ଟୋକିଓ ପହଞ୍ଚିଲା ପ୍ରଥମ ଦଫା ଭାରତୀୟ ପାରାଲିମ୍ପିକ୍ସ ଦଳ

୨୦୧୬ରେ ମିଳିଥିଲା ୪ ପଦକ

ନୂଆଦିଲ୍ଲୀ: ଟୋକିଓ ପରାଲିମ୍ପିକ୍ସ-୨୦୨୦ ଲାଗି ପ୍ରଥମ ଦଫା ଭାରତୀୟ ଦଳ ବୁଧବାର ନୂଆଦିଲ୍ଲୀରୁ ସେଠାକୁ ଯାତ୍ରା କରିଛି। ବୁଧବାର ଭୋର ସମୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭାରତୀୟ ଖେଳାଳିମାନେ ଟୋକିଓ ଅଭିମୁଖେ ବାହାରିଛନ୍ତି। ଏଥିରେ ୩ ଜଣ ଖେଳାଳି ଏବଂ ୬ ଜଣ ସପୋର୍ଟ ଷ୍ଟାଫ ଅଛନ୍ତି। ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନରେ ବସିବା ପୂର୍ବରୁ ଜାଭଲିନ୍ ତାରକା ଟେକ୍ ଚାନ୍ଦ କହିଥିଲେ ଯେ ‘‘ମୁଁ ପଦକ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବି। ଏହି ଦିଗରେ କେତେକ ପ୍ରତିବନ୍ଧକ ଥିଲା। ତେବେ ଏହା ଜୀବନର ଅଂଶବିଶେଷ। ସେ ସବୁକୁ ମୁଁ ସଫଳତାର ସହ ଦୂର କରି ସାରିଛି। ଏବେ ମୁଁ ଦେଶ ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛି’’। ଡିସକସ୍ ଖେଳାଳି ବିନୋଦ କୁମାର କହିଥିଲେ ଯେ ଜଣେ ଲୋକ ମନ ଓ ହୃଦୟରୁ ଭିନ୍ନକ୍ଷମ ହେବା ଉଚିତ ନୁହେଁ। ମୁଁ ଅଗଷ୍ଟ ୨୯ରେ ପଡ଼ିଆକୁ ଓହ୍ଲାଇବି। ଯେତେ ସମ୍ଭବ ସେତେ ପଦକ ଜିତିବାକୁ ଚେଷ୍ଟା କରିବି। ଭାରତ ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସ ଲାଗି ୫୪ ଜଣିଆ ଦଳ ପଠାଉଛି। ଭାରତୀୟ ପାରାଲିମ୍ପିକ୍ସ ସମିତିର ସଭାପତି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ଦୀପା ମଲ୍ଲିକ କହିଥିଲେ ଯେ ଭାରତୀୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି। ମୁଁ ଏବର୍ଷ ଏକ ଭିନ୍ନ ଭୂମିକାରେ ରହିବି। ଏଥର ମୁଁ ନିଜେ ଖେଳୁନି। ହେଲେ ଦଳ ସହ ଶୁଭେଚ୍ଛା ଓ ଶୁଭକାମନା ରହିଛି। ଏଥରର ଦଳ ପୂର୍ବର ସବୁ ସଫଳତାକୁ ଟପିଯିବ ବୋଲି ଆଶା ରଖିଛି। ସୂଚନାଯୋଗ୍ୟ ଯେ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ୯ଟି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ଭାରତୀୟ ଦଳ ବୁଧବାର ଅପରାହ୍ନରେ ଟୋକିଓ ପହଞ୍ଚି ସାରିଥିବା ଜଣାପଡ଼ିଛି।
୨୦୧୬ରେ ମିଳିଥିଲା ୪ ପଦକ
୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀ ୪ ପଦକ ଜିତିଥିଲେ। ସେଥିମଧ୍ୟରେ ଥିଲା ୨ ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ। ପୁରୁଷ ଉଚ୍ଚଡିଆଁରେ ମେରିୟାପନ୍ ଥଙ୍ଗଭେଲ୍ଲୁ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିଭଳି ଜାଭଲିନରେ ଦେବେନ୍ଦ୍ର ଝାଝରିଆ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ଦୀପା ମଲ୍ଲିକ ସଟପୁଟ୍‌ରେ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଉଚ୍ଚଡିଆଁର ଟି-୪୨ ବର୍ଗରେ ବରୁଣ ସିଂହ ଭଟ୍ଟୀ କାଂସ୍ୟ ପଦକ ଜିତିଥିଲେ। ଏହି ପାରାଲିମ୍ପିକ୍ସରେ ଭାରତର ୧୯ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଟୋକିଓରେ ଏହାର ପାଖାପାଖି ୩ଗୁଣ ଭାରତୀୟ ପ୍ରତିଯୋଗୀ ଦେଖିବାକୁ ମିଳିଲେ। ସେଥିରେ ୧୦ ଜଣ ପାରାସୁଟର୍‌ ଅଛନ୍ତି। ଉଦଘାଟନୀ ଉତ୍ସବରେ ମେରିୟାପନ ତ୍ରିରଙ୍ଗା ଧରିବେ।

ସମ୍ବନ୍ଧିତ ଖବର