କଟକ: ବାରବାଟୀରେ ଭାରତ ବିପକ୍ଷ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ରହିବ। ଭାରତ ଏକ ଲଢୁଆ ଦଳ। ତେଣୁ ଏହି ଦଳ ବିପକ୍ଷରେ ପ୍ରତ୍ୟେକ ମ୍ୟାଚ୍ ଜିତିବା କଷ୍ଟକର ହେବ। ତଥାପି ଦିଲ୍ଲୀରେ ମ୍ୟାଚ୍ ଜିତିଥିବାରୁ ଆତ୍ମବିଶ୍ବାସ ବଢିଥିବା ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର େଵନ ପାର୍ନେଲ କହିଛନ୍ତି। ବାରବାଟୀରେ ସେ ପ୍ରଥମ ଥର ଅଭ୍ୟାସ କରିବା ଅବସରରେ ଏଠାକାର ପରିବେଶକୁ ଦିଲ୍ଲୀଠାରୁ ଭିନ୍ନ ବୋଲି କହିଥିଲେ। ତାଙ୍କ ଅନୁଯାୟୀ, ଦିଲ୍ଲୀ ଅପେକ୍ଷା ବାରବାଟୀର ପରିବେଶ ଅଲଗା। ତଥାପି ନୂଆ ପରିବେଶ ଓ ପରିସ୍ଥିତିକୁ ଗ୍ରହଣ କରିବାକୁ ହେବ। ଟ୍ବେଣ୍ଟି-୨୦ରେ ଅଧିକା˚ଶ ପିଚ୍ ବ୍ୟାଟି˚କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଉଛି। ବାରବାଟୀ ପିଚ୍ରେ ଘାସ ଦେଖାଯାଉଛି। ନୂଆବଲ୍ରେ ବି ଭଲ ସୁଇ˚ ହେବ। ତେଣୁ ଆରମ୍ଭରୁ ଅଧିକ ରନ୍ ବାହାର କରିବାକୁ ପଡ଼ିବ ବୋଲି ପାର୍ନେଲ ମତ ରଖିଛନ୍ତି। ଟସ୍ ଉପରେ ସେ କହିଛନ୍ତି ଯେ ଭାରତରେ ସବୁବେଳେ ଟସ୍ ଗୁରୁତ୍ବପୂର୍ଣ୍ଣ ରହିବ। ତଥାପି ଆମକୁ ଉଭୟ ବ୍ୟାଟି˚ ଓ ବୋଲି˚ରେ ଭଲ ପ୍ରଦର୍ଶନ କରିବାକୁ ହେବ।
ଏଠାରେ ପ୍ରଥମ ୧୦ ଓଭର ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ଓଭରଗୁଡ଼ିକରୁ ଅଧିକରୁ ଅଧିକ ରନ୍ କରିପାରିଲେ ଦ୍ବିତୀୟାର୍ଦ୍ଧ ଆମକୁ ସହଜ ହୋଇଯିବ। ଦିଲ୍ଲୀ ମ୍ୟାଚ୍ରେ ଦଳର ପ୍ରଦର୍ଶନକୁ ସେ ପ୍ରଶ˚ସା କରି କହିଛନ୍ତି, ପ୍ରଥମ ମ୍ୟାଚ୍ରେ ଆମ ପିଲାମାନେ ଭଲ ଖେଳିଲେ। ବିଶେଷକରି ଡେଭିଡ ମିଲର ଓ ଭାନ୍ ଡର ଡସନ ଚମତ୍କାର ପ୍ରଦର୍ଶନ କରିଥିଲେ। ତଥାପି ରବିବାର ସନ୍ଧ୍ୟାରେ ପିଚ୍ର ବ୍ୟବହାର କେମିତି ହେଉଛି, ତାହା ଦେଖିବାକୁ ପଡ଼ିବ। ନିକଟରେ ଶେଷ ହୋଇଥିବା ଆଇପିଏଲ୍ରେ ଦଳର କିଛି ଖେଳାଳି ଖେଳିଥିବାରୁ ସେମାନେ ମଧ୍ୟ ଲୟରେ ଅଛନ୍ତି। କିନ୍ତୁ ସେମାନେ ଜୈବ ବଳୟରେ ଅଧିକ ସମୟ ବିତାଇଛନ୍ତି। ସେମାନଙ୍କୁ ମାନସିକ ଭାବେ ସୁସ୍ଥ ହେବାକୁ ପଡୁଥିବା ପାର୍ନେଲ କହିଛନ୍ତି। ତେବେ ବାରବାଟୀର ପାଣିପାଗ ପାର୍ନେଲଙ୍କୁ ଶ୍ରୀଲଙ୍କାର ଉପକୂଳର ଅନୁଭବ କରାଉଥିବା ସେ କହିଛନ୍ତି। ଦିଲ୍ଲୀ ପରିବେଶ ଶୁଖିଲା ଥିଲା। କିନ୍ତୁ ଏଠାରେ ଚାରିଆଡେ଼ ସବୁଜମୟ ବାତାବରଣ ଅଛି। ଗୁଳୁଗୁଳି ଲାଗୁଥିବାରୁ ରବିବାର ସନ୍ଧ୍ୟାବେଳେ ବହୁତ ଝାଳ ବୁହାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।