କେରଳରେ ବଢ଼ୁଛନ୍ତି ବ୍ରାଡ୍‌ମ୍ୟାନ୍‌ ପିଢ଼ି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ପରିସ୍ଥିତି ଆଉଟ୍‌ଡୋର୍‌ କ୍ରିକେଟ୍‌କୁ ରୋକି ଦେଇଛି କିନ୍ତୁ ଇନ୍‌ଡୋର୍‌ କ୍ରିକେଟ୍‌କୁ ନୁହେଁ। ‌ଏହି କାରଣରୁ କେରଳର ଜଣେ ୯ ବ‌ର୍ଷୀୟ କ୍ରିକେଟ୍ ପ୍ରତିଭା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନେଟ୍‌ ସେସନ୍‌ ନୁହେଁ ନିଜ ଫ୍ଲାଟ୍‌ ପରିସରରେ ବ୍ୟାଟିଂ କରୁଥିବାର ଏକାଧିକ ଭିଡିଓ ଭାଇରାଲ୍ ହେବା ପରେ ୯ ବର୍ଷୀୟ ବିଘ୍ନଜ ପ୍ରେଜିଥ୍‌ଙ୍କୁ ମଧ୍ୟ ପ୍ରା‌‌ୟୋଜକ ମିଳିଯାଇଛି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ବିଘ୍ନଜ ବ୍ୟାଟ୍‌ରେ ନୁହେଁ ଏକ ଷ୍ଟମ୍ପ୍‌ରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅତି ସୁନ୍ଦର ଫୁଟ୍‌ୱାର୍କ ସହିତ ପଡିଆର ଚାରିଆଡକୁ ଯିବା ଭଳି ସଟ୍‌ ମାନ ଖେଳୁଥିବାର ଦେଖିବାକୁ ମିଳିଛି। ଏପରିକି ରିଭର୍ସ ସଟ୍ ମଧ୍ୟ ଖେଳୁଛନ୍ତି। ଫ୍ରଣ୍ଟ୍ ଫୁଟ୍‌ କୁହନ୍ତୁ କି ବ୍ୟାକ୍‌ଫୁଟ୍‌ ସବୁଥିରେ ଏହି କୁନି ପ୍ରତିଭା ଏତେ ଓସ୍ତାଦ ଲାଗୁଛନ୍ତି ଯେ ସେ ନିଶ୍ଚିତ ଭବିଷ୍ୟତରେ ଜଣେ ମହାନ କ୍ରିକେଟ୍‌ର ହେବାର ଆଭାସ ଦେଇଛନ୍ତି। ୧୦୦ ବର୍ଷ ତଳେ ଅଷ୍ଟ୍ରେଲିଆରେ ଯେଉଁ ବାଳକ ଜଣଙ୍କ ଦିନେ ଷ୍ଟମ୍ପ୍‌ ଓ ଗଲ୍ଫ ବଲରେ ଖେଳି କିଂବଦନ୍ତି କ୍ରିକେଟର୍‌ ପାଲଟିଥିଲେ ସେଭଳି ଚର୍ଚ୍ଚା ମଧ୍ୟ ଗଣମାଧ୍ୟମରେ ଚାଲିଛି।

ଖବର ନେବାରେ ଜଣାପଡ଼ିଛି ୨୦୧୯ ମସିହାର ଆଇପିଏଲ୍ ଦେଖିବା ପରେ ଏହି ଶିଶୁ ପ୍ରତିଭା ଜଣଙ୍କ କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲେ। ନିଜ ଫ୍ଲାଟ ପରିସରରେ ଜେଜେ ମା’ ବୋଲିଂ କରନ୍ତି ଏବଂ ବିଘ୍ନଜ ବ୍ୟାଟିଂ କରନ୍ତି। ମାସେ ଦୁଇ ମାସ ପରେ ତାଙ୍କ ପିତା ପ୍ରେଜିଥ୍‌ ଭି ଅନୁଭବ କରିଥିଲେ ସେ ଭଲ ସଟ୍‌ ଖେଳୁଛି। କ୍ରିକେଟ୍‌ ବିଷୟରେ ବିଶେଷ କିଛି ଜାଣିନଥିବାରୁ ସେ ଅନ୍‌ଲାଇନ୍‌ରେ ଅନୁସନ୍ଧାନ କରିଥିଲେ ଏବଂ ଏକ ବ୍ୟାଟ୍ କିଣି ଦେଇଥିଲେ। ଏବେ କିନ୍ତୁ ବିଘ୍ନଜଙ୍କ ପ୍ରତିଭା ଷ୍ଟମ୍ପ୍‌ ବ୍ୟାଟିଂରୁ ପ୍ରଷ୍ଫୁଟିତ ହୋଇଛି। ‘ବିଘ୍ନଜ ଭୋର ୪.୪୫-୫.୦୦ରୁ ଉଠି ପଡ଼ିଥାଏ ଏବଂ ମୋ ମା’ ଓ ଅନ୍ୟମାନଙ୍କ ସହ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟିଂ କରିଥାଏ। ଦୁର୍ଭାଗ୍ୟବଶତଃ ଗତବର୍ଷ ତା’ର ବ୍ୟାଟ୍ ଭାଙ୍ଗିଯାଇଥିଲା। ସେ ମୋତେ ଏହାକୁ ମରାମତି କିମ୍ବା ନୂଆଟିଏ କିଣିବାକୁ କହିଥିଲା। ଲକ୍‌ଡାଉନ୍ କାରଣରୁ ସବୁ କ୍ରୀଡ଼ା ସାମଗ୍ରୀ ଦୋକାନ ବନ୍ଦ ଥିବାରୁ ମୁଁ ବ୍ୟାଟ କିଣି ପାରିନଥିଲି। ସେ କିନ୍ତୁ ମୋତେ ଷ୍ଟମ୍ପ୍‌ରେ ବ୍ୟାଟିଂ କରିବାକୁ ପ୍ରସ୍ତାବ ଦେଇଥିଲା। ମୁଁ ଏଥିରେ ପ୍ରଭାବିତ ହୋଇନଥିଲି। ପ୍ରଥମେ ମନା କରିଦେଇଥିଲେ ମଧ୍ୟ ପରେ ତା’ କଥାରେ ରାଜି ହୋଇଯାଇଥିଲି।

ଏହା ପରେ ଯାହା ଦେଖିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ପ୍ଲାଷ୍ଟିକ୍ ବଲକୁ ଷ୍ଟମ୍ପ୍‌ର ମଧ୍ୟଭାଗରେ ସଂଯୋଗ କରି ବିବିଧ ସଟ୍‌ ଖେଳିବାରେ ଲାଗିଥିଲା।’ ବୋଲି ତ୍ରିଶୂରରୁ ଟେଲିଫୋନ୍‌‌ରେ କହିଥିଲେ ତାଙ୍କ ପିତା ଭି ପ୍ରେଜିଥ୍। ଗତବର୍ଷ ଲକ୍‌ଡାଉନ୍ ଉଠିବା ପରେ ଏକ ନୂଆ ବ୍ୟାଟ୍‌ କିଣି ଦେଇଥିଲି ଏବଂ ସ୍ଥାନୀୟ ଏକ କ୍ରିକେଟ୍ ଏକାଡେମି (ଲୁଙ