ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର କ୍ରୀଡ଼ା ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ପୌରୋହିତ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣ, କ୍ରୀଡ଼ା ମନ୍ତ୍ରଣାଳୟ ଓ ଭାରତୀୟ ଅଲିମ୍ପିକ୍ସ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଖେଳାଳିଙ୍କ ପ୍ରତିନିଧି ଭାବେ ହକି ଅଲିମ୍ପିଆନ୍‌ ରାଣୀ ରାମପଲ୍‌, କିଂବଦନ୍ତି ଟେବୁଲ୍ ଟେନିସ୍‌ ଖେଳାଳି ଅଚନ୍ତ ଶରତ କମଲ ବିଭିନ୍ନ କ୍ରୀଡ଼ା ସଂଘର ମୁଖ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ବର୍ଷ ଚୀନର ହଙ୍ଗଜୁରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ‘ଏସୀୟ କ୍ରୀଡ଼ାରେ ନିରଂତର ସଫଳତା ପାଇଁ ପ୍ରୟାସ କରାଯାଉଛି। ଖେଳାଳିଙ୍କ ଅଗ୍ରଗତି ଅନୁଧ୍ୟାନ ପାଇଁ ମିଶନ୍ ଅଲିମ୍ପିକ୍ ସେଲ୍ (ଏମ୍‌ଓସି) ସଦଦ୍ୟମାନେ ପ୍ରତି ଦୁଇ ସପ୍ତାହରେ ବୈଠକରେ ଏକତ୍ରିତ ହେଉଛନ୍ତି। ଆଜିର ବୈଠକରେ ସମସ୍ତ ଦାବିଦାର ଆଶା ରଖିଛନ୍ତି ଭାରତ ଯେଭଳି ଏଥର ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବ’ ବୋଲି ଅନୁରାଗ ଠାକୁର ପ୍ରକାଶ କରିଥିଲେ। ଏ ଦିଗରେ ସମସ୍ତ ପ୍ରସ୍ତୁତିକୁ କୌଣସି ଭାବେ ଢିଲା ନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି‌ ସେ ପ୍ରକାଶ କରିଥିଲେ।

Advertisment

ସିନ୍ଧୁଙ୍କ ପ୍ରସ୍ତାବ ଟପ୍‌ସ ଅନୁମୋଦିତ
ଆଗାମୀ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍‌, ସୁଇସ୍ ଓପନ୍‌, ସ୍ପେନ୍‌ ମାଷ୍ଟର୍ସ ଆଦି ପ୍ରମୁଖ ପ୍ରତିଯୋଗିତା ଲାଗି ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଦେଇଥିବା ପ୍ରସ୍ତାବକୁ ଟପ୍ସ (ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ୍‌) ଅନୁମୋଦିତ କରିଛି। ଫଳରେ ସିନ୍ଧୁ ଏହି ସବୁ ପ୍ରତିଯୋଗିତା ଲାଗି ତାଙ୍କ ପ୍ରଶିକ୍ଷକଙ୍କୁ ସାଥିରେ ନେବା ସହ ଆର୍ଥିକ ସହାୟତା ପାଇବେ। କ୍ରୀଡ଼ା ମନ୍ତ୍ରଣାଳୟ, ମିଶନ୍ ଅଲିମ୍ପିକ୍ ସେଲ୍‌ ପକ୍ଷରୁ ଅନୁମୋଦିତ ଏହି ଆର୍ଥିକ ସହାୟତାରେ ଭିସା, ବିମାନଭଡ଼ା, ରହିବା, ଖାଇବା ସହିତ ଦୈନିକ ଖର୍ଚ୍ଚ ସାମିଲ ରହିବ। ସିନ୍ଧୁଙ୍କ ସହିତ ତାଙ୍କ ସହକାରୀ ପ୍ରଶିକ୍ଷକ ବିଧି ଚୌଧୁରୀ ଏବଂ ଫିଟନେସ୍ ଟ୍ରେନର୍‌ ଶ୍ରୀକାନ୍ତ ମଡ଼ପଲୀ ଗସ୍ତ କରିବେ। ଟପ୍ସ ମଧ୍ୟ ସୁଟର୍‌ ଅନୀଶ ଭାନୱାଲଙ୍କୁ ବିଦେଶୀ ପ୍ରଶିକ୍ଷକଙ୍କ ସହ ଜର୍ମାନିରେ ୨୮ ଦିନିଆ ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁର କରିଛି।