ଭୁବନେଶ୍ବର: ରାଜ୍ୟର ଏକମାତ୍ର ପର୍ବତାରୋହୀ ଲିଆଜନ୍‌ ଅଫିସର୍‌ ତାରାକାନ୍ତ ପରିଡ଼ା ଐତିହାସିକ ଅଭିଯାନର ଅଂଶବିଶେଷ ହୋଇ ଓଡ଼ିଶା ଫେରିଛନ୍ତି। କାରଗିଲର ଦୁର୍ଗମ ଝନ୍‌ସ୍କାର୍ ଉପତ୍ୟକାରେ (ଲଦାଖୀ ଭାଷାରେ ଡେନ୍ୟା ଟୋପ୍‌କୋ ବୋଲି କୁହାଯାଏ) ଏକ ଅନ୍‌କ୍ଲାଇମ୍ବ ପର୍ବତାରୋହଣ କରିଥିବା ଡଚ୍‌ ଦଳକୁ ଗାଇଡ୍‌ କରିବାର ବିରଳ କୃତିତ୍ବ ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍‌ସର ପ୍ରସିଦ୍ଧ ପର୍ବତାରୋହଣ ସଂଗଠନ ଏନ୍‌କେବିଭି ନେତୃତ୍ୱରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ଅଭିଯାନରେ ସାମିଲ ହୋଇ ତାରାକାନ୍ତ ମଧ୍ୟ ନିଜ ଖେଳ ଜୀବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି। ଝନ୍‌ସ୍କାର୍‌ ସମୁଦ୍ର ପତନ ସ୍ତରଠାରୁ ୫,୬୦୦ ମିଟର ଉଚ୍ଚତାରେ ଥିବା ଏକ ଅନ୍‌କ୍ଲାଇମ୍ବ ପର୍ବତ ଶିଖରକୁ ଏହା ଥିଲା ପ୍ରଥମ ଆରୋହଣ। ‘‘ଏହି ପର୍ବତ ଉପରେ ପୂର୍ବରୁ କେହି ପ୍ରଦାର୍ପଣ କରି ନଥିଲେ, ଯାହା ଭାରତୀୟ ହିମାଳୟର ଉପତ୍ୟକାରେ ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଗଲା’ ବୋଲି କହିଛନ୍ତି ତାରାକାନ୍ତ। ଏହି  ଅବସରରେ ସେ ଅନ୍ୟ ଗୋଟିଏ ୫,୨୦୦ ମିଟର ଉଚ୍ଚତାର ଛୋଟ ପର୍ବତ ଶିଖରକୁ ମଧ୍ୟ ଆରୋହଣ କରିଥିଲେ ଏବଂ ୫,୩୮୦ ମିଟର ଉଚ୍ଚ ପର୍ବତ ପାସ୍‌ ଅତିକ୍ରମ କରିଥିଲେ ବୋଲି ପ୍ରକାଶ କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ଜୁ‌ଡ଼ୋରୁ ପର୍ବତାରୋହଣ ଭଳି ଦୁଃସାହସିକ କ୍ଷେତ୍ରକୁ ଆସିଥିବା ତାରାକାନ୍ତ ୨୦୨୧ ମସିହାରୁ ଭାରତୀୟ ମାଉଣ୍ଟେନିୟରିଂ ପ୍ରତିଷ୍ଠାନର ଲିଆଜନ୍‌ ଅଫିସର୍ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗତ ଚାରି ବର୍ଷ ଭିତରେ ସେ ଅଷ୍ଟ୍ରେଲିଆ, କାନାଡା, ଆୟର୍ଲାଣ୍ଡ, ବ୍ରିଟେନ୍, ଶ୍ରୀଲଙ୍କା, ଜାପାନ ପରେ ଏବେ ନେଦରଲାଣ୍ଡ୍‌ସ ଦଳ ସହିତ କାର୍ଯ୍ୟ କରିଛନ୍ତି। ଦଳ ସଙ୍ଗେ ପର୍ବତାରୋହଣ ସହ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ଠିକ୍‌ ଭାବରେ ନିୟମକାନୁନ ଅନୁପାଳନ, ସୁରକ୍ଷାବାହିନୀ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ରକ୍ଷା, ଦଳକୁ ସମସ୍ତ ପ୍ରକାର ସୁବିଧା ସହଯୋଗ ପ୍ରଦାନ କରିବା ଜଣେ ଲିଆଜନ୍ ଅଫିସରଙ୍କ ପ୍ରମୁଖ ଭୂମିକା ହୋଇଥାଏ ଯାହାକୁ ତାରାକାନ୍ତ ସଫଳତାର ସହ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥି ସହିତ ସେ ମାଉଣ୍ଟ୍ ଷ୍ଟକ୍ କାଙ୍ଗ୍ରି, ମାଉଣ୍ଟ୍ ଗୁଲାକ କାଙ୍ଗ୍ରି, ମାଉଣ୍ଟ୍ ଫ୍ରେଣ୍ଡସିପ୍, ମାଉଣ୍ଟ୍ ନୁନ୍ (୬,୯୦୦ ମିଟର ପର୍ଯ୍ୟନ୍ତ) ଆରୋହଣ କରିଛନ୍ତି ଏବଂ ଭାରତୀୟ ହିମାଳୟରେ ବହୁ ଟ୍ରେକ ସଂପନ୍ନ କରିଛନ୍ତି। ଏବେ ଟାଟା ଷ୍ଟିଲ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍ ଇନ୍‌ଷ୍ଟ୍ରକ୍ଟର, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ସହିତ ପ୍ରାଣୀ ଉଦ୍ଧାର ଏବଂ ଉଦ୍ଧାରକାରୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହ ପ୍ରଶିକ୍ଷଣ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ୩୬ତମ ଜାତୀୟ କ୍ରୀଡ଼ାରେ ଅହମଦାବାଦରେ ଓଡ଼ିଶା ପକ୍ଷରୁ ଜୁଡୋରେ ପ୍ରତିନିଧିତ୍ୱ କରିଥିଲେ। 

ଏହି ବିରଳ ସଫଳତା ପାଇଁ ଶୁକ୍ରବାର ଜୁଡ଼ୋ ହଲ୍‌ଠାରେ ଅନୁଷ୍ଠିତ ଏକ ଉତ୍ସବରେ ତାରାକାନ୍ତଙ୍କୁ ରାଜ୍ୟର ଅଗ୍ରଣୀ ଦୁଃସାହସିକ ଅନୁଷ୍ଠାନ ‘ଆସା’ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ମୁଖ୍ୟ ଉପଦେଷ୍ଠା ଅଶୋକ ମହାନ୍ତି, ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, ଶକ୍ତିରଂଜନ ମହାନ୍ତି, ମୁକ୍ତିପ୍ରସାଦ ଦାଶ, ଶିବ ଶଙ୍କର ପଣ୍ଡା, ବିଜୟ କୁମାର ସାସମଲ, ଭାର୍ଗବ ବିହାରୀ, ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ସୁରଂଜିତା ଦେବୀ, ଅନୀତା ସ୍ବାଇଁ, ରୋଜାଲିନ୍ ସାସମଲ, ରୋଜାଲିନ୍ ପଟ୍ଟନାୟକ, ସଂଗୀତା ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।