‘ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ ଉଜ୍ବଳମୟ’ ମାଭି ଓ ନାଗରକୋଟିଙ୍କ ପଛରେ ଦୁଇବର୍ଷରେ ଦେଢ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ଦୁଇ ନାବାଳକ କମଳେଶ ନାଗରକୋଟି ଓ ଶିବମ ମାଭି ୨୦୧୮ ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ବ୍ୟାଟ୍ସମ୍ୟାନଙ୍କୁ ଡରେଇ ରଖୁଥିଲେ। ତେଣୁ ଭାରତୀୟ ବରିଷ୍ଠ ଦଳ ପାଇଁ ଦୁଇ ଜଣ ପ୍ରତିଭାବାନ ନୂଆ ଦ୍ରୁତ ବୋଲର ପ୍ରସ୍ତୁତ ହେଇଯାଇଥିଲା ‌ଭଳି ଅନୁଭବ ହେଉଥିଲା। କିନ୍ତୁ ଏଥିପୂର୍ବରୁ ଏହି ଦୁଇଜଣଙ୍କୁ ଆଇପିଏଲ୍‌ ଚୁକ୍ତିରେ ବାନ୍ଧି ହେବାକୁ ପଡ଼ିଥିଲା ବେଳେ ଅନେକ ବରିଷ୍ଠ ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଖେଳିବାର ଥିଲା। ହେଲେ ସେମାନଙ୍କ ଦୁର୍ବଳ ଶରୀର ଅଧିକ ଚାପ ନେଇପାରିନଥିଲା। ତେଣୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପରିବେଶରେ ଖେଳିବା ପୂର୍ବରୁ ଆହତ କାରଣ ଯୋଗୁଁ ଏହା ଶେଷ ହୋଇଯିବାପରି ମନେହେଉଥିଲା। ଏଭଳି ସମୟରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ସାମ୍ନାକୁ ଆସିଥିଲା ବେଳେ ସେମାନଙ୍କ ଖେଳଜୀବନକୁ ଓ ଶରୀରକୁ ମଜବୁତ୍‌ କରି ଗଢିତୋଳିଥିଲା। ନାଗ‌ରକୋଟି ଏବେ ୨୦ ବର୍ଷର ଓ ମାଭି ୨୧ ବର୍ଷର ହୋଇଯାଇଥିଲା ବେଳେ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ ଦେଇଚାଲିଛନ୍ତି। ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ବିଜୟରେ ଉଭୟ ୪ ୱିକେଟ ବାଣ୍ଟି ନେଇଥିଲେ। ଏପରିକି ନାଗରକୋଟିଙ୍କ ପାଇଁ ପାଖାପାଖି ୩୦ ମାସ ପରେ ଏହା ହେଉଛି ଏକ ପ୍ରତିଦ୍ବନ୍ଦିତାମୂଳକ ଗସ୍ତ।

ବିଶ୍ବକପ୍‌ର ଠିକ୍‌ ପରେପରେ ନାଗରକୋଟି ଅଧିକ ଚାପ ଯୋଗୁଁ ପିଠିରେ ଯନ୍ତ୍ରଣା ପାଇଥିଲେ ଓ ଗୋଇଠିରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ବିସିସିଆଇ ପକ୍ଷରୁ ଚିକିତ୍ସା ପାଇଁ ଇଂଲଣ୍ଡ ନିଆଯାଇଥିଲା ବେଳେ ଅନେକ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଲୋଡ଼ାଯାଇଥିଲା। ଏହାପରେ ତାଙ୍କୁ ଦେଢ ବର୍ଷ ଏନ୍‌ସିଏରେ ବିତାଇବାକୁ ପଡ଼ିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାଭି ମଧ୍ୟ ଥକାପଣ ଯୋଗୁଁ ଲିଗାମେଣ୍ଟରେ ଆଘାତ ଅନୁଭବ କରିଥିଲେ। ହେଲେ ନାଗରକୋଟିଙ୍କ ‌ଅପେକ୍ଷା ସେ ଶୀଘ୍ର ସୁସ୍ଥ ହୋଇଯାଇଥିଲେ। ଏହାସତ୍ତ୍ବେ ଗତ ଘରୋଇ ଋତୁରେ ପୁଣି ଥରେ ସେ ଆହତ ହୋଇଥିଲେ। ତେଣୁ ଏହି ଦୁଇ ଯୁବ ଖେଳାଳିଙ୍କ ଚିକିତ୍ସା ଓ ଆରୋଗ୍ୟ ହେବା ପଛରେ ବିସିସିଆଇ ଓ ଏନ୍‌ସିଏ ପାଖାପାଖି ଦେଢ କୋଟି ଟଙ୍କା ଖର୍ଚ୍ଚ କରିଥିବା ଉକ୍ତ ଅଧିକାରୀଜଣକ କହିଛନ୍ତି।

