ବର୍ମିଂହାମ : ଋଷଭ ପନ୍ତ୍ଙ୍କ ବିସ୍ଫୋରକ ଶତକ (୧୪୬, ୧୧୧ ବଲ୍, ୨୦ ଚୌକା, ୪ ଛକା) ଏବଂ ରବୀନ୍ଦ୍ର ଜାଦେଜା (୮୩*, ୧୬୩ ବଲ୍, ୧୦ ଚୌକା)ଙ୍କ ସହ ଦ୍ବିଶତକ (୨୨୨) ଭାଗୀଦାରି ବଳରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ବାହାରି ଦୃଢ଼ ସ୍ଥିତି ଆଡ଼କୁ ମୁହାଁଇଛି। ଇଂଲଣ୍ଡ ବିପକ୍ଷ ଏହି ପଞ୍ଚମ ତଥା ଶେଷ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ବେଳକୁ ଭାରତ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଇଂଲଣ୍ଡ ବିପକ୍ଷରେ ନିଜ ତୃତୀୟ ଶତକ ହାସଲ କରିବା ପରେ ପନ୍ତ୍ ଆଉଟ୍ ହୋଇଥିବା ବେଳେ ଜାଦେଜା ଲଢ଼ିବା ଜାରି ରଖିଛନ୍ତି। ବର୍ଷା କାରଣରୁ ପ୍ରଥମ ଦିନର ଖେଳ ୭୩ ଓଭର ସମ୍ଭବ ହୋଇଛି। ରୁଟଙ୍କୁ ଛକା ମାରିବାର ପରବର୍ତୀ ବଲ୍ରେ ପନ୍ତ୍ ମିସ୍ ଟାଇମିଂ ସହ ସ୍ଲିପ୍ରେ କ୍ରଲିଙ୍କ ହାତରେ ଧରାପଡ଼ିଛନ୍ତି।
ଟସ୍ ଜିତି ଇଂଲଣ୍ଡ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଥର ନେତୃତ୍ବ ସୁଯୋଗ ପାଇଥିବା ଯଶପ୍ରୀତ୍ ବୁମରା ପ୍ରଥମ୍ ଟସ୍ ହାରିଥିଲେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶୁବମନ୍ ଗିଲଙ୍କ ସହ ଚେତେଶ୍ବର ପୂଜାରା ପାଳି ଆରମ୍ଭ କରିଥିଲେ। କିନ୍ତୁ ଉଭୟଙ୍କୁ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଅଡୁଆରେ ପକାଇବା ସହ ଆଉଟ୍ ମଧ୍ୟ କରିଦେଇଥିଲେ। ଉଭୟଙ୍କ କ୍ୟାଚ୍କୁ ସ୍ଲିପ୍ରେ ଜ୍ୟାକ୍ କ୍ରଲି ନେଇଥିଲେ। ଭାରତ ୨୦.୧ ଓଭର ବେଳକୁ ୫୩/୨ରେ ଥିବାବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିବା ସହ ଆଗୁଆ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ବିରତି ପରେ ଭାରତ ଆଉ ୩ ୱିକେଟ୍ ହରାଇ ଦେଇଥିଲା। ଅନ୍ୟତମ ଦ୍ରୁତ ବୋଲର ମ୍ୟାଟି ପଟ୍ସ ୩ ନମ୍ବର ବ୍ୟାଟର୍ ହନୁମା ବିହାରୀ (୨୦ ବଲ୍, ୫୩ ବଲ୍)ଙ୍କୁ ଏଲବିଡବୁଲ୍ୟ କରିଦେବା ପରେ ଭାରତ ୬୪/୩ରେ ସଂଘର୍ଷ କରିଥିଲା। ବିରାଟ କୋହଲିଙ୍କ ପ୍ରାଇଜ୍ ୱିକେଟ୍କୁ ମଧ୍ୟ ପଟ୍ସ ଦଖଲ କରିଥିଲେ। ଗତ ମାସରେ ୪ ପାଳିରେ କେନ୍ ୱିଲିୟମ୍ସନ୍ଙ୍କୁ ୩ ଥର ଆଉଟ୍ କରିଥିବା ପଟ୍ସ ଏବେ ଅନ୍ୟତମ ମହାନ ବ୍ୟାଟର୍ କୋହଲିଙ୍କୁ ନିଜ ଥଳିରେ ପକାଇଥିଲେ। କୋହଲି (୧୧ ରନ୍) ବଲ୍କୁ ଶେଷ ମୁହୂର୍ତରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଠିକଣା ଭାବେ ବ୍ୟାଟ୍କୁ ହଟାଇନପାରି ପ୍ଲେଡ୍ ଅନ୍ ବୋଲ୍ଡ ହୋଇଯାଇଥିଲେ। ଶ୍ରେୟସ ଆୟର୍ ପ୍ରଥମରୁ ଭଲ ଖେଳି ଚୌକା ଓ ଛକା ମାରିଥିଲେ ମଧ୍ୟ ଅଧିକ ସମୟ ରହିନଥିଲେ। ଜେମ୍ ଆଣ୍ଡରସନ୍ଙ୍କ ଲେଗ୍ ଷ୍ଟମ୍ପ୍ ବଲ୍ ତାଙ୍କ ବ୍ୟାଟ୍ ଛୁଇଁ ୱିକେଟରକ୍ଷକ ସାମ୍ ବିଲିଙ୍ଗସଙ୍କ ଗ୍ଲୋଭ୍ସକୁ ଚାଲିଯାଇଥିଲା। ଏଥି ସହ ଭାରତ ୯୮/୫ରେ ପୁଣି ସଂଘର୍ଷ କରି ବଡ଼ ବିପଦରେ ପଡ଼ିଥିଲା। ଏହି ସମୟରେ ଏକାଠି ହୋଇଥିଲେ ଭାରତର ଦୁଇ ବାମହାତୀ ବ୍ୟାଟର୍ ଋଷଭ ପନ୍ତ୍ ଓ ରବୀନ୍ଦ୍ର ଜାଦେଜା। ଚୌକା ମାରି ଅର୍ଦ୍ଧଶତକ ପୂର୍ଣ୍ଣ କରିଥିବା ପନ୍ତ୍ ବ୍ରଡ୍ଙ୍କଠାରୁ ୨ ରନ୍ ଚୋରାଇ ସ୍ମରଣୀୟ ଶତକ ହାସଲ କରିଥିଲେ। ଏତିକି ବେଳେ ରାହୁଲ ଦ୍ରାବିଡ଼ ସବୁଠୁ ଉଲ୍ଲସିତ ହେବା ବିରଳ ଦୃଶ୍ୟ ଥିଲା।
ରେକର୍ଡ ବହିରେ ପନ୍ତ୍
ଭାରତ ପାଳିର ତ୍ରାଣକର୍ତ୍ତା ସାଜିଥିବା ଯୁବ ୱିକେଟରକ୍ଷକ ବ୍ୟାଟର୍ ଋଷଭ ପନ୍ତ୍ କେବଳ ଶତକ ହାସଲ କରିନଥିଲେ ଏକାଧିକ କୀର୍ତ୍ତିମାନ ମଧ୍ୟ ତାଙ୍କ ନାମରେ ଯୋଡି ହୋଇଯାଇଥିଲା। ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ସେ ପ୍ରଥମ ଥର ଶତକ ହାସଲ କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏହା ମଧ୍ୟ ଥିଲା ତାଙ୍କ ଶତକ ନମ୍ବର ୫। ମାତ୍ର ୮୯ ବଲ୍ରୁ ପନ୍ତ୍ ଶତକ ପୂର୍ଣ୍ଣ କରିଥିଲେ। ଏସିଆ ବାହାରେ ଭାରତ ପାଇଁ ଏହା ଥିଲା ତୃତୀୟ ଦ୍ରୁତତମ ଶତକ। ୨୦୦୬ରେ ଗ୍ରସ୍ ଆଇସଲେଟ୍ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବୀରେନ୍ଦ୍ର ସେହବାଗ ୭୮ ବଲ୍ରୁ ଏବଂ ୧୯୯୦ରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ମହମ୍ମଦ ଆଝାରୁଦ୍ଦିନ୍ ୮୮ ବଲ୍ରୁ ଶତକ ପୂର୍ଣ୍ଣ କରି ଆଗରେ ରହିଛନ୍ତି। ସେହିଭଳି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୨ଟି ଶତକ ହାସଲ କରିବାରେ ପନ୍ତ୍ ଚତୁର୍ଥ ଭାରତୀୟ ୱିକେଟ୍ରକ୍ଷକ ହୋଇଥିଲେ। ୧୯୬୪ରେ ବୁଦ୍ଧି କୁନ୍ଦରନ, ୨୦୦୯ରେ ମହେନ୍ଦ୍ର ସିଂହ ଧୋନି, ୨୦୧୭ରେ ଋଦ୍ଧିମାନ ସାହା ଏଭଳି କରିଥିଲେ। ପନ୍ତ୍ କିନ୍ତୁ ଏହି ୪ ଜଣଙ୍କ ମଧ୍ୟରେ ଏକମାତ୍ର ଖେଳାଳି ଭାବେ ଦେଶ ବାହାରେ ହାସଲ କରିଛନ୍ତି। ଏସିଆ ବାହାରେ ମଧ୍ୟ ପନ୍ତ ୱିକେଟରକ୍ଷକ ଭାବେ ସର୍ବାଧିକ ୪ ଶତକ ହାସଲ କରିବାରେ ଭାରତୀୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପନ୍ତ ଏସିଆ ବାହାରେ ୪ ଶତକ ଜମାଇଥିବା ବେଳେ ବିଜୟ ମଞ୍ଜରେକର, ଅଜୟ ରାତ୍ରା, ଋଦ୍ଧିମାନ ସାହା ପ୍ରତ୍ୟେକ ୩ ଲେଖାଏଁ କରିପାରିଥିଲେ।