ଆରମ୍ଭ ହେଲା ଫୁଟ୍‌ବଲ୍‌ ମହାସମର: ଉଦ୍‌ଘାଟନୀ ଉତ୍ସବରେ ଆରବୀୟ ଝଲକ

ପ୍ରଥମ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ବେଡ଼ର

ଦୋହା : ଅନେକ ବାଦ ବିବାଦ ଓ ପ୍ରତିବନ୍ଧକ ଭିତରେ କାତାରରେ ରବିବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ୍‌ର ମହାସମର ଫିଫା ବିଶ୍ବକପ୍‌। ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ବକପ୍‌ରେ ପଦାର୍ପଣ କରିଛି। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଅଧଘଣ୍ଟାର ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଫ୍ରାନ୍ସର ପୂର୍ବତନ ଖେଳାଳି ମାର୍ସେଲ୍‌ ଡିସେଲିଙ୍କଠାରୁ। ଗତ ସଂସ୍କରଣର ବିଜେତା ଫ୍ରାନ୍ସ ତରଫରୁ ମାର୍ସେଲ୍‌ ବିଶ୍ବକପ୍‌ ଟ୍ରଫିକୁ ହସ୍ତାନ୍ତର କରିଥିଲେ। ପରେ ବରିଷ୍ଠ ଆମେରିକୀୟ ଅଭିନେତା ମୋର୍ଗାନ୍‌ ଫ୍ରିମ୍ୟାନ୍‌ ଅଭିନୟ ମାଧ୍ୟମରେ ବିଶ୍ବ ଏକତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। ଫୁଟ୍‌ବଲ୍‌ ମାନିଆ ସାରା ବିଶ୍ବରେ ବ୍ୟାପିଛି। ଏହି ଖେଳପ୍ରତି ଥିବା ଭଲପାଇବା ଦେଶ ଦେଶକୁ ଯୋଡୁଛି। ଦେଶମାନେ ଏକାଠି ହେବା ଦ୍ବାରା ବିଭିନ୍ନ ସମ୍ପ୍ରଦାୟମାନେ ମଧ୍ୟ ଏକ ହେଉଥିବା ମୋର୍ଗାନ୍ ତାଙ୍କ ଅଭିନୟ ଭରା ବାର୍ତ୍ତାରେ ଉଲ୍ଲେଖ କରିଥିଲେ।

ପଛକୁ ପଛ ଆରବିକ୍‌ ପରମ୍ପରାର ଝଲକ ଭିତରେ ଆରମ୍ଭ ହୋଇଥିଲା ନାଚ ଗୀତର ଆସର। ‘ପ୍ଲିଜ୍‌ ଡୋଣ୍ଟ ଟେକ୍‌ ମି ଟୁ ହୋମ୍‌’, ‘ଓଲେ ଓଲେ ‌ଓଲେ’ ଟ୍ରାକ୍‌ର ତାଳେ ତାଳେ ନୃତ୍ୟ ପରିବେଷଣ ହୋଇଥିଲା। ଦକ୍ଷିଣ କୋରିଆ ବିଟିଏସ୍‌ ବ୍ୟାଣ୍ଡ୍‌ର ପପ୍‌ଷ୍ଟାର୍‌ ଜଙ୍ଗ କୁକ୍‌ ‘ଡ୍ରିମର୍ସ’ ପରିବେଷଣ କରିଥିଲା ବେଳେ କାତାରୀ ଗାୟକ ଫହାଦ୍‌ ଅଲ୍‌ କୁବୈସି ଷ୍ଟାଡିୟମ୍‌ର ଉଷ୍ମତାକୁ ବଢ଼ାଇ ଦେଇଥିଲେ। ହେଲେ ଯେଉଁ ବଡ଼ବଡ଼ ତାରକାମାନେ ଏଠାରେ ଗୀତ ଓ ନୃତ୍ୟ ପରିବେଷଣ କରିବେ ବୋଲି କୁହାଯାଇଥିଲା, ‌ତାହା ଦେଖିବାକୁ ମିଳିନଥିଲା।

ଶେଷ ଆଡ଼କୁ ବିଗତ ବିଶ୍ବକପ୍‌ଗୁଡ଼ିକର ମାସ୍କଟ ସହିତ ଚଳିତ ଥରର ମାସ୍କଟ ‘ଲାଇବ୍‌’ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଶ୍ବକପ୍‌ର ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ବର ବଡ଼ବଡ଼ ନେତାମାନେ ମଧ୍ୟ ଏକାଠି ହୋଇଥିଲେ। ଆଲ୍‌ଜେରିଆନ୍‌ ରାଷ୍ଟ୍ରପତି ଆବଦେଲ୍‌ମାଜିଦ୍‌ ତେବୁନ୍‌, ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଆବାସ, ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟରେସ୍, ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ୍‌ ଫତା ଅଲ୍‌ ସିସି, ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ପ୍ରମୁଖ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।

