ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ପୂର୍ବରୁ ଆୟୋଜକ ଭାରତୀୟ ଦଳକୁ ଶକ୍ତ ଝଟ୍କା ଲାଗିଛି। ଗତ ଆଇପିଏଲ୍ରେ ଚମତ୍କାର ଫର୍ମ ଦେଖାଇଥିବା ଅଧିନାୟକ କେଏଲ୍ ରାହୁଲ ଆହତ ଯୋଗୁଁ ମ୍ୟାଚ୍ର ଦିନକ ପୂର୍ବରୁ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ନେଟ୍ସରେ ଅଭ୍ୟାସ ବେଳେ ବୁଧବାର ରାହୁଲ ଆହତ ହୋଇଛନ୍ତି। ତାଙ୍କ ସହିତ ଚାଇନାମ୍ୟାନ୍ ସ୍ପିନର କୁଲ୍ଦୀପ ଯାଦବ ମଧ୍ୟ ସମାନ କାରଣ ପାଇଁ ବାଦ୍ ପଡ଼ିଛନ୍ତି ବୋଲି ବୁଧବାର ବିସିସିଆଇ ସୂଚନା ଦେଇଛି। ଉଭୟ ରାହୁଲ ଓ କୁଲ୍ଦୀପ ଏବେ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବେଙ୍ଗାଲୁରୁସ୍ଥିନ ନ୍ୟାସ୍ନାଲ କ୍ରିକେଟ୍ ଏକାଡେମୀରେ ରିପୋର୍ଟ କରିବାକୁ କୁହାଯାଇଛି। ସେଠାରେ ଡାକ୍ତରୀ ଦଳ ସେମାନଙ୍କ ଆଘାତର ଆକଳନ କରିବା ପରେ ପରବର୍ତୀ ଚିକିତ୍ସା ସଂପର୍କରେ ସ୍ଥିର କରିବେ। ଉଭୟ ରାହୁଲ ଓ କୁଲ୍ଦୀପଙ୍କ ବଦଳ ଖେଳାଳି ନେଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇନି।
ବିଶେଷକରି ପ୍ରମୁଖ ଖେଳାଳି ଭାବେ ନୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଦୁଇ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଏବଂ ମହମ୍ମଦ ସାମି ଦଳରୁ ବିଶ୍ରାମ ପାଇଥିଲା ବେଳେ ଏବେ ରାହୁଲ ଓ କୁଲ୍ଦୀପଙ୍କ ବାଦ୍ ପଡ଼ିବା ଭାରତର ଚିନ୍ତା ବଢ଼ାଇ ଦେଇଥିଲା ବେଳେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଆଶ୍ବସ୍ତ କରିଛି। ତେବେ ବୁଧବାର ରାହୁଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଉପଅଧିନାୟକ ଋଷଭ ପନ୍ତ୍ଙ୍କୁ ନେତୃତ୍ବ ଭାର ଅର୍ପଣ କରାଯାଇଛି। ଅନ୍ୟପକ୍ଷରେ ପନ୍ତ୍ଙ୍କୁ ସହାୟତା କରିବା ପାଇଁ ଗତ ଆଇପିଏଲ୍ ବିଜେତା ଗୁଜରାଟ ଟାଇଟନ୍ସ ଅଧିନାୟକ ତଥା ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି।
ଅପରାଜେୟ ଧାରା ଲମ୍ବାଇବା ଲକ୍ଷ୍ୟରେ ଭାରତ
ଗୋଟିଏ ପଟେ ଭାରତୀୟ ଦଳ ତା’ର ଅପରାଜେୟ ଧାରାକୁ ଲମ୍ବାଇବା ଲକ୍ଷ୍ୟ ରଖିଥିଲା ବେଳେ ଦକ୍ଷିଣ ଆଫ୍ରିକା ଘରୋଇ ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସାଙ୍ଗକୁ ଆହତ ସମସ୍ୟାରୁ ଭରପୁର ଫାଇଦା ଉଠାଇବା ଲକ୍ଷ୍ୟ ରଖିଛି। ଭାରତ ଏହି ଶୃଙ୍ଖଳା ପୂର୍ବରୁ କ୍ରମାଗତ ଭାବେ ୧୨ ମ୍ୟାଚ୍ ଜିତି ଅପରାଜେୟ ରହିଛି। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଲେ ଏହି ଧାରା ୧୩କୁ ଲମ୍ବିବ। ପୁଣି ଶେଷ ୧୦ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତ ମାତ୍ର ଗୋଟିଏ ହାରିଛି। ଡିସେମ୍ବର ୨୦୧୯ଠାରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍କୁ ଦୁଇଥର, ଶ୍ରୀଲଙ୍କାକୁ ୨ ଥର, ନ୍ୟୁଜିଲାଣ୍ଡକୁ ୨ ଥର, ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ବିଜୟ ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ମଧ୍ୟ ଆଶାବାଦୀ ରହିଛନ୍ତି।
