ଭାରତୀୟ ହକି ଦଳର ଚତୁର୍ଥ ବିଜୟ, ଗ୍ରେଟ୍‌ ବ୍ରିଟେନ୍‌ ସହ କ୍ବାର୍ଟର ଫାଇନାଲ୍ ରବିବାର

ଟୋକିଓ : ଭାରତୀୟ ପୁରୁଷ ହକି ଦଳର ଲଗାତାର ବିଜୟ ଧାରା ଜାରି ରହିଛି। ପଞ୍ଚମ ତଥା ଶେଷ ପୁଲ୍‌ ମ୍ୟାଚ୍‌ରେ ମନପ୍ରୀତ୍ ସିଂହଙ୍କ ଦଳ ଶୁକ୍ରବାର ୫-୩ ଗୋଲ୍‌ରେ ଜାପାନକୁ ପରାସ୍ତ କରି ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଲିଗ୍‌ ଅଭିଯାନ ଶେଷ କରିଛି। ପୁଲ୍‌ରେ ଅଷ୍ଟ୍ରେଲିଆ ତଳକୁ ଦ୍ବିତୀୟ ସ୍ଥାନରେ ରହିବାରୁ ଅଗଷ୍ଟ ପହିଲାରେ ଗ୍ରେଟ୍ ବ୍ରିଟେନ୍‌ ସହ କ୍ବାର୍ଟର ଫାଇନାଲ୍ ଦିନ ଧାର୍ଯ୍ୟ ହୋଇଛି। ଅନ୍ୟ କ୍ବାର୍ଟର ଫାଇନାଲ୍‌ଗୁଡିକରେ ଅଷ୍ଟ୍ରେଲିଆ-ନେଦରଲାଣ୍ଡସ, ଆର୍ଜେଣ୍ଟିନା-ଜର୍ମାନି, ସ୍ପେନ୍-ବେଲଜିୟମ ମୁକାବିଲା ହେବ।

ଶୁକ୍ରବାର ମୁକାବିଲା ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା। ଜାପାନ ଖେଳାଳିଙ୍କ ବେଗ ଭାରତୀୟଙ୍କ ପାଇଁ ଚିନ୍ତାର କାରଣ‌ ହୋଇଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଛୋଟ ଛୋଟ ପାସ୍‌ ସହିତ ଜାପାନର ରକ୍ଷଣଭାଗକୁ ଭେଦ କରିବାରେ ଲାଗିଥିଲେ। ୧୩ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ହର୍ମନପ୍ରୀତ୍ ସିଂହ ଏକ ଚମତ୍କାର ଡ୍ରାଗ୍‌ ଫ୍ଲିକ୍ କରି ଜାପାନ ଗୋଲି ତାକାଶି ୟୋଶିକାୱାଙ୍କୁ ପରାସ୍ତ କରିଥିଲେ। ବଲକୁ ତାକାଶି ଛୁଇଁଥିଲେ ମଧ୍ୟ ଏହା ଗୋଲ୍‌ ହୋଇଯାଇଥିଲା। ୪ ମିନିଟ୍‌ ପରେ ଅର୍ଥାତ୍‌ ଦ୍ବିତୀୟ କ୍ବାର୍ଟର ପ୍ରଥମରୁ ସିମ୍ରନଜିତ୍ ସିଂହଙ୍କ ପାସ୍‌ରୁ ଗୁରଜାଣ୍ଟ୍ ସିଂହଙ୍କ ଫିଲ୍ଡ ଗୋଲ୍‌ ବଳରେ ଭାରତ ୨-୦ରେ ଆଗୁଆ ହୋଇଯାଇଥିଲା। ୨ ମିନିଟ୍ ପରେ ବୀରେନ୍ଦ୍ର ଲାକ୍ରା ବଲ୍‌ ଉପରୁ ନିୟନ୍ତ୍ରଣ ହରାଇବା ପରେ କାନ୍ତା ତାନାକାଙ୍କ ଫିଲ୍ଡ ଗୋଲ୍‌ ବ୍ୟବଧାନକୁ କମାଇଥିଲା। ଦ୍ବିତୀୟ କ୍ବାର୍ଟର ତଥା ପ୍ରଥମାର୍ଧ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ୩୩ତମ ମିନିଟରେ କୋତା ୱାତାନାବେଙ୍କ ଫିଲ୍ଡ ଗୋଲ୍‌ ଜାପାନକୁ ୨-୨ ସ୍ତରକୁ ନେଇ ଆସିଥିଲା। ୱାତାନାବେଙ୍କୁ ସୁରେନ୍ଦର କୁମାର ବ୍ଲକ୍ କରିବାରୁ ଅମ୍ପାୟାର୍‌ ପ୍ରଥମେ ପେନାଲ୍ଟି ‌ଷ୍ଟ୍ରୋକ୍ ଦେଇଥିଲେ। ଭାରତ ରେଫରାଲ୍ ନେବା ପରେ କିନ୍ତୁ ହ୍ବିସଲ୍ ବାଜିବା ପୂର୍ବରୁ ଗୋଲ୍‌ ମୁହାଁ ବଲ୍‌କୁ ବ୍ଲକ୍ କରାଯାଇଥିବାରୁ ଗୋଲ୍‌ ଦିଆଯାଇଥିଲା। ଭାରତ କିନ୍ତୁ ପରବର୍ତୀ ମିନିଟରେ (୩୪) ଏହାର ଜବାବ ଦେଇଥିଲା। ନିଳକଣ୍ଠ ଶର୍ମାଙ୍କ ସଟ୍‌କୁ ସାମସେର ସିଂହ ଗୋଲ୍‌ ଭିତରକୁ ପଠାଇ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ବାମପାର୍ଶ୍ବରୁ ସୁରେନ୍ଦ୍ର କୁମାରଙ୍କ ପାସକୁ ନିଳକଣ୍ଠ ଶର୍ମା ଗୋଲ ଦେଇ ଭାରତକୁ ୪-୨ରେ ଆଗୁଆ କରିଦେଇଥିଲେ। ଗୁରଜାଣ୍ଟ କିନ୍ତୁ ଦଳର ଆଉ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ତଥାପି ଗୋଟିଏ ମିନିଟ୍‌ ଖେଳ ଥିବାବେଳେ କାଜୁମା ମୁରାତା ଜାପାନ ପାଇଁ ତୃତୀୟ ଗୋଲ୍‌ (୫୯ ମିନିଟ୍‌) ଦେଇଥିଲେ। ଏହା କିନ୍ତୁ ଭାରତକୁ ବିଜୟରୁ ଦୂରେଇ ରଖି ପାରିନଥିଲା।

