ନୂଆଦିଲ୍ଲୀ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୧୯ ପର୍ଯ୍ୟନ୍ତ ପ୍ରଥମ ଖୋ-ଖୋ ବିଶ୍ବକପ୍ ଅନୁଷ୍ଠିତ ହେବ। ଭାରତୀୟ ଖୋ-ଖୋ ମହାସଂଘ (କେକେଏଫ୍ଆଇ) ଦ୍ବାରା ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ଖୋ-ଖୋ ବିଶ୍ବକପ୍ର ସିଇଓ ମେଜର ଜେନେରାଲ ବିକ୍ରମ ଦେବ ଡୋଗ୍ରାଙ୍କ ସୂଚନା ଅନୁସାରେ ପ୍ରଥମ ଖୋ-ଖୋ- ବିଶ୍ବକପ୍ରେ ଆୟୋଜକ ଦେଶ ଭାରତ ସମେତ ଆମେରିକା, ଇଂଲଣ୍ଡ, ଜର୍ମାନୀ, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍ସ, ପୋଲାଣ୍ଡ, ଶ୍ରୀଲଙ୍କା ଭଳି ୨୬ ଦେଶରୁ ୨୧ ପୁରୁଷ ଓ ୨୯ ମହିଳା ଦଳ ଭାଗ ନେବେ। ୧୨୦ ଜଣିଆ ଖେଳାଳିଙ୍କୁ ନେଇ ଚାଲିଥିବା ପ୍ରଶିକ୍ଷଣ ଶିବିରରୁ ବିଶ୍ବକପ ପାଇଁ ଭାରତୀୟ ଦଳ ଚୟନ କରାଯିବ। ମ୍ୟାଚ୍ଗୁଡ଼ିକ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ ଓ ନୋଏଡା ଇନ୍ଡୋର୍ ଷ୍ଟାଡିୟମ୍ରେ ଖେଳାଯିବ। ଲିଗ୍ ଓ ନକ୍ଆଉଟ୍ରେ ମ୍ୟାଚ୍ଗୁଡ଼ିକ ଖେଳାଯିବ। ମହାସମାରୋହରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।
ଉଦ୍ଘାଟ୍ନୀ ଦିବସରେ ଭାରତ ଭେଟିବ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ। ୧୭ରେ କ୍ବାର୍ଟରଫାଇନାଲ୍, ୧୮ରେ ସେମିଫାଇନାଲ୍ ଓ ୧୯ରେ ମେଗା ଫାଇନାଲ୍ ଖେଳାଯିବ। ଖୋ-ଖୋ ବିଶ୍ବକପ ପ୍ରଥମ ସଂସ୍କରଣର ବ୍ରାଣ୍ଡ ଆମ୍ବାସଡର୍ ଭାବେ ବଲିଉଡ ସୁପର୍ଷ୍ଟାର୍ ସଲମାନ ଖାନ୍ ଯୋଗ ଦେଇଛନ୍ତି। ପ୍ରଥମ ଖୋ-ଖୋ ବିଶ୍ବକପ୍କୁ ସଫଳ କରିବା ପାଇଁ ଚଳିତ ମାସ ୨୦ରୁ ଆସନ୍ତା ମାସ ୧୩ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ପ୍ରଚାର ଓ ପ୍ରସାର ଅଭିଯାନ ଚାଲିବ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସହଯୋଗ ପ୍ରଦାନ କରିଥିବାରୁ କେକେଏଫ୍ଆଇର ସଭାପତି ସୁଧାଂଶୁ ମିତ୍ତଲ ଧନ୍ୟବାଦ ଜଣାଇଛନ୍ତି। ଭାରତର ପାରମ୍ପରିକ କ୍ରୀଡ଼ାକୁ ବିଶ୍ବରେ ଆଦୃତ କରିବା ସହ ୨୦୩୨ ଅଲିମ୍ପିକ୍ସରେ ଖୋ-ଖୋକୁ ଯେଭଳି ସାମିଲ କରାଯାଇପାରିବ ସେ ଦିଗରେ ପ୍ରଥମ ଖୋ-ଖୋ-ବିଶ୍ବକପର ଆୟୋଜନ ଯଥେଷ୍ଟ ଗୁରତ୍ବ ବହନ କରୁଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି।