ପ୍ରଥମ ଥର ଲକ୍ଷ୍ମଣ, ଦ୍ରାବିଡ଼ଙ୍କ ସାମ୍ନା କଲାବେଳେ ଡରି ଯାଇଥିଲି: ଉମେଶ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଖେଳାଯାଇଥିବା ୨୦୦୮-୦୯ ଦଲୀପ ଟ୍ରଫିର ଏକ ମ୍ୟାଚ୍ କଥା ମନେ ପକାଇଛନ୍ତି। ଏହି ମ୍ୟାଚ୍‌ରେ ଉମେଶ ପ୍ରଥମ ଥର ଲାଗି ଘରୋଇ ପ୍ରତିଯୋଗିତାରେ ଦୁଇ ମହାନ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ରାହୁଲ ଦ୍ରାବିଡ଼ ଓ ଭିଭିଏସ୍ ଲକ୍ଷ୍ମଣଙ୍କ ବିପକ୍ଷରେ ଖେଳିବାର ଥିଲା। ଉଭୟଙ୍କ ନାଁ ଶୁଣି ସେ ପ୍ରଥମେ ଡରି ଯାଇଥିଲେ ବୋଲି ରବିବାର ଏକ ସାକ୍ଷାତକାର‌ରେ ଉମେଶ କହିଛନ୍ତି। ମୁଁ ଯେ‌ତେବେ‌ଳେ ଦଲୀପ ଟ୍ରଫି ଖେଳିବାକୁ ଗଲି ଜାଣିବାକୁ ପାଇଲି ଯେ ମୁଁ ଦ୍ରାବିଡ୍‌ ଓ ଲକ୍ଷ୍ମଣଙ୍କ ବିପକ୍ଷରେ ଖେଳିବି ଏବଂ ବୋଲିଂ ମଧ୍ୟ କରିବି। ଏହି କଥା ଭାବି ମୁଁ ଡରି ଯାଇଥିଲି।

ଏଭଳି ଚାପରେ ସେମାନଙ୍କ ବିପକ୍ଷରେ ଭଲ ବୋଲିଂ କରିଥିବାକୁ ମୁଁ ବିଶ୍ବାସ କରିପାରୁନି ବୋଲି ଏହି ଡାହାଣହାତୀ ଦ୍ରୁତ ବୋଲର ୟୁଟୁବ୍‌ ଚାଟ୍‌ ‌‌ସୋ’ ‘ସ୍ପାଇସ ପିଚ’ରେ ପ୍ରକାଶ କରିଛନ୍ତି। ଉମେଶ ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଲକ୍ଷଣଙ୍କୁ ୧୩ ରନ୍‌ ଏବଂ ଦ୍ରାବିଡ଼ଙ୍କୁ ୭ ରନ୍‌ରେ ଆଉଟ୍‌ କରିବା ସହ ୫ ୱିକେଟ୍‌ ସଫଳତା ‌ହାସଲ କରିଥିଲେ। ଏହି ମ୍ୟାଚ୍‌ର ୧୬ ମାସ ପରେ ସେ ଜି‌ମ୍ବାୱେ ବିପକ୍ଷରେ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିବାର ସୁଯୋଗ ପାଇଥିଲେ। ଲକ୍ଷ୍ମଣ ଓ ଦ୍ରାବିଡ଼ଙ୍କ ସହ ୫ ୱିକେଟ୍‌‌ ସଫଳତା ମୋ ମନରେ ଦୃଢ଼ ଆତ୍ମବିଶ୍ବାସ ଆଣିଥିଲା। ଯଦି ନିଜ ଉପରେ ଦୃଢ଼ ବିଶ୍ବାସ ରଖିବ ତେବେ ସଫଳତା ନିଶ୍ଚିତ ଜୀବନରେ ଆସିବ ବୋଲି ଉମେଶ କହିଛନ୍ତି।

ସମ୍ବନ୍ଧିତ ଖବର