ମ୍ୟାଚ୍‌ ପରେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ସନ୍ତୋଷ ପ୍ରକାଶ କରିବା ସହ ଅଧିକ ଉନ୍ନତିର ଆବଶ୍ୟକତା ରହିଛି‌ ବୋଲି ପ୍ରକାଶ କରିଥିଲେ। ‘ଆଜି ରାତିରେ ଉନ୍ନତ ପ୍ରଦର୍ଶନ ମିଳିଲା। ପ୍ରଥମ କ୍ବାର୍ଟର ଭଲ ବିତିଥିଲା, କିନ୍ତୁ ସେମାନେ ଗୋଲ୍ ଦେବା ପରେ ଆମେ ନିୟନ୍ତ୍ରଣ ହରାଇଥିଲୁ। ଦ୍ବିତୀୟାର୍ଧରେ ଆମେ ଲୟକୁ ଫେରିବା ସହ ନିୟନ୍ତ୍ରଣକୁ ଫେରିଥିଲୁ। ମୁଁ ଭାବୁଛି ସବୁଠୁ ଉନ୍ନତ ଏବଂ ଉଚ୍ଚ ସ୍ତରର ହକି‌ ଖେଳିଥିଲୁ ଯେଭଳିକି ରବିବାର ଖେଳିବାର ଅଛି। ସବୁଠାରୁ ଭଲ କଥା ହେଉଛି କିଛି ଫିଲ୍ଡ ଗୋଲ୍‌ (୩) ଗୋଲ୍‌ ଦେଲୁ, ଅନେକ ସୁଯୋଗ ବି ସୃଷ୍ଟି କରିଥିଲୁ। ତଥାପି ଆମକୁ ସର୍କଲରୁ ଅଧିକ ସଫଳତା ପାଇବା ଲାଗି ଉନ୍ନତି କରିବାର ଆବଶ୍ୟକତା ରହିଛି’ ବୋଲି କହିଥିଲେ ଏହି ୫୭ ବର୍ଷୀୟ ଅଷ୍ଟ୍ରେଲୀୟ।

ସମ୍ବନ୍ଧିତ ଖବର