ନୂଆଦିଲ୍ଲୀ: ପୂର୍ବତନ ଡବ୍ଲୁଡବ୍ଲୁଇ ତାରକା ସାଡ୍ ଗାସପାର୍ଡ ନିଖୋଜ ହୋଇଯାଇଛନ୍ତି। ନୂତନ ଭାବେ ଖୋଲାଯାଇଥିବା ଭେନିସ୍ ବିଚ୍ରୁ ସେ ସୋମବାର ନିଖୋଜ ହୋଇଥିବା ତାଙ୍କ ପତ୍ନୀ ସିଲିଆନା ଗାସପାର୍ଡ ସୂଚନା ଦେଇଛନ୍ତି। ସିଲିଆନା ଇନ୍ଷ୍ଟାଗ୍ରାମରେ ଛାଡ଼ିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ ଭେନିସ ବିଚ୍ର ମାରିନା ଡେଲ୍-ରେ ବିଚ୍ରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଯଦି କେହି ତାଙ୍କୁ ଦେଖନ୍ତି, ତାହେଲେ ୯୧୧ କିମ୍ବା ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
ଏହି ଘଟଣା ପରେ ତଲାସି ଅଭିଯାନ ଆରମ୍ଭ ହୋଇଯାଇଥିବା ଲସ୍ ଆଞ୍ଜଲେସ୍ କର୍ତ୍ତୃପକ୍ଷ ଜଣାଇଛନ୍ତି। କିନ୍ତୁ ସେମାନେ କାହାର ନାମ ସ୍ପଷ୍ଟ କରିନାହାନ୍ତି। ତେବେ ସେରିଫ ବିଭାଗର ମୁଖପାତ୍ର ତ୍ରିନା ଚ୍ରାଡର କହିଛନ୍ତି ଯେ ବିଭାଗ ସହ ଆମେରିକାର କୋଷ୍ଟ ଗାର୍ଡ, ଲସ୍ ଆଞ୍ଜଲେସ୍ର ଲାଇଫ୍ଗାର୍ଡ ସମସ୍ତେ ସ˚ପୃକ୍ତ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏପରିକି ଆକାଶମାର୍ଗରୁ ମଧ୍ୟ ତାଙ୍କର ସନ୍ଧାନ ଜାରି ରଖାଯାଇଥିବା କୁହାଯାଇଛି। ତେବେ ସାମୁଦ୍ରିକ ଲାଇଫ୍ଗାର୍ଡ ବିଶେଷଜ୍ଞ ତଥା ଲସ୍ ଆଞ୍ଜଲେସ ଅଗ୍ନିଶମ ବିଭାଗର ପୋନୋ ବାର୍ଣ୍ଣେସଙ୍କ ସୂଚନା ଅନୁଯାୟୀ, ସମୁଦ୍ର କରେଣ୍ଟ ସ˚ସ୍ପର୍ଶରେ ଦୁଇ ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାଳକକୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟଜଣେ ବୁଡ଼ି ଯାଇଛନ୍ତି। ହେଲେ ଉକ୍ତ ବ୍ୟକ୍ତି ଜଣକ ଗାସପାର୍ଡ କି ନୁହେଁ, ତାହା ସ୍ପଷ୍ଟ କରିପାରିନାହାନ୍ତି। କରୋନା ପାଇଁ ସମୁଦ୍ର କୂଳଗୁଡ଼ିକୁ ବନ୍ଦ ରଖାଯାଇଥିଲା ବେଳେ ବୁଧବାର ସେଗୁଡିକୁ ଖୋଲିଦିଆଯାଇଥିଲା। ଗାସପାର୍ଡ ୨୦୦୬ରେ ଡବ୍ଲୁଡବ୍ଲୁଇରେ ଜଡ଼ିତ ହୋଇଥିଲା ବେଳେ ୨୦୧୦ରେ ଅଭିନୟ କରିବା ଆଗ୍ରହ ସକାଶେ ଏହାକୁ ଛାଡ଼ିବାକୁ ପଡ଼ିଥିଲା। ସେ ‘ଥିଙ୍କ ଲାଇକ୍ ଏ ମ୍ୟାନ ଠୁ’ ଏବ˚ ‘ଦି ଲାଷ୍ଟ ସାର୍କନାଡୋ: ଇଟ୍ସ ଏବାଉଟ ଟାଇମ୍’ରେ ଅଭିନୟ କରିଥିଲେ।