ନୂଆଦିଲ୍ଲୀ: ଆଜକୁ ୨୩ ବର୍ଷ ତଳେ ଅର୍ଥାତ୍ ୧୯୯୭ ମସିହା ଶ୍ରୀଲଙ୍କା ଗସ୍ତରେ ପୂର୍ବତନ ଭାରତୀୟ ବାମହାତୀ ସ୍ପିନର ନୀଲେଶ କୁଲକର୍ଣ୍ଣି ନିଜ ନାମକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଥିଲେ। ଭାରତ ସେହିବର୍ଷ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନେତୃତ୍ବରେ ଶ୍ରୀଲଙ୍କା ଯାଇଥିଲା। ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ହିଁ କୁଲକର୍ଣ୍ଣି ନିଜ ପ୍ରଥମ ବଲ୍ରେ ଟେଷ୍ଟ୍ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ସଚିନ ତାଙ୍କୁ ଅପ୍ରତ୍ୟାଶିତ ଭାବେ ବୋଲିଂ କରିବାକୁ ଡାକିବା ପରେ ଟେଷ୍ଟ୍ କ୍ରିକେଟ୍ରେ ପକାଇଥିବା ପ୍ରଥମ ବଲ୍ରେ ହିଁ ସେ ଶ୍ରୀଲଙ୍କାର ମାର୍ଭନ ଆଟ୍ଟାପଟୁଙ୍କୁ କ୍ୟାଚ୍ ଆଉଟ୍ କରି ଦେଇଥିଲେ। ଏହି ମ୍ୟାଚ୍ ଆଉ ଏକ ଘଟଣା ପାଇଁ ମଧ୍ୟ ବେଶ୍ ଚର୍ଚିତ ହୋଇଥିଲା। ଶ୍ରୀଲଙ୍କା ଏହି ମ୍ୟାଚ୍ରେ ହିଁ ଟେଷ୍ଟ୍ କ୍ରିକେଟ୍ର ସର୍ବାଧିକ ଦଳଗତ ସ୍କୋର ୯୫୨/୬ କରିଥିଲା। ଉଭୟ ସନଥ ଜୟସୂରିୟା (୩୪୦) ଓ ରୋଶନ ମହାନାମା (୨୨୫) ନିଜ ନିଜର ସର୍ବୋଚ୍ଚ ବ୍ୟକ୍ତିଗତ ଟେଷ୍ଟ୍ ରନ୍ ଏହି ମ୍ୟାଚ୍ରେ ହାସଲ କରିଥିଲେ। ଏହି ହାଇସ୍କୋରିଂ ମ୍ୟାଚ୍ କିନ୍ତୁ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଆଉ ଏକ ମହତ୍ବପୂର୍ଣ୍ଣ କଥା ହେଲା କୁଲକର୍ଣ୍ଣିଙ୍କ ସହ ଏହି ମ୍ୟାଚ୍ରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଟେଷ୍ଟ୍ ପଦାର୍ପଣ କରିଥିଲେ। ଭାରତ ପ୍ରାରମ୍ଭିକ ବ୍ୟାଟର ନଭଜ୍ୟୋତ ସିଂହ ସିଦ୍ଧୁ (୧୧୧), ସଚିନ (୧୪୩) ଓ ମହମ୍ମଦ ଆଝାରୁଦ୍ଦିନ (୧୨୬)ଙ୍କ ଶତକ ବଳରେ ୫୩୭/୮ରେ ପାଳି ଘୋଷଣା କରିଥିଲା। ଶ୍ରୀଲଙ୍କା ପାଇଁ ଜୟସୂରିୟା-ମହାନାମା ଦ୍ବିତୀୟ ୱିକେଟ୍ରେ ୫୮୬ ରନ୍ ଯୋଡ଼ିବା ପରେ ଶେଷ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳର ପ୍ରଥମ ପାଳି ସରିନଥିଲା। ଶ୍ରୀଲଙ୍କା ୯୫୨/୬ରେ ପାଳି ଘୋଷଣା କରିବା ପରେ ପରେ ଅମ୍ପାୟାର ମ୍ୟାଚ୍କୁ ଅମୀମାଂସିତ ଘୋଷଣା କରିଥିଲେ। ସେହି ମ୍ୟାଚ୍ରେ ୭୦ ଓଭର ବୋଲିଂ କରିଥିବା ନୀଲେଶ ନିଜ ପ୍ରଥମ ବଲ୍ ପରେ କିନ୍ତୁ ଆଉ ୱିକେଟ୍ ପାଇନଥିଲେ।