ଯଦିଓ ନିର୍ଦ୍ଧିଷ୍ଟ ଖର୍ଚ୍ଚର ବିବରଣୀ ଦେଇହେବ ନାହିଁ କିନ୍ତୁ ଏଭଳି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ହାତଛଡ଼ା ନକରିବା ପାଇଁ ବିସିସିଆଇ ଚାହିଁଥିଲା ବେଳେ ସେମାନଙ୍କର ସ୍ବତନ୍ତ୍ର ଯତ୍ନ ମଧ୍ୟ ନିଆଯାଉଥିଲା। ଏନ୍‌ସିଏରେ କୌଣସି ଆବାସିକ ବ୍ୟବସ୍ଥା ନାହିଁ। ତେଣୁ ଯେକୌଣସି ଭାରତୀୟ ଖେଳାଳିଙ୍କୁ ରିଟ୍‌ଜ କାର୍ଲଟନ କିମ୍ବା ଆଇଟିସି ଭଳି ପଞ୍ଚତାରକା ହୋଟେଲର ସୁବିଧା ଯୋଗାଇ ଦିଆଯାଉଥିଲା। ଏଥିସହ ଦୈନିକ ଭତ୍ତା, ୟୁକେ ଗସ୍ତ ଓ ଡାକ୍ତରୀ ପରାମର୍ଶ ଖର୍ଚ୍ଚକୁ ମିଶାଇ ଦିଆଗଲେ ସେମାନଙ୍କ ପିଛା ଅନେକ ବ୍ୟୟ କରାଯାଉଥିଲା। କେନ୍ଦ୍ରୀୟ ଚୁକ୍ତି ଅଧିନରେ ରହୁଥିବା ଖେଳାଳିଙ୍କ ପରି ଏହି ଦୁଇଜଣଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଫିଜିଓଥେରାପି ଇତ୍ୟାଦି କରାଯାଉଥିଲା। ତେଣୁ ଏମାନଙ୍କ ଶାରୀରିକ ଦକ୍ଷତା ଓ ଉଚ୍ଚକୋଟୀର ଖେଳର ଶ୍ରେୟ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ଼ ଓ ମୁଖ୍ୟ ଫିଜିଓ ଆଶିଷ କୌଶିକଙ୍କୁ ଯିବ ବୋଲି ଅଧିକାରୀଜଣକ କହିଛନ୍ତି। ପୂର୍ବରୁ ନାଗରକୋଟି ମଧ୍ୟ ଦେଇଥିବା ଏକ ସାକ୍ଷତକାରରେ ନିଜ ପରିବାର, ଦ୍ରାବିଡ, ଅଭିଷେକ ନାୟର ଓ ଟ୍ରେନର ଆନନ୍ଦ ‌ଦତ୍ତେଙ୍କୁ କୃତଜ୍ଞତା ଜଣାଇଥିଲେ।

ସେହିପରି ମାଭି ମଧ୍ୟ ତାଙ୍କର ଆରୋଗ୍ୟ ସମୟ ମଧ୍ୟରେ ଫିଜିଓ ଅମିତ ତ୍ୟାଗୀ, ଆଶିଷ କୌଶିକଙ୍କଠୁ ମିଳିଥିବା ସହଯୋଗ ପ୍ରତି ଧନ୍ୟବାଦ ଜଣାଇଛନ୍ତି। ପାଖାପାଖି ୪ ମାସ ପରେ ସେ ତାଙ୍କର ପୂର୍ଣ୍ଣ ଲୟକୁ ଫେରିପାଇଥିଲେ। ଏମାନଙ୍କ ଶାରୀରିକ ପୀଡ଼ାରୁ ମୁକ୍ତି ମିଳିବା ପାଇଁ ଏନ୍‌ସିଏର ଯେଉଁ ଅବଦାନ ରହିଛି ଆଇପିଏଲ୍‌ରେ କେକେଆର୍‌ ପ୍ରାଞ୍ଚାଇଜି ତାହାର ଫଳ ପାଉଛି। ତେଣୁ ଭାରତୀୟ କ୍ରିକେଟ ବ୍ୟବସ୍ଥାରେ ଯଦି ଜଣେ ଆହତ ହେଉଛି, ତାହେଲେ ତାଙ୍କ ପ୍ରତି ବୋର୍ଡର କର୍ତ୍ତବ୍ୟକୁ ଏହି ଦୁଇଜଣ‌ ଖେଳାଳିଙ୍କ ପକ୍ଷରେ ଘଟିଥିବା ଘଟଣା ତାହାର ବର୍ଣ୍ଣନା କରୁଛି। ବୁଧବାର ରାତିରେ ‌ହୋଇଥିବା ମ୍ୟାଚରେ ମାଭି ଓ ନାଗରକୋଟି ପୁଣି ଥରେ ଏକାଠି ଖେଳୁଥିଲା ବେଳେ ଯେତେବେଳେ ଜଣେ ତାଙ୍କ ଉପରୁ ବିଶ୍ବାସ ହରାଇଦିଏ, ସେସମୟରେ ସେମାନ କ’ଣ କରିପାରନ୍ତି ତାହାକୁ ଉଭୟ ପ୍ରମାଣିତ କରିଛନ୍ତି। ତେଣୁ ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ ବହୁତ ଉଜ୍ବଳ ଦେଖାଯାଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର