ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମ୍ୟାଚ୍ ଅବସରରେ କୋହଲି ଓ ସୌରଭଙ୍କ ଆଚରଣ ଉଭୟଙ୍କ ତିକ୍ତତାକୁ ପଦାକୁ ଆଣିଛି। ମ୍ୟାଚ୍ ଶେଷରେ ଦୁହେଁ ପରସ୍ପରକୁ ଦେଖିଥିଲେ ବି ନଦେଖିବା ଭଳି ଏଡାଇ ଯାଇଥିଲେ। ଉକ୍ତ ମ୍ୟାଚ୍ର ଏକାଧିକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ବେଳେ ପରସ୍ପରପ୍ରତି ଦେଖାଇଥିବା ଆଚରଣ ଏହି ତିକ୍ତତାକୁ ଅଧିକ ଚର୍ଚ୍ଚିତ କରିଛି। ଦୁଇ ଦିନ ତଳେ କୋହଲି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଗାଙ୍ଗୁଲିଙ୍କୁ ଅନ୍ଫଲୋ କରିଥିଲା ବେଳେ ସୋମବାର ଗାଙ୍ଗୁଲି ମଧ୍ୟ କୋହଲିଙ୍କୁ ତାଙ୍କ ସୋସିଆଲ୍ ମିଡିଆରୁ ଅନ୍ଫଲୋ କରିଦେଇଛନ୍ତି। କିନ୍ତୁ ଏଭଳି କରିବାର କାରଣ ବିଷୟରେ ଯଦିଓ ଦୁହେଁ ମୁହଁ ଖୋଲିନାହାନ୍ତି, ତଥାପି ପୁରୁଣା ରାଗରୁଷାକୁ କେହି ଏପର୍ଯ୍ୟନ୍ତ ଭୂଲିନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି।
ଶନିବାର ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍ରେ ଆର୍ସିବି ପରାସ୍ତ କରିଥିଲା। କିନ୍ତୁ ମ୍ୟାଚ୍ ଶେଷ ହେବାର ଦୁଇ ଓଭର ପୂର୍ବରୁ ଗାଙ୍ଗୁଲି ଦିଲ୍ଲୀ ଡଗ୍ଆଉଟ୍ରେ ବସିଥିଲା ବେଳେ କୋହଲି ବାଉଣ୍ଡରି ପାଖରେ ଏକ କ୍ୟାଚ୍ ନେଇଥିଲେ। ପରେ କୋହଲି ଦିଲ୍ଲୀ ଡଗ୍ଆଉଟ୍ ଆଡ଼କୁ ଦେଖି ଭୟ ଖେଳାଇଦେଲା ଭଳି ଚାହାଣି ଦେଇଥିଲେ। ସେହିପରି ଆଉ ଏକ ଭିଡିଓରେ ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଉଭୟ ଦଳର ଖେଳାଳି ଓ ପ୍ରଶିକ୍ଷକମାନେ ପରସ୍ପର ସହ ହାତ ମିଳାଉଥିଲେ, ସେତେବେଳେ କୋହଲିଙ୍କ ସହ ଗାଙ୍ଗୁଲି ହାତ ନମିଶାଇ ଆଗକୁ ଚାଲିଯାଇଥିଲେ। ସେହିପରି ଆର୍ସିବିର ସିଏସ୍କେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୋହଲି ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ପ୍ୟାଡ୍ ପିନ୍ଧି ଡଗ୍ଆଉଟ୍ରେ ବସିଥିଲେ। ଗାଙ୍ଗୁଲି ସେହି ବାଟଦେଇ ଯାଇଥିଲେ ବି କୋହଲିଙ୍କ ଆଡ଼କୁ ଆଦୌ ଆଖି ବୁଲାଇନଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏବେ ସୋସିଆଲ୍ ମିଡିଆରେ ପରସ୍ପରକୁ ଅନ୍ଫଲୋ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ଏବେ ବି ଶୀତଳଯୁଦ୍ଧ ଚାଲିଥିବା ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ନଭେମ୍ବର ୨୦୨୧ରେ କୋହଲିଙ୍କୁ ଦିନିକିଆ ନେତୃତ୍ବରୁ ହଟାଇବାରେ ଗାଙ୍ଗୁଲିଙ୍କ ଭୂମିକା ଥିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଛାଡ଼ିବା ପରେ ତାଙ୍କୁ ଦିନିକିଆ ଦାୟିତ୍ବରୁ ମଧ୍ୟ ହଟାଇ ଦିଆଯାଇଥିଲା। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ବୋଲି ଗାଙ୍ଗୁଲି କହିଥିଲା ବେଳେ ଟ୍ବେଣ୍ଟି-୨୦ ଦାୟିତ୍ବ ନଛାଡ଼ିବା ପାଇଁ କୋହଲିଙ୍କୁ ଅନୁରୋଧ କରିଥିବା ଗାଙ୍ଗୁଲି ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ନେତୃତ୍ବ ନେବା ଦାୟିତ୍ବରୁ ଓହରିବା ସଂକ୍ରାନ୍ତରେ କେହି ବି ଆଲୋଚନା କରିନଥିବା କହିଥିଲେ। ଏହାପରଠୁ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିବା ଆଲୋଚନା ହେଉଥିଲା ବେଳେ ଚଳିତ ବର୍ଷର ଆଇପିଏଲ୍ରେ ଏହାର ଛୋଟଛୋଟ ପ୍ରଭାବ ଦେଖିବାକୁ ମିଳୁଛି।
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଆର୍ସିବି-ସିଏସ୍କେ ମ୍ୟାଚ୍ ଅବସରରେ ଜଣେ ଶିଶୁ ହାତରେ ବିରୁଷ୍କାଙ୍କ ଝିଅ ଭାମିକାକୁ ଡେଟ୍ରେ ନେବା ପାଇଁ ବିରାଟ କୋହଲିଙ୍କଠୁ ଅନୁମତି ମାଗୁଥିବା ପ୍ଲା-କାର୍ଡ ପ୍ରଦର୍ଶନ କରିଛନ୍ତି। ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ବେଳେ ଅନେକ ଶିଶୁଟିର ଏପରି ଅବୋଧପଣକୁ ନେଇ ଅଭିଭାବକଙ୍କୁ ଦାୟୀ କରିଛନ୍ତି। ସୋସିଆଲ୍ ମିଡିଆରେ ଲାଇକ୍ ଓ ଫଲୋୟର୍ସ ବଢାଇବା ପାଇଁ ବାପା-ମା’ମାନେ ତାରକା କ୍ରିକେଟର୍ଙ୍କ ନାମକୁ ବ୍ୟବହାର କରି ସେମାନଙ୍କ ଶିଶୁକୁ ମୋହରା ଭାବେ ବ୍ୟବହାର କରୁଥିବା ଉଲ୍ଲେଖ କରି କେତେକ ସମାଲୋଚନା କରିଛନ୍ତି।