ଭୁବନେଶ୍ବର କ୍ରିକେଟ୍‌ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ: ବିଏଏରୁ କ୍ରିକେଟ୍‌କୁ କାଢ଼ିନେବାକୁ ବିସିଏର ଦାବି

ରାଜ୍ୟସରକାର କ୍ରୀଡ଼ା ନିୟାମକ ଗଠନ କରନ୍ତୁ

ଭୁବନେଶ୍ବର: ‘‘ଦିନଥିଲା ଭୁବନେଶ୍ବର କେବଳ ରାଜ୍ୟର ରାଜଧାନୀ ନଥିଲା। ଏହା ଓଡ଼ିଶାର କ୍ରିକେଟ୍ କ୍ୟାପିଟାଲ୍ ବି ଥିଲା। ପ୍ରତ୍ୟେକ ଦିନ ଶହ ଶହ ପିଲା ଏଠାରେ ଥିବା ବିଭିନ୍ନ କ୍ଲବ୍‌ରେ ଅଭ୍ୟାସ କରୁଥିଲେ। ଏହିଠାରୁ ହିଁ ଦେବାଶିଷ ମହାନ୍ତି ଏବଂ ଶିବସୁନ୍ଦର ଦାସଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇଥିଲେ। ଆଜି କିନ୍ତୁ ଭୁବନେଶ୍ବରରେ କ୍ରିକେଟ୍ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ଅପରାଗ ସଂଗଠକ, ପରିଚାଳନାଗତ ସମସ୍ୟା ଏବଂ ଚୟନ ପ୍ରକ୍ରିୟାରେ ପାତରଅନ୍ତର ନୀତି ପାଇଁ ଅବିଭାଭାବକମାନେ ନିଜ ପିଲାଙ୍କୁ ଆଉ କ୍ରିକେଟ୍ ପଡ଼ିଆକୁ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଭୁବନେଶ୍ବରରୁ ମଧ୍ୟ ଆଗଭଳି ଆଉ ପ୍ରତିଭାବାନ କ୍ରିକେଟର୍ ସୃଷ୍ଟି ହେଉ ନାହାନ୍ତି। ଯେଉଁ କିଛି ଖେଳାଳି ଆଗକୁ ବଢ଼ୁଛନ୍ତି, ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଧାଡ଼ିରେ କହିବାକୁ ଗଲେ ରାଜଧାନୀ କ୍ରିକେଟ୍ ଆଜି ରସାତଳଗାମୀ। ସେଥିପାଇଁ ଭୁବନେଶ୍ବରରେ କ୍ରିକେଟ୍‌ର ପୁନରୁଦ୍ଧାରର ଏବଂ ଏଠାକାର କ୍ରିକେଟ୍ ସଂସ୍କୃତିକୁ ବଞ୍ଚା‌ଇବାର ଆବଶ୍ୟକତା ବଢ଼ିଯାଇଛି। ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ) ଅଧୀନରେ ରାଜଧାନୀର କ୍ରିକେଟ୍ ପରିଚାଳନା ଦାୟିତ୍ବ ଥିଲେ ମଧ୍ୟ ଏଠାକାର କ୍ରିକେଟ୍ ଆଜି ତାର ଥଳକୂଳ ଖୋଜି ପାଉନି। ଏଣୁ ବିଏଏରୁ କ୍ରିକେଟ୍‌କୁ କାଢ଼ି ନେଇ କ୍ରିକେଟ୍ ପ୍ରତି ଉତ୍ସର୍ଗୀକୃତ ସଂଗଠନ ହାତରେ ଏହାର ଦାୟିତ୍ବ ଦିଆଯାଉ।’’ ନବଗଠିତ ଭୁବନେଶ୍ବର କ୍ରିକେଟ୍ ସଂଘ (ବିସିଏ)ର ସଭାପତି ମିହିର କୁମାର ମହାନ୍ତି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ବନ୍ତବ୍ୟ ଦେଇଛନ୍ତି।

ସେହିଭଳି ରାଜ୍ୟସରକାର କ୍ରୀଡ଼ା ବିକାଶକୁ ନେଇ କରୁଥିବା ବିଭିନ୍ନ ଯୋଜନା ଏବଂ ନେଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିବା ଶ୍ରୀ ମହାନ୍ତି ବିଭିନ୍ନ ଜିଲ୍ଲୀସଂଘକୁ ଅଧିକ ଉତ୍ତରଦାୟୀ କରିବା ଲାଗି ନିର୍ଦ୍ଦିଷ୍ଟ ନିୟମାବଳୀ ସହ ଏକ କ୍ରୀଡ଼ା ନିୟାମକ ସଂସ୍ଥା ଗଠନ କରିବାକୁ ଆହ୍ବାନ କରିଛନ୍ତି। ଏହି ଅବସରରେ ମଧ୍ୟ ସଂଘ ତରଫରୁ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ସୂଚନା ଦିଆଯାଇ ଆଗାମୀ ସମୟରେ କନିଷ୍ଠ ସ୍ତରୀୟଠାରୁ ବରିଷ୍ଠ ସ୍ତରୀୟ ପୁରୁଷ ଏବଂ ମହିଳା କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଥିଲା। ଏହି କ୍ରମରେ ଭୁବନେଶ୍ବରର ବିଭିନ୍ନ ସକ୍ରିୟ କ୍ରିକେଟ୍ କ୍ଲବ୍ ହାତମିଳାଇଛନ୍ତି ଏବଂ ବିଏଏଠାରୁ କ୍ରିକେଟ୍ ପରିଚାଳନା କାଢ଼ି ନେଇ ଏହାକୁ ବିସିଏକୁ ପ୍ରଦାନ କରିବାକୁ ଓଡ଼ିଶା କ୍ରିକେଟ୍ ସଂଘକୁ ଦାବି କରାଯାଇଛି।

