ଫ୍ରାଞ୍ଚାଇଜ୍‌ଙ୍କ ଆଶା ଆଇପିଏଲ୍‌ ଟିଭି ଦର୍ଶକଙ୍କ ସଂଖ୍ୟା ବଢ଼ିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଛୋଟ ହେବ କି ବଡ଼, ଦେଶରେ ହେବ କି ବିଦେଶରେ ତାହା ଠିକ୍‌ ‌ହୋଇନି। କିନ୍ତୁ କରୋନା ମହାମାରୀ ସତ୍ବେ ଚଳିତ ବର୍ଷ ଟିଭି ଦର୍ଶକଙ୍କ ସଂଖ୍ୟା ବଢ଼ିବ ବୋଲି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଶା ରଖିଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ ୧୮ରେ ହେବାର ଥିଲା। ହେଲେ କରୋନା ଯୋଗୁଁ ଏହା ସ୍ଥଗିତ ରହିଛି। ବିସିସିଆଇ ଏହାକୁ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜନ କରିବା ଲାଗି ଅଣ୍ଟା ଭିଡ଼ିଛି। ତଥାପି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। ଆୟୋଜକ ଅଷ୍ଟ୍ରେଲିଆ ୧୬ ଦେଶକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା କଷ୍ଟକର ଓ ଆହ୍ବାନପୂର୍ଣ୍ଣ ହେବ ବୋଲି ମଙ୍ଗଳବାର କହିବା ପରେ ଆଇପିଏଲ୍‌ର ଭାଗ୍ୟ ଖୋଲିବା ସମ୍ଭାବନା ବଢ଼ିଛି।

ଏବେ ଯାହା ପରିସ୍ଥିତି ରହିଛି ୧୬ ଦେଶୀୟ ବିଶ୍ବକପ୍‌ ଆୟୋଜନ ସମ୍ଭବ ଲାଗୁନି। ଉଭୟ ପଡ଼ିଆ ବାହାର ଓ ଭିତରେ ଉପଯୁକ୍ତ ଭିତ୍ତିପ୍ରସ୍ତକୁ ଦେଖିଲେ ଆଇପିଏଲ୍‌ ଆୟୋଜନ ମଧ୍ୟ ସହଜ ହେବନି ବୋଲି କିଙ୍ଗ୍ସ ଏକାଦଶ ପଞ୍ଜାବ ସହମାଲିକ ନେସ ୱାଡିଆ କହିଛନ୍ତି। ବିସିସିଆଇ ପୂରା ଆଇପିଏଲ୍‌ ଯୋଜନାରେ ରହିଛି। ଯଦି ବି କିଛି କାଣ୍ଟ ଛାଣ୍ଟ୍‌ କରେ ଆମର କୌଣସି ଆପତ୍ତି ରହିବନି। ଭାରତ ଭିତରେ କି ବାହାରେ ଏହି ପ୍ରତିଯୋଗିତା ଆୟୋଜ‌ନରେ କିଛି ଅସୁବିଧା ନାହିଁ। ଆମକୁ ହୋଟେଲରେ ଅଧିକ ରୁମ୍‌ ମିଳିବା ଦରକାର। ଖେଳାଳିଙ୍କ କ୍ବାରାଣ୍ଟାଇନ୍‌ ରହିବା ଆବଶ୍ୟକ ହେଲେ ଯେପରି ଅସୁବିଧା ନ ରହିବ ବୋଲି ସେ କହିଛନ୍ତି। ଯଦି ଏହା ଏକ ଛୋଟ ପ୍ରତିଯୋଗିତା ହେବ ତେବେ ମ୍ୟାଚ୍‌ ସଂଖ୍ୟା ନିଶ୍ଚିତ କମିବ। ମୁଁ ଅନୁରୋଧ କରୁଛି ଯେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଭଳି ପ୍ରତିଯୋଗିତା ଆୟୋଜନ କରାଯାଉ। ଫଳରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ପ୍ରାୟୋଜକ ଯୋଗାଡ଼ କରିବାରେ ଅସୁବିଧା ହେବନି। ସାରା ବିଶ୍ବ ଏହି ଧନୀ ଲିଗ୍‌ ଦେଖିବା ଲାଗି ଚାହିଁ ରହିଥିବାରୁ ବନ୍ଦ ଦ୍ବାରା ପଛରେ ପ୍ରତିଯୋଗିତା ଆୟୋଜିତ ହେଲେ ମଧ୍ୟ ଟିଭି ଦର୍ଶକଙ୍କ ନିଶ୍ଚିତ ବଢ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର