୍ ମାଇଲଖୁଣ୍ଟ ମ୍ୟାଚ୍ ହେବ। ଆସନ୍ତାକାଲି ସେ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଶତକୀୟ ଟେଷ୍ଟ୍ ଖେଳିବେ। ଏଥିରେ ତାଙ୍କୁ ୪୦୦ ୱିକେଟ୍ ପୂରଣ କରିବାର ସୁଯୋଗ ରହିବ। ସ୍ପିନର ଲାୟନ ସଂପ୍ରତି ୯୯ ଟେଷ୍ଟ୍ ଖେଳି ୩୯୬ ୱିକେଟ୍ କରାୟତ୍ତ କରିଛନ୍ତି।

ଅଷ୍ଟ୍ରେଲିଆ ଏକାଦଶ: ଟିମ୍ ପେନ୍ (ଅଧିନାୟକ), ଡେଭିଡ୍ ୱାର୍ନର, ମାର୍ନସ ଲାବୁସେନ, ମାର୍କସ ହାରିସ୍, ଷ୍ଟିଭେନ୍ ସ୍ମିଥ୍, ମାଥ୍ୟୁ ୱେଦ୍, କ୍ୟାମେରନ୍ ଗ୍ରିନ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ ଭାରତ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ଋଦ୍ଧିମାନ ସାହା/ମୟଙ୍କ ଅଗ୍ରୱାଲ, ଋଷବ ପନ୍ତ, ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍‌ରା/ସାର୍ଦୁଲ ଠାକୁର/ଟି ନଟରାଜନ, ରବିଚନ୍ଦ୍ରନ୍‌ ଅଶ୍ବିନ, ନଭଦୀପ ସୈନି, ୱାସିଂଟନ ସୁନ୍ଦର/କୁଲ୍‌ଦୀପ ଯାଦବ।

