ୟୁରୋକପ୍ ଫାଇନାଲ୍‌କୁ ନେଇ ଉଠୁଛି ପଡ଼ୁଛି ଫୁଟବଲ୍ ଦୁନିଆ: ଇଟାଲି, ଇଂଲଣ୍ଡ, ଇତିହାସ

ୱେମ୍ବଲି ଷ୍ଟାଡିୟମ୍‌ରେ ଆଜି ମଧ୍ୟରାତ୍ରରେ ହେବ ମହା‌ମୁକାବିଲା

ଲଣ୍ଡନ: ୟୁରୋ କପ୍ ଫୁଟବଲ୍ ପ୍ରତିଯୋଗିତାର ବହୁ ପ୍ରତିକ୍ଷୀତ ଫାଇନାଲ୍‌ରେ ୟୁରୋପ ମହାଦେଶର ଦୁଇ ଫୁଟବଲ୍ କ୍ଷମତାକେନ୍ଦ୍ର ଇଂଲଣ୍ଡ ଓ ଇଟାଲି ରବିବାର ମଧ୍ୟରାତ୍ରରେ ମୁହାଁମୁହିଁ ହେବେ। ସ୍ଥାନୀୟ ୱେମ୍ବଲି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମହାମୁକାବିଲାକୁ ନେଇ ଫୁଟବଲ୍‌ ଦୁନିଆ ଉଠୁଛି ପଡ଼ୁଛି। ଇଂଲଣ୍ଡ ପ୍ରଥମ ଥର ପାଇଁ ୟୁରୋକପ୍ ଫାଇନାଲ୍‌ରେ ପ୍ରବେଶ କରିଛି। ଘରୋଇ ପରିବେଶରେ ଟ୍ରଫି ତୋଳି ଧରିବା ଆଶାରେ ଅଛି। ସେହିଭଳି ୧୯୫୫ ମସିହା ପରେ ‌ଇଂଲିସ୍ ଫୁଟବଲ୍ ଦଳ ପାଇଁ ମଧ୍ୟ ରବିବାର କୌଣସି ବଡ଼ ପ୍ରତିଯୋଗିତାର ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ରହିବ। କାରଣ ୧୯୬୬ ମସିହାରେ ବିଶ୍ବକପ୍ ଜିତିବା ପରେ ଇଂଲଣ୍ଡ ଫୁଟବଲ୍ ଦଳ ଆଉ କୌଣସି ବଡ଼ ଧରଣର ଟ୍ରଫି ଜିତିନି। ସଂଯୋଗବଶତଃ ୱେମ୍ବଲି ଷ୍ଟାଡିୟମ୍‌ରେ ହିଁ ଇଂଲଣ୍ଡ ୧୯୬୬ ବିଶ୍ବକପ୍ ଫାଇନାଲ୍‌ ଖେଳି ପ୍ରଥମ ଓ ଶେଷ ଥର ପାଇଁ ବିଜେତା ହୋଇଥିଲା। ସେହି ପୁରୁଣା ସଫଳତା ଦୋହରାଇବା ଲାଗି ହ୍ୟାରି କେନ୍‌ଙ୍କ ଦଳ ପୂରା ଦମ୍‌ରେ ଖେଳିବ।