ଭାରତରେ ଦକ୍ଷିଣ ଆଫ୍ରିକା ହାରିନି
ଅନ୍ୟପଟେ ଭାରତର ଅପରାଜେୟ ଧାରାରେ ଲଗାମ ଦେବାକୁ ପୂରା ଶକ୍ତି ନେଇ ଭାରତ ଆସିଥିବା ତେମ୍ବା ବଭୂମାଙ୍କ ଦଳ ପ୍ରୟାସ କରିବ। ଦକ୍ଷିଣ ଆଫ୍ରିକା ଭାରତରେ ୨ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିଲା ବେଳେ ଆଦୌ ହାରିନାହିଁ। ୨୦୧୫ରେ ଏହି ଭ୍ରମଣକାରୀ ଦଳ ୨-୦ରେ ଶୃଙ୍ଖଳା ଜିତିଥିଲା ବେଳେ ୨୦୧୯ରେ ୧-୧ରେ ଅମୀମାଂସିତ ରଖିଥିଲା। କାଗିସୋ ରବାଦା ଆଉ ଗୋଟିଏ ୱିକେଟ୍ ନେଲେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୫୦ ପୂରଣ କରିବେ। ଏକ୍ଷେତ୍ରରେ ସେ ଇମ୍ରାନ ତାହିର, ଡେଲ୍ ଷ୍ଟେନ୍ ଓ ତାବ୍ରିଜ ସାମ୍ସିଙ୍କ ପରେ ଚତୁର୍ଥ ଦକ୍ଷିଣ ଆଫ୍ରିକା ବୋଲର ହେବାର ମାଇଲଖୁଣ୍ଟ ଛୁଇଁବେ।
ପିଚ୍ ଉଭୟ ବ୍ୟାଟର୍ ଓ ବୋଲରଙ୍କୁ ସୁହାଇବ
କୋଟ୍ଲା ପଡ଼ିଆରେ ଏହା ପୂର୍ବରୁ ଖେଳାଯାଇଥିବା ୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ପିଚ୍ ଉଭୟ ବ୍ୟାଟର୍ ଓ ବୋଲରଙ୍କୁ ସୁହାଇବା ଦେଖାଯାଇଛି। ଏଠାରେ ଟସ୍ର ଗୁରୁତ୍ବ ରହିନି। କାରଣ ୬ ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ ଥର ଜିତିଥିଲା ବେଳେ ପିଛା କରିଥିବା ଦଳ ମଧ୍ୟ ସମାନ ୩ ଥର ଜିତିଛି। ତେବେ ଟସ୍ ଜିତିବା ଅଧିନାୟକ ହିଁ ୫ ଥର ପ୍ରଥମେ ବୋଲିଂ ନେଇଛନ୍ତି। ଏଠାରେ ପ୍ରଥମ ପାଳିର ହାରାହାରି ସ୍କୋର୍ ୧୫୬ ରହିଛି। ପିଚ୍ରୁ ଲୋ ବାଉଁସ ମିଳୁଥିଲେ ମଧ୍ୟ ଯଥେଷ୍ଟ ଟର୍ନ କରିବନି। ଅନ୍ୟପକ୍ଷରେ ଆସନ୍ତାକାଲି ପାଗ ଅନୁକୂଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସମ୍ଭାବ୍ୟ ଭାରତୀୟ ଦଳ:ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ଋଷଭ ପନ୍ତ୍ (ଅଧିନାୟକ/ୱିକେଟ୍ରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା (ଉପଅଧିନାୟକ), ଦୀପକ ହୁଦା/ଦୀନେଶ କାର୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଅଭେଶ ଖାନ୍, ରବି ବିଷ୍ଣୋଇ/ଅକ୍ଷର ପଟେଲ, ୟୁଜ୍ବେନ୍ଦ୍ର ଚହଲ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି’କକ୍ (ୱିକେଟ୍ରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍ ମର୍କରାମ, ରାସି ଭାନ୍ ଦେର୍ ଦୁସେଁ/ତ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ଡ୍ବାନ୍ ପ୍ରିଟୋରିଅସ, କାଗିସୋ ରବାଦା, ଅନ୍ରିକ୍ ନର୍ଖିୟା, ମାର୍କୋ ଜାନ୍ସେନ୍.ଲୁଙ୍ଗି ଏନ୍ଗିଡ଼ି, ତାବ୍ରିଜ ସାମ୍ସି।