ଏକାଧିକ ମାଇଲଖୁଣ୍ଟ ଅପେକ୍ଷାରେ ବ୍ରିସ୍‌ବେନ୍‌ ଟେଷ୍ଟ୍‌

 ଚେତେଶ୍ବର ପୂଜାରା ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ୍‌ ପୂର୍ଣ୍ଣଠାରୁ ୮୮ ରନ୍ ଦୂରରେ ରହିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ କିନ୍ତୁ ସେ ୨୦୦୦ ରନ୍ ପୂର୍ଣ୍ଣ କରିବାଠାରୁ ୧୮୮ ରନ୍‌ ଦୂରରେ ଅଛନ୍ତି। ମୋଟ ଉପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସୌରାଷ୍ଟ୍ର ବ୍ୟାଟ୍ସମ୍ୟାନ୍‌ ୧୯ ଟେଷ୍ଟ୍ ଓ ୩୫ ପାଳିରୁ ୫୪.୯୦ ହାରରେ ୫ ଶତକ ଓ ୯ ଅର୍ଦ୍ଧଶତକ ସହିତ ୧୮୧୨ ରନ୍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆରେ କିନ୍ତୁ ସେ ୧୯ ପାଳିରୁ ୯୧୨ ରନ୍ କରିଛନ୍ତି।
 କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ୍‌ ପୂରଣର ସୁଯୋଗ ପାଇବେ। ତାଙ୍କୁ କିନ୍ତୁ ୧୭୭ ରନ୍ ସଂଗ୍ରହ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆରେ ସେ ୧୧ ଟେଷ୍ଟ୍‌ ତଥା ୨୧ ପାଳିରୁ ୮୨୩ ରନ୍ ସଂଗ୍ରହ କରିଛନ୍ତି। ବିଦେଶ ମାଟିରେ ରାହାଣେ ୩,୦୦୦ ରନ୍‌ ମାଇଲଖୁଣ୍ଟଠାରୁ ମାତ୍ର ୮୩ ରନ୍ ଦୂରରେ ରହିଛନ୍ତି। ବିଦେଶରେ ୪୧ ଟେଷ୍ଟ୍‌ ୭୩ ପାଳିରୁ ସେ ଅଦ୍ୟାବଧି ୨୯୧୭ ରନ୍‌ ସଂଗ୍ରହ କରିଛନ୍ତି। ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ରେ ରାହାଣେ ୧୦୦୦ ରନ୍‌ ପୂରଣ ଲାଗି ଆଉ ୭୮ ରନ୍ ଆବଶ୍ୟକ କରୁଛନ୍ତି।
 ରୋହିତ ଶର୍ମା ବିଦେଶରେ ୧୦୦୦ ଟେଷ୍ଟ୍‌ ରନ୍‌ ପୂର୍ଣ୍ଣ କରିବା ଲାଗି ଆଉ ୧୦୬ ରନ୍ ଆବଶ୍ୟକ କରୁଛନ୍ତି। ବିଦେଶ ଗସ୍ତରେ ସେ ୧୯ ଟେଷ୍ଟ୍‌ ଓ ୩୫ ପାଳିରୁ ୮୯୪ ରନ୍‌ ସଂଗ୍ରହ କରିଛନ୍ତି।
 ରବିଚନ୍ଦ୍ରନ୍‌ ଅଶ୍ବିନ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦ ୱିକେଟ୍ ପୂର୍ଣ୍ଣ କରିବାଠାରୁ ୧୧ ୱିକେଟ୍ ଦୂରରେ ରହିଛନ୍ତି।
 ବ୍ରିସବେନ୍‌ରେ ନାଥନ୍ ଲାୟନ୍ ନିଜ ୧୦୦ତମ ଟେଷ୍ଟ୍‌ ଖେଳିବେ। ୧୩ତମ ଅଷ୍ଟ୍ରେଲୀୟ ଭାବେ ଏହି ବିରଳ କ୍ଲବ୍‌ରେ ସାମିଲ ହେବେ। ଏହି ଅବସରରେ ଲାୟନ୍‌ ୪୦୦ ୱିକେଟ୍‌ କ୍ଲବ୍‌ରେ ପ୍ରବେଶ ସୁଯୋଗ ପାଇବେ। ୯୯ ଟେଷ୍ଟରୁ ସେ ୩୯୬ ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି। ସେନ୍‌ ୱର୍ଣ୍ଣ (୭୦୮ ୱିକେଟ୍‌), ଗ୍ଲେନ୍ ମ୍ୟାଗ୍ରା (୫୬୩ ୱିକେଟ)ଙ୍କ ପରେ ଲାୟନ୍ ଏବେ ଅଷ୍ଟ୍ରେଲିଆର ତୃତୀୟ ଅଗ୍ରଣୀ ବୋଲର ରହିଛନ୍ତି।
 ଭାରତ ବିପକ୍ଷରେ ୫୦ ୱିକେଟ୍ ନେବା ପାଇଁ ଜୋସ୍ ହାଜେଲଉଡ୍‌ଙ୍କୁ ୫ ୱିକେଟ୍ ଆବଶ୍ୟକ ପଡୁଛି। ୧୪ ଟେଷ୍ଟରୁ ସେ ୪୫ ୱିକେଟ୍ ନେଇସାରିଛନ୍ତି। ସମାନ ମାଇଲଖୁଣ୍ଟ୍ ପାଇଁ ମିଚେଲ୍‌ ଷ୍ଟାର୍କଙ୍କୁ କିନ୍ତୁ ୧୦ ୱିକେଟ୍‌ ଆବଶ୍ୟକ ପଡୁଛି। ସେ ଭାରତ ବିପକ୍ଷରେ ୧୪ ଟେଷ୍ଟ୍ ଖେଳି ୪୦ ୱିକେଟ୍ ନେଇଛନ୍ତି।
 ଅଷ୍ଟ୍ରେଲିଆ ଅଧିନାୟକ ଭାବେ ଟିମ୍ ପେନ୍‌ ୧୦୦୦ ରନ୍‌ ପୂର୍ଣ୍ଣ ଲାଗି ୧୬୮ ରନ୍ ଆବଶ୍ୟକ କରୁଛନ୍ତି। ଅଧିନାୟକ ପେନ୍‌ ଅଦ୍ୟାବଧି ୨୨ ଟେଷ୍ଟ୍‌ ଓ ୩୫ ପାଳିରୁ ୮୩୨ ରନ୍ ସଂଗ୍ରହ କରିଛନ୍ତି।

 

ସମ୍ବନ୍ଧିତ ଖବର