ଭୁବନେଶ୍ବର: ବିଭିନ୍ନ ଖେଳର ବରିଷ୍ଠ ବର୍ଗରେ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିଥିବା ଓଡ଼ିଶାର ପ୍ରଥମ ତଥା ଏକମାତ୍ର ଖେଳାଳିମାନଙ୍କୁ ନେଇ ‘ସମ୍ବାଦ’ ପକ୍ଷରୁ ଜୁଲାଇ ୧୫ ତାରିଖରେ ୫୩ ଜଣ ଖେଳାଳିଙ୍କ ୫୪ଟି ଉଦାହରଣ ଉପସ୍ଥାପିତ କରାଯାଇଥିଲା। ଏହି ଶ୍ରେଣୀଭୁକ୍ତ ଥିବା ଆଉ କିଛି ଖେଳାଳିଙ୍କୁ ନେଇ ଦ୍ବିତୀୟ ଭାଗରେ ଆମେ ୧୦ ଜଣଙ୍କୁ ସ୍ଥାନିତ କରିବା ଉଚିତ ମଣିଛୁ।
ଜାତୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ (୧୯୯୦, ବମ୍ବେ) ଏବଂ ବିଶ୍ବକପ୍ କରାଟେ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ (୧୯୯୭, ମାନିଲା, ଫିଲିପାଇନ୍ସ) କରିବାରେ ପ୍ରଥମ ଓଡ଼ିଆ: ଏସ୍ ସୁଜାତା।
ଥାଇଲାଣ୍ଡ୍ ଓପନ୍ ବିଶ୍ବ ମାନ୍ୟତା ଜୁ ଜିତସୁ (୨୦୧୮) ଏବଂ ବିଶ୍ବ ମାର୍ଶାଲ୍ ଆର୍ଟ ମାଷ୍ଟରସିପ୍ ଜୁ ଜିତସୁ ପ୍ରତିଯୋଗିତା (୨୦୧୯, ଦକ୍ଷିଣ କୋରିଆ)ରେ କାଂସ୍ୟ ପଦକ ବିଜେତା ପ୍ରଥମ ଓଡ଼ିଆ: ଅନୁପମା ସ୍ବାଇଁ।
ବିଶ୍ବ ବଂଧୁକଚାଳନା ପ୍ରତିଯୋଗିତାରେ (୨୦୧୦, ଜର୍ମାନି) ଭାରତର ପ୍ରତିନିଧିତ୍ବ ଏବଂ ଏସୀୟ (୨୦୧୧, କୁଏତ, ସ୍ବର୍ଣ୍ଣ ଓ ୨୦୧୨, ଦୋହା, ରୌପ୍ୟ) ବଂଧୁକଚାଳନାରେ ପଦକ ବିଜେତା ପ୍ରଥମ ଓଡ଼ିଆ: ଶ୍ରୀୟଙ୍କା ଷଡ଼ଙ୍ଗୀ।
ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ମାରାଥନ୍ ପଦକ ବିଜେତା (୧୯୭୫, ଜୟପୁର ଏବଂ ୧୯୮୧, ବାଙ୍ଗାଲୋର, ଉଭୟ ଥର ରୌପ୍ୟ) ଏବଂ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ମାରାଥନ୍ର: ଡକ୍ଟର ବିବେକାନନ୍ଦ ତ୍ରିପାଠୀ।
ଭାରତୀୟ ଫୁଟ୍ବଲ୍ ଦଳର ସଦସ୍ୟ ଭାବେ ବିଦେଶ ଗସ୍ତ ଓ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରତିନିଧିତ୍ବ (୧୯୯୫) କରିବାରେ ପ୍ରଥମ ଓଡ଼ିଆ: ଗୋଲକ ସାମଲ (ବୁଲୁ)।
ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ (ସତୁରି ଦଶକ, ପ୍ୟାରିସ୍, ଫ୍ରାନ୍ସ) ଏବଂ ୪୦୦ ଓ ୮୦୦ ମିଟର୍ରେ ଜାତୀୟ ରୌପ୍ୟ ପଦକ ବିଜୟିନୀ ପ୍ରଥମ ଓଡ଼ିଆ (୧୯୭୬, ୧୯୭୭): ଆନନ୍ଦିନୀ ଦର୍ଜୀ।
ପ୍ରଥମ ଓଡ଼ିଆ ଭାବେ ଭାରତୀୟ କନିଷ୍ଠ (ଲଣ୍ଡନ୍, ୨୦୧୮) ଓ ବରିଷ୍ଠ ହ୍ୟାଣ୍ଡବଲ୍ (ତାସକେଣ୍ଟ, ୨୦୧୯ ଓ ରୌପ୍ୟ) ଦଳରୁ ପ୍ରତିନିଧିତ୍ବ ଓ ପଦକ ବିଜେତା: ଆର୍ଯ୍ୟନ ବ୍ରାହ୍ମୀନ।
ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍) ଦ୍ବାରା ଶ୍ରେଷ୍ଠ ମହିଳା ଫୁଟ୍ବଲ୍ ଖେଳାଳି-୨୦୧୬ ଭାବେ ପୁରସ୍କୃତ ପ୍ରଥମ ଓଡ଼ିଆ: ସସ୍ମିତା ମଲ୍ଲିକ।
ପ୍ରଥମ ଓଡ଼ିଆ ଭାବେ ୧୯୭୬ ମସିହାରେ ମିଷ୍ଟର୍ ଇଣ୍ଡିଆ ମୁକୁଟ ବିଜେତା (୭ ଥର), ୧୯୭୫ରେ ସିଙ୍ଗାପୁରଠାରେ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ (୫ ଥର) ଏବଂ ୧୯୮୨ରେ ବେଲଜିୟମ୍ରେ ମିଷ୍ଟର୍ ୟୁନିଭର୍ସ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ (୩ ଥର): ଲଳିତ କୁମାର ଅଧିକାରୀ।
ବିଶ୍ବ ଟେନିକଏଟ୍ରେ ଭାରତୀୟ ଦଳର ପ୍ରତିନିଧିତ୍ବ ଏବଂ କାଂସ୍ୟ ପଦକ ବିଜୟୀ (ବର୍ଲିନ, ୨୦୧୦) ପ୍ରଥମ ଓଡ଼ିଆ: ସୁଜାତା ସିହ୍ନା।