ଭୁବନେଶ୍ବର: ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଉପରେ ଆଧାରିତ ଏକ ସ୍ବତନ୍ତ୍ର ପ୍ରମାଣିକ ଚଳଚ୍ଚିତ୍ରର ଶୁଭାରମ୍ଭ କରିଛନ୍ତି। ‘ଇଣ୍ଡିଆସ୍ ଗେମ୍‌: ଦ ଷ୍ଟୋରି ଅଫ୍ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ୍‌ ଏ ନେସନ୍‌’। ଆର୍ଥାତ୍ ଭାରତର ଖେଳ ଯାହା ସମଗ୍ର ଦେଶକୁ ଯୋଡ଼ିଥିଲା, ଜାତୀୟ ଗୌରବ ପାଇଁ ଅଗ୍ନିଶିଖାର ପ୍ରଜ୍ବଳନ କରିଥିଲା। ହକି ହେଉଛି ସେହି ଖେଳ ଯାହା ଭାରତର ସ୍ବାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରୁ ଦେଶକୁ ଏକାଠି କରିବାର ମାଧ୍ୟମ ପାଲଟିଥିଲା। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ପ୍ରାମାଣିକର ଉନ୍ମୋଚନ କରିବା ସହିତ କହିଥିଲେ ‘ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆମେ ଏହି ପ୍ରମାଣିକକୁ ଦେଶ ପାଇଁ ଲଢ଼ିଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀ ଏବଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶର ଗୌରବ ବଢ଼ାଇବା ହକି ଖେଳାଳିଙ୍କୁ ଉତ୍ସର୍ଗ କରୁଛୁ। ଏହି ଚଳଚ୍ଚିତ୍ର ହକି ଭାବନା ଓ ଭାରତର ଜାତୀୟବାଦ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।’।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ତଥା କିଂବଦନ୍ତି ସ୍ବାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ଜୀବନରୁ ମିଳିଥିବା ଅଭିଜ୍ଞତା ଆଧାରରେ ଏଭଳି ଏକ ପ୍ରାମାଣିକ ଚଳଚ୍ଚିତ୍ରର ପରିକଳ୍ପନା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ ଏହି ଅବସରରେ ପ୍ରକାଶ କରିଥିଲେ। ସ୍ବାଧୀନତା ପୂର୍ବରୁ ବ୍ରିଟିସ୍ ଏବଂ ଜର୍ମାନି ଭଳି ଉପନିବେଶ ବିପକ୍ଷରେ ଅଲିମ୍ପିକ୍ସ ହକିରେ ଭାରତ ବିଜୟୀ ହେଉଥିବାବେଳେ ସ୍ବାଧୀନତା ସଂଗ୍ରାମୀମାନେ ଏହାକୁ ଦେଖି ପ୍ରେରଣା ପାଉଥିଲେ। ଦେଶର ସ୍ବାଧୀନତା ଆନ୍ଦୋଳନରେ ହକିର ଲଗାତାର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟ ସଂଗ୍ରାମୀଙ୍କୁ ପ୍ରବର୍ତାଇବାର ପ୍ରମୁଖ ମାଧ୍ୟମ ପାଲଟିଥିଲା।
ଏହି ପ୍ରାମାଣିକକୁ ବ୍ରିଟେନ୍‌ର ଲେଭଲ୍ ଫିଲ୍ମସ ପ୍ରସ୍ତୁତ କରିଥିବାବେଳେ ହିଟଲରଙ୍କ ଜର୍ମାନି, ଗ୍ରେଟ୍ ବ୍ରିଟେନ୍‌, ପାକିସ୍ତାନ ବିପକ୍ଷରେ ବିଜୟ ସହ ଲଗାତାର ସ୍ବର୍ଣ୍ଣ ବିଜୟ ଯାତ୍ରାର ଚିତ୍ରକୁ ସ୍ଥାନିତ କରିଛି। ‌ଦେଶର ଖେଳ ଶକ୍ତିର ପରୀକ୍ଷା ସହିତ କ୍ରୀଡ଼ା ଐତିହ୍ୟର ଉତ୍ସାହକୁ ମଧ୍ୟ ସାଇତି ରଖିପାରିଛି। ଏହି ଐତିହାସିକ ପ୍ରାମାଣିକ ନିର୍ମାଣରେ ଓଡ଼ିଶା ସରକାର ଏବଂ ହକି ଇଣ୍ଡିଆ ସହଯୋଗ କରିଛନ୍ତି। ଓଡ଼ିଶା ଓ ହକି ଇଣ୍ଡିଆର ସହଯୋଗ କାରଣରୁ ଦେଶରେ ହକିର ହୃଦଗୌରବ ଫେରିପାରିଛି। ଓଡ଼ିଶାକୁ ଗ୍ଲୋବାଲ୍ ହବ୍ ଅଫ୍ ହକିର ପରିଚୟ ପାଇଁ ଓଡ଼ିଶା ସରକାର ଏକାଧିକ ପଦ‌କ୍ଷେପ ନେଇଛନ୍ତି। ୨୦୧୮ରେ ହକିକୁ ଓଡ଼ିଶା ପ୍ରା‌‌ୟୋଜିତ କରିବା ପରେ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସ ପଦକ ଜିତିବା ଏହାର ପ୍ରମାଣ ଆଣିଥିଲା।

ମଙ୍ଗଳବାରର ଉନ୍ମୋଚନ ଉତ୍ସବରେ ୧୯୬୪ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ ଦଳର ସଦସ୍ୟ ଗୁରବକ୍ସ ସିଂହ, ହରଭିନ୍ଦର ସିଂହଙ୍କ ସହିତ ବର୍ତମାନର ତାରକା ରାଣୀ ରାମପାଲ୍, ମନପ୍ରୀତ୍ ସିଂହ, ଅମିତ ରୋହିଦାସ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରାମାଣିକରେ ସମ୍ପୃକ୍ତି ରଖିଥିବା କ୍ରୀଡ଼ା ସାମ୍ବାଦିକ ତଥା ହକି ଐତିହାସିକ କେ ଅରୁମୁଗମ, ବିଜୟ ଲୋକପଲୀ, ନିଖିଲେଶ ଭଟ୍ଟାଚାର୍ଯ୍ୟ, ସୁନ୍ଦର ଗଣେଶନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥ‌ିଲେ। ଏମାନେ ଉତ୍ସବ ପରେ ସରକାରଙ୍କ ଦୃଢ଼ ଈଚ୍ଛାଶକ୍ତି ଓ ହକି କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିଥ‌ିଲେ।