ଏହି ପ୍ରସ୍ତାବ ସହ ଭୁବନେଶ୍ବରର ବହୁ କ୍ରିକେଟ୍ ପ୍ରଶିକ୍ଷକ ଏବଂ ସଂଗଠକ ସହମତ ଅଛନ୍ତି। ସେହିଭଳି ଭୁବନେଶ୍ବରର ବିଭିନ୍ନ କ୍ରିକେଟ୍ କ୍ଲବ୍‌କୁ ବିସିଏ ସହ ଅନୁବନ୍ଧିତ ହେବାକୁ ସଂଘ ତରଫରୁ ଏହି ଅବସରରେ ଅନୁରୋଧ କରାଯାଇଛି। ଲୋଧା ସମିତି ସୁପାରିସ ଅନୁଯାୟୀ ବିସିଏ ଭବିଷ୍ୟତରେ ପରିଚାଳିତ ହେବ ଏବଂ ସଂପୂର୍ଣ୍ଣ ଗଣତାନ୍ତିକ ଉପାୟରେ କାର୍ଯ୍ୟ କରିବ ବୋଲି ସଂଘ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ସେହିଭଳି ଭୁବନେଶ୍ବରରେ ଏକ ଅନ୍ତର୍ଜାତୀୟମାନର କ୍ରିକେଟ୍ ଷ୍ଟାଡିୟମ୍ ସ୍ଥାପନ କରିବା ଲାଗି କ୍ରୀଡ଼ାମନ୍ତ୍ରୀ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର କିଛି ଅଧିକାରୀଙ୍କ ସହ ସଂଘ ଆଲୋଚନା କରିଥିବା ଏହି ଅବସରରେ ସୂଚନା ଦିଆଯାଇଥିଲା। ବୁଧବାରର ସାମ୍ବାଦିକ ସମ୍ମିଳନୀରେ ବିସିଏ ସଂପାଦକ ବିଜୟ କୁମାର ରାୟ, ପାରାମାଉଣ୍ଟ ସ୍ପୋର୍ଟିଂର ସଭାପତି ପ୍ରତାପ ଜେନା ଏବଂ ସଂଘର ପ୍ରତିଷ୍ଠାତା ସଦସ୍ୟ ରାଧାମାଧବ ହରିଚନ୍ଦନ, ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କ୍ରିକେଟ୍ ନିହାତି ଅଲଗା ହେବା ଦରକାର: କିଶୋର ମାଣିଆ
ବିସିଏର ଦାବିକୁ ସମର୍ଥନ କରିଛନ୍ତି ଓଡ଼ିଶା କ୍ରିକେଟ୍‌ର ଦୋଣାଚାର୍ଯ୍ୟ ଭାବେ ପରିଚିତ କିଶୋର ମାଣିଆ। ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ମାଣିଆ କହିଛନ୍ତି ଯେ ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ) ଅନେକଗୁଡ଼ିଏ ଖେଳର ପରିଚାଳନା ଦାୟିତ୍ବରେ ରହିଛି। ଏଣୁ କ୍ରିକେଟ୍ ଉପରେ ଯେତିକି ଧ୍ୟାନ ଦେବା କଥା ସେତିକି ଧ୍ୟାନ ଦେଇ ପାରୁ ନାହିଁ। ଫଳରେ ଭୁବନେଶ୍ବରରେ କ୍ରିକେଟ୍ ଅବହେଳିତ ହେଉଛି। କ୍ରି‌କେଟ୍ ପରିଚାଳନାକୁ ଯେତେ ଭଲ ଲୋକ ଆସିବେ ସେତେ ଭଲ। ଭଲ ଲୋକ ଆସିଲେ ହିଁ ଭଲ ଖେଳାଳି ସୃଷ୍ଟି ହୋଇପାରିବେ। ତା ଛଡ଼ା ପ୍ରତିଭାଚିହ୍ନଟ, ସେମାନଙ୍କ ବିକାଶ ଲାଗି ଭଲ ଚୟନକର୍ତ୍ତାଙ୍କର ବି ଢେର ଜରୁରୀ ରହିଛି। ପକ୍ଷପାତହୀନ ଚୟନ ବଳରେ ହିଁ ଆମେ ଭୁବନେଶ୍ବର କ୍ରିକେଟ୍‌କୁ ଆକୁ ନେଇ ପାରିବା। ଏଣୁ ବିସିଏ ଯେଉଁ କାର୍ଯ୍ୟ ହାତକୁ ନେଇଛି ମୁଁ ତାକୁ ସ୍ବାଗତ କରୁଛି। ତା’ ସହ ରାଜଧାନୀ କ୍ରିକେଟ୍ ତାର ପୁରୁଣା ଗୌରବ ଫେରି ପାଇବାକୁ ହେଲେ ୧୬ ବର୍ଷ ଏବଂ ୧୯ ବର୍ଷ ବର୍ଗ ଡେଜ୍ କ୍ରିକେଟ୍ ମ୍ୟାଚ୍ ଉପରେ ଧ୍ୟାନ ଦେବାକୁ ହେବ ବୋଲି ଶ୍ରୀ ମାଣିଆ ମତ ରଖିଥିଲେ।

ସମ୍ବନ୍ଧିତ ଖବର