କଲମ୍ବୋ ଟେଷ୍ଟ୍ରେ ଜୟସୂରିୟା, ମାହାନାମା ବି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ପାଇଥିଲେ
ଜୟବର୍ଧନେଙ୍କ ପଦାର୍ପଣ ସହ ଶ୍ରୀଲଙ୍କା ଟେଷ୍ଟ୍ର ସର୍ବୋଚ୍ଚ ଦଳଗତ ସ୍କୋର କରିଥିଲା
ନିଜର ସେହି ସ୍ମରଣୀୟ ପଦାର୍ପଣକୁ ମନେ ପକାଇଛନ୍ତି ଭାରତ ପକ୍ଷରୁ ମାତ୍ର ତିନିଟି ଟେଷ୍ଟ୍ ଖେଳିଥିବା ମୁମ୍ବାଇ ତାରକା ନୀଲେଶ। ଜୀବନର ସେହି ସଫଳତମ ଅଧ୍ୟାୟକୁ ମନେ ପକାଇ ସେ କହିଛନ୍ତି ‘‘ଦ୍ବିତୀୟ ଦିନର ଅନ୍ତିମ ଅଧିବେସନରେ ସଚିନ ପାଳି ଘୋଷଣା କରିବା ପରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ସତ କଥା କହିବାକୁ ଗଲେ ମୁଁ ବୋଲିଂ କରିବାର ନଥିଲା। ସାଧାରଣତଃ ଯେକୌଣସି ବୋଲର ବୋଲିଂ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ଅଧିନାୟକ ତାଙ୍କୁ ଏହାର ସଙ୍କେତ ଦିଅନ୍ତି। ଯାହା ଫଳରେ ସଂପୃକ୍ତ ବୋଲର ୱାର୍ମଅପ୍ କରିପାରନ୍ତି। ସଚିନ କିନ୍ତୁ ହଠାତ୍ ମୋତେ ବୋଲିଂ କରିବାକୁ ଡାକିଥିଲେ। ପ୍ରଥମ ଥର ଟେଷ୍ଟ୍ କ୍ରିକେଟ୍ରେ ବୋଲିଂ କରିବାକୁ ଯାଉଥିବାରୁ ମନରେ ଭୟ ଓ ସଂଶୟ ଥିଲା। ଗୋଟିଏ ମିନିଟ୍ ଭିତରେ ବୋଲିଂ ଆରମ୍ଭ ନକଲେ ସେହି ଦିନର ଖେଳ ସମାପ୍ତ ସଙ୍କେତ ଦେବେ ବୋଲି ମଧ୍ୟ ଅମ୍ପାୟାର ଚେତାବନୀ ଦେଇଥିଲେ। ତଥାପି ବଲ୍କୁ କେମିତି ଠିକ୍ ସ୍ଥାନରେ ଅବତରଣ କରାଇବି ତା ଉପରେ ମୋର ସବୁ ଧ୍ୟାନ ଥିଲା। ପଦାର୍ପଣରେ ବଲ୍ରେ ମୋତେ ଲୋକ ମୁର୍ଖ ଭାବନ୍ତୁ ନାହିଁ ବୋଲି ଚିନ୍ତା କରୁଥିଲି। ସୌଭାଗ୍ୟ ବଶତଃ ଆଟ୍ଟାପଟୁଙ୍କ ବ୍ୟାଟ୍ ଧାରରେ ବଲ୍ ବାଜି ନୟନ ମୋଙ୍ଗିଆଙ୍କ ହାତକୁ ଚାଲିଯାଇଥିଲା ଏବଂ ମୁଁ ମୋ ପ୍ରଥମ ବଲ୍ରେ ହିଁ ୱିକେଟ୍ ପାଇଯାଇଥିଲି। ହେଲେ ପରଦିନ ଖେଳ ପର୍ଯ୍ୟନ୍ତ କୀର୍ତ୍ତିମାନ କରିବା କଥା ମୁଁ ଜାଣି ନଥିଲି। ଅଭ୍ୟାସ କଲା ବେଳେ ଯେତେବେଳେ ଜଣେ ଭାରତୀୟ ସାମ୍ବାଦିକ ମୋତେ ଏଥିଲାଗି ଅଭିନନ୍ଦନ ଜଣାଇଲେ, ସେତେବେଳେ ମୁଁ ମୋ ନାମ’କୁ ଇତିହାସ ପୃଷ୍ଠାରେ ସାମିଲ କରି ସାରିଛି ବୋଲି ଜାଣିବାକୁ ପାଇଥିଲି’’। ଏହି ମ୍ୟାଚ୍ ୧୯୯୭ ମସିହା ଅଗଷ୍ଟ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। କଲମ୍ବୋ ଟେଷ୍ଟ୍ର ମାତ୍ର ଦୁଇଟି ମ୍ୟାଚ୍ ପରେ କୁଲକର୍ଣ୍ଣିଙ୍କ ଟେଷ୍ଟ୍ କ୍ୟାରିୟର ଶେଷ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/kulkarni.jpg)