ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌: ଭାରତ ସୁଯୋଗ ଖସିଲା, ବର୍ଷା ରୋକିଲା

ନଟିଂହାମ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଦାୟିତ୍ବହୀନ ପ୍ରଦର୍ଶନ କରିବା ପରେ ବର୍ଷା ବାଧା ସୃଷ୍ଟି କରିଛି। ଏଥି ସହ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୧୨୫ ରନ୍‌ କରିଛି। ଜେମ୍ସ ଆଣ୍ଡରସନ୍‌ ଡବଲ୍‌ ୱିକେଟ୍ ସହ ଭାରତକୁ ଅଡୁଆରେ ପକାଇଥିଲେ ଏବଂ ଅଗ୍ରଣୀ ଟେଷ୍ଟ୍ ୱିକେଟ୍‌ ତାଲିକାରେ ଅନିଲ କୁମ୍ବଲେ (୬୧୯)ଙ୍କ ସମକକ୍ଷ ହୋଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ପ୍ରଥମ ଦୁଇ ସ୍ଥାନରେ ଏବେ ମୁଥୟା ମୁରଲୀଧରନ (୮୦୦) ଏବଂ ସେନ୍‌ ୱର୍ଣ୍ଣ (୭୦୮) ରହିଛନ୍ତି। ସକ୍ରିୟ ଖେଳାଳିଙ୍କ ମଧ୍ୟରେ କିନ୍ତୁ ଆଣ୍ଡରସନ୍‌ ଶୀର୍ଷରେ ରହିଛନ୍ତି।

ଗୁରୁବାର ଭାରତ ୨୧/୦ରୁ ଖେଳିଥିବା ବେଳେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ଶତକୀୟ ଭାଗୀଦାରି ଆଡକୁ ମୁହାଁଉଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବର ଶେଷ ଓଭରରେ କିନ୍ତୁ ଓଲି ରବିନସନ୍‌ଙ୍କ ଏକ ସର୍ଟ ପିଚ୍‌ ବଲକୁ ରୋହିତ ଶର୍ମା ହୁକ୍‌ ଖେଳିବାକୁ ଯାଇ ଡିପ୍‌ ଫାଇନ୍‌ ଲେଗ୍‌ ଅଞ୍ଚଳରେ ସାମ କରନଙ୍କ ହାତରେ ଧରାପଡ଼ିଥିଲେ। ସେ ୧୦୭ ବଲ୍‌ ସମ୍ମୁଖୀନ ‌‌ହୋଇ ୩୬ ରନ୍‌ କରିଥିଲେ ମଧ୍ୟ ବଡ଼ ପାଳି ‌ଖେଳିବାର ସୁଯୋଗ ହାତଛଡ଼ା କରିଥିଲେ। ଭାରତ ୯୭ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେଙ୍କୁ ଶସ୍ତାରେ ଆଉଟ୍‌ ହୋଇଯାଇଥିଲେ। ପୂଜାରା (୪) ଏକ ଏଲବିଡବୁଲ୍ୟ ରିଭ୍ୟୁ କରି ବର୍ତ୍ତିଥିଲେ ମଧ୍ୟ ଆଗକୁ ବଢ଼ି ପାରିନଥିଲେ। ସମାନ ଢଙ୍ଗରେ ଅଜିଙ୍କ୍ୟ ରାହାଣେ ମଧ୍ୟ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। କିଛି ସମୟ ପୂର୍ବରୁ ଡାଇଭ୍ ମାରି ରନ୍‌ ଆଉଟ୍‌ରୁ ବର୍ତ୍ତିଯାଇଥିଲେ। କିନ୍ତୁ ଗୋଟିଏ ଓଭର ପରେ ରାହୁଲ ମନା କରିବା ସତ୍ତ୍ବେ ସେ କ୍ରିଜ୍‌ ଛାଡ଼ିବାରୁ ବେୟାରଷ୍ଟୋଙ୍କ ସିଧା ଥ୍ରୋ‌ରେ ରନ୍‌ ଆଉଟ୍ ହୋଇଯାଇଥିଲେ।

ଏହା ପୂର୍ବରୁ କିନ୍ତୁ ପୂଜାରା ଓ କୋହଲିଙ୍କୁ ଆଣ୍ଡରସନ୍‌ ଲଗାତାର ବଲ୍‌ରେ କଟ୍ ବିହାଇଣ୍ଡ୍ କରାଇ ଇଂଲଣ୍ଡକୁ ପ୍ରତ୍ୟାବର୍ତନର ସୁଯୋଗ ଦେଇଥିଲେ। ବର୍ଷା କାରଣରୁ କିନ୍ତୁ ନିଜ ୧୪ତମ ଓଭରକୁ ତିନି ଥର ବୋଲିଂ କରିବାର ସ‌ୁଯୋଗ ପାଇଥିଲେ ମଧ୍ୟ ସେ ଶେଷ କରିପାରିନାହାନ୍ତି। ସ୍ଥାନୀୟ ସମୟ ୨.୩୦ରେ ସେ ବୋଲିଂ ଆରମ୍ଭ କରିଥିଲେ। ୪.୧୫ରେ ଦ୍ବିତୀୟ ବଲ୍‌ ପକାଇଥିଲେ। ତୃତୀୟ ଓ ଚତୁର୍ଥ ବଲ୍‌ ୫.୦୦ ବେଳେ ବୋଲିଂ କରିଥିଲେ। ବର୍ଷା କିନ୍ତୁ ବାରମ୍ବାର ତାଙ୍କରି ଓଭର ବେଳକୁ ଆସି ଏହାକୁ ସମ୍ପୂର୍ଣ୍ଣ କରାଇ ଦେଇନଥିଲା। ସମ୍ଭବତଃ ତାଙ୍କ ଏହି ଓଭର ଆସନ୍ତାକାଲି ଶେଷ ହେବ।

ସମ୍ବନ୍ଧିତ ଖବର