ମଧ୍ୟପ୍ରଦେଶକୁ ପ୍ରଥମ ରଣଜୀ ଟ୍ରଫି: ୪୧ଥର ବିଜେତା ମୁମ୍ବାଇ ଉପବିଜେତାରେ ସନ୍ତୁଷ୍ଟ

ସର୍ଫରାଜ ପ୍ରତିଯୋଗିତା, ଶୁଭମ୍ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ଭାରତୀୟ କ୍ରିକେଟ୍‌ର କଳା ଘୋଡ଼ା ଭାବେ ଉଭା ହୋଇଛି। ରବିବାର ୪୧ଥର ବିଜେତା ମୁମ୍ବାଇକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ଦଳ ପ୍ରଥମ ଥର ପାଇଁ ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା‌ ‘ରଣଜୀ ଟ୍ରଫି’ ଜିତି ନେଇଛି। ମଧ୍ୟପ୍ରଦେଶ ଦୀର୍ଘ ୨୩ ବର୍ଷ ତଳେ ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ବରେ ରଣଜୀ ଫାଇନାଲ୍ ଖେଳିଥିଲେ ମଧ୍ୟ କର୍ଣ୍ଣାଟକଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏଥର କିନ୍ତୁ ସଫଳତାର ସହ ଫାଇନାଲ୍ ବାଧାକୁ ପାର କରି ନୂଆ ଇତିହାସ ରଚିଛି। ୧୯୩୪-୩୫ କ୍ରିକେଟ୍ ଋତୁରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିକୁ ମଧ୍ୟ ନୂଆ ବିଜେତା ମିଳିଛି। ମଧ୍ୟପ୍ରଦେଶ ଗତ ଏକ ଦଶନ୍ଧି ହେବ ଘରୋଇ କ୍ରିକେଟ୍‌ର ଏଲିଟ୍ ଦଳ ମଧ୍ୟରେ ଗଣାହେଉ ନଥିଲା। ୨୦୨୧-୨୨ ଋତୁରେ ମୁମ୍ବାଇକୁ ସ୍ତବ୍ଧ କରି ନିଜ କ୍ରିକେଟ୍ ଇତିହାସରେ ସଫଳତାର ନୂ୍ଆ ଅଧ୍ୟାୟ ଯୋଡ଼ିଛି। ମଧ୍ୟପ୍ରଦେଶର ପୂର୍ବତନ ଅଧିନାୟକ ତଥା ଏବେକାର ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପାଟିଲ ପ୍ରଶିକ୍ଷକ ଭା‌ବେ ଷଷ୍ଠ ରଣଜୀ ଟ୍ରଫି ଜିତିବାର କୀର୍ତ୍ତିମାନ ବି କରିଛନ୍ତି। ୧୯୯୮-୯୯ ଋତୁରେ ମଧ୍ୟପ୍ରଦେଶର ଅଧିନାୟକ ଭାବେ ସେ ଯାହା କରି ପାରିନଥିଲେ, ଏବେ ପ୍ରଶିକ୍ଷକ ଭାବେ ତାହା କରି ଦେଖାଇଛନ୍ତି।

ରବିବାର ଏହି ବହୁ ପ୍ରତୀକ୍ଷିତ ଫାଇନାଲ୍‌ର ଥିଲା ଶେଷ ଦିନ। ମୁମ୍ବାଇ ତା’ର ଦ୍ବିତୀୟ ପାଳିରେ ମାତ୍ର ୨୬୯ ରନ୍ କରିବା ପରେ ମଧ୍ୟପ୍ରଦେଶ ସମ୍ମୁଖରେ ମାତ୍ର ୧୦୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ମଧ୍ୟପ୍ରଦେଶ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପ୍ରଥମ ପାଳିରେ ଶତକ ହାସଲ କରିଥିବା ରଜତ ପଟିଦାର ମଧ୍ୟପ୍ରଦେଶର ମାଇଲଖୁଣ୍ଟ ବିଜୟରେ ମୁଣ୍ଡି ମାରିଥିଲେ। ଚଳିତ ଋତୁରେ ୯୮୨ ରନ୍ କରିଥିବା ମୁମ୍ବାଇର ସର୍ଫରାଜ ଖାନ୍ ପ୍ରତିଯୋଗିତା ଏବଂ ମଧ୍ୟପ୍ରଦେଶର ଯୁବ ବ୍ୟାଟର୍ ଶୁଭବ ଶର୍ମା (୧୧୬, ୩୦) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁମ୍ବାଇର ସାମ୍ସ ମୁଲାନି ୨୦୨୧-୨୨ ଋତୁରେ ସର୍ବାଧିକ ୪୫ ୱିକେଟ୍ ନେବାର ଗୌରବ ଅର୍ଜନ କରିଥିଲେ।

ଏହା ପୂର୍ବରୁ ମୁମ୍ବାଇ ସର୍ଫରାଜଙ୍କ ଶତକ ବଳରେ ତା’ର ପ୍ରଥମ ପାଳିରେ ୩୭୪ ରନ୍ କରିଥିଲା। ଜବାବରେ ମଧ୍ୟପ୍ରଦେଶ ତିନିଟି ଶତକ (ୟଶ୍ ଦୁବେ-୧୩୩, ଶୁଭମ ଶର୍ମା-୧୧୬ ଓ ରଜତ ପଟିଦାର-୧୨୨) ସହାୟତାରେ ୫୩୬ ରନ୍ କରି ୧୬୨ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି ୩୭୪। ମଧ୍ୟପ୍ରଦେଶ ପ୍ରଥମ ପାଳି ୫୩୬। ମୁମ୍ବାଇ ଦ୍ବିତୀୟ ପାଳି ୨୬୯ (ସର୍ଫରାଜ ଖାନ୍ ୧୩୪, ଜସସ୍ବୀ ଜୟସ୍ବାଲ ୭୮, ଗୌରବ ଯାଦବ ୪/୧୦୬, ଅନୁଭବ ଅଗ୍ରୱାଲ ୩/୮୧)। ମଧ୍ୟପ୍ରଦେଶ ଦ୍ବିତୀୟ ପାଳି ୧୦୮/୪ (ବିଜୟ ଲକ୍ଷ୍ୟ ୧୦୮), ଶୁଭମ ଶର୍ମା ୩୦, ରଜତ ପଟିଦାର ୩୦*, ସାମ୍ସ ମୁଲାନି ୩/୪୧)।

ସମ୍ବନ୍ଧିତ ଖବର