ଏହି ଦଳ ମଧ୍ୟ ନିଜ ଟ୍ରଫି ମରୁଡ଼ି ଦୂର କରି ନୂଆ ଇତିହାସ ରଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସେପଟେ ୧୯୬୮ ମସିହାରେ ବିଜେତା ହେବା ପରେ ଇଟାଲି ଆଉ ୟୁରୋକପ୍ ଜିତିବାର ସୌଭାଗ୍ୟ ପାଇନି। ଏଣୁ ଏହି ଦଳ ୫୩ ବର୍ଷ ପରେ ପୁଣି ୟୁରୋକପ୍ ଜିତି ସେହି ପୁରୁଣା ହୃତ ଗୌରବ ଫେରି ପାଇବାକୁ ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବ। ୨୦୦୦ ଓ ୨୦୧୨ରେ ଇଟାଲି ଫାଇନାଲ୍ ଖେଳିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଉପବିଜେତା‌ରେ ସନ୍ତୁଷ୍ଟ ରହିଥିଲା। ଏଥର ସେହି ଭୁଲକୁ ଦୂର କରି ବିଜୟ ମୁକୁଟ ପିନ୍ଧିବାକୁ ବ୍ୟଗ୍ର ଥିବ। ଚଳିତ ୟୁରୋ କପ୍‌ରେ ଇଟାଲି ଅପରାଜେୟ ରହି ଫାଇନାଲ୍ ଆସିଛି। ଆୟୋଜକ ଇଂଲଣ୍ଡ ପୂରା ପ୍ରତିଯୋଗିତାରେ ମାତ୍ର ଗୋଟିଏ ଗୋଲ୍ ବରଣ କରିଛି। ଏଣୁ ରବିବାରର ମହାମୁକାବିଲା ବେଶ୍ ରୋମାଞ୍ଚକ, ଉତ୍କଣ୍ଠାପୂର୍ଣ୍ଣ, ସଂପର୍ଘପୂର୍ଣ୍ଣ ଓ ନାଟକୀୟ ହେବ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି।

୩୩ ମ୍ୟାଚ୍‌ରେ ଅପରାଜେୟ ରହିଛି ଇଟାଲି
ଉଭୟ ଦଳ ସେମିଫାଇନାଲ୍ ଭିନ୍ନ ଭିନ୍ନ ଫର୍ମେସନରେ ଖେଳିଥିଲେ। ଇଟାଲି ୪-୩-୩ ଏବଂ ଇଂଲଣ୍ଡ ୫-୩-୨ ଲାଇନ ଅପ୍‌ରେ ବିଜୟୀ ହୋଇଥିଲା। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟକୁ ତର୍ଜମା କଲେ ସ୍ପଷ୍ଟ ହୋଇଯାଏ ଯେ ଇଟାଲି ମଧ୍ୟଭାଗ ବେଶ୍ ସୁଦୃଢ଼। ଏଣୁ ଇଂଲଣ୍ଡ ଅଗ୍ରଭାଗ ଓ ରକ୍ଷଣଭାଗକୁ ଅଧିକ ସତର୍କ ରହିବାକୁ ହେବ। କହିବାକୁ ଗଲେ ଇଂଲଣ୍ଡ ଯଦି ନୂଆ ଇତିହାସ ରଚିବ, ତାହେଲେ ଏଥିରେ ନିଶ୍ଚିତ ଭାବେ ଅଧିନାୟକ ହ୍ୟାରି‌ କେନ୍‌ ଓ ଅଭିଜ୍ଞ ଖେଳାଳି ରହିମ ଷ୍ଟର୍ଲିଂଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିବ। ଜର୍ଜିଓ ଚିଲେନି ଓ ଲିଓନାର୍ଡୋ ବେନୁସି ଇଟାଲି ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି। ତେବେ ପୂର୍ବ ପ୍ରଦର୍ଶନ, ସଫଳତା ଓ ଫାଇନାଲ୍ ଖେଳିବାର ଅଭିଜ୍ଞତା ଦୃଷ୍ଟିରୁ ଇଟାଲି ଏହି ମେଗା ଫାଇନାଲ୍‌ର ଫେବରିଟ୍ ଦଳ ରହିବ। ଇଟାଲି ଗତ ୩୩ ମ୍ୟାଚ୍‌ରେ ଅପରାଜେୟ ରହିଛି। କ୍ରମାଗତ ଭାବେ ଏହା ହେଉଛି ଏହି ଦଳ ସବୁଠାରୁ ଲମ୍ବା ବିଜୟ ଧାରା। ଅନ୍ୟପକ୍ଷରେ ଇଂଲଣ୍ଡ ଗତ ୧୨ ମ୍ୟାଚ୍‌ରେ ଅପରାଜେୟ ରହିଥିଲା ବେଳେ ୱେମ୍ବଲି ଷ୍ଟାଡିୟମ୍‌ରେ ଖେଳିଥିବା ଗତ ୧୭ ମୁକାବିଲାରୁ ୧୨ରୁ ଅଧିକ ମ୍ୟାଚ୍ ଜିତିଛି।

ସମ୍ବନ୍ଧିତ ଖବର