୨୯ ଦିନ ଧରି ଚାଲିବାକୁ ଥିବା ଏହି ଫୁଟ୍‌ବଲ୍ ସମରରେ ୩୨ ଦେଶ ମୋଟ ୬୪ ମ୍ୟାଚ୍‌ ଖେଳିବେ। କାତାରର ୫ ସହର ଓ ୮ ଷ୍ଟାଡିୟମ୍‌ରେ ଏହି ସବୁ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୧୮ ତାରିଖରେ ଫାଇନାଲ୍ ମ୍ୟାଚ୍‌ ସହ ଏହି ୪ ବଷିଆ ଫୁଟ୍‌ବଲ୍ ଯୁଦ୍ଧ ଶେଷ ହେବ।

ପ୍ରଥମ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ବେଡ଼ର

ଦୋହା : ଆରବୀୟ ସଂସ୍କୃତି ଓ ଐତିହ୍ୟର ଛାପ ଭିତରେ ରବିବାର ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଉଦ୍‌ଘାଟିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆମେରିକୀୟ ଦେଶ ଇକ୍ବେଡ଼ର ୨-୦ ‌ଗୋଲ୍‌ରେ ଆୟୋଜକ କାତାରକୁ ପରାସ୍ତ କରିଛି। ଘରୋଇ ପ୍ରଶଂସକ ଓ ବୁକିଙ୍କ ଫେଭରିଟି ରହିଥିଲେ ମଧ୍ୟ କାତାର ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମାର୍ଦ୍ଧରେ ହିଁ ଉଭୟ ଗୋଲ୍ ବରଣ କରି ନେଇଥିଲା। ଏଥି ସହିତ ୮୮ ବର୍ଷ ପରେ ଏକ ଆୟୋଜକ ଦେଶ ଭାବେ ଫିଫା ବିଶ୍ବକପ୍‌ରେ ପଦାର୍ପଣ ସୁଯୋଗ ପାଇଥିବା କାତାର ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଆ‌େୟାଜକ ଦେଶ ଉଦଘାଟନୀ ମ୍ୟାଚ୍ ହାରିବାରେ ଏହା ହେଉଛି ପ୍ରଥମ ଘଟଣା।
ରବିବାର ଅଲ୍ ବାୟତ ଷ୍ଟାଡିୟମ୍‌ରେ ଭରପୂର ୬୦,୦୦୦ ଦର୍ଶକ ଉଦ୍‌ଘାଟନୀ ଉତ୍ସବର ମଜା ‌ନେଇଥିଲେ ମଧ୍ୟ ମ୍ୟାଚ୍‌ ବେଳକୁ ନିରାଶ ହୋଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଇକ୍ବେଡ଼ର ୨-୦ରେ ଆଗୁଆ ହୋଇଯାଇଥିଲା।

ପ୍ରଥମରୁ ହିଁ ଇକ୍ବେଡ଼ର ଉତ୍ତମ ସମନ୍ବୟ ସହ ପ୍ରାଧାନ୍ୟ ବିସ୍ତାର କରିଥିଲା। ପଞ୍ଚମ ମିନିଟ୍‌ରେ ଇନର୍ ଭାଲେନସିଆଙ୍କ ଚମତ୍କାର ଗୋଲ୍‌କୁ ଭାର୍‌ ଜରିଆରେ ଅଫସାଇଡ୍‌ କରି ଦିଆଯାଇଥିଲା। ପରେ ପରେ ଅଧିନାୟକ ଭାଲେନସିଆଙ୍କ ଡବଲ୍‌ ଗୋଲ୍‌ ନିର୍ଣ୍ଣାୟକ‌ ହୋଇଥିଲା। ବିପଜ୍ଜନକ ଟାକଲ୍‌ରୁ ୧୬ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟିକୁ ସେ ପ୍ରଥମ ଗୋଲ ଦେଇଥିଲେ। ୩୧ତମ ମିନିଟ୍‌ରେ ହେଡର୍‌ ଜରିଆରେ ଦ୍ବିତୀୟ ଗୋଲ୍ ଦେଇଥିଲେ। ନିର୍ଣ୍ଣାୟକ ଅଗ୍ରଣୀ ପରେ ଇକ୍ବେଡ଼ର ଏବଂ ପଛୁଆ ପଡ଼ିଯିବା ପରେ ଘରୋଇ କାତାର ଦ୍ବିତୀୟାର୍ଦ୍ଧକୁ ରକ୍ଷଣାତ୍ମକ ଭାବେ ଗୋଲଶୂନ୍ୟ ଖେଳିଥିଲେ। ଫଳରେ ସମ୍ପୂର୍ଣ୍ଣ ୩ ପଏଣ୍ଟରୁ ଇକ୍ବେଡ଼ର ଅଭିଯାନ ଆରମ୍ଭ କରିନେଲା।

ସମ୍ବନ୍ଧିତ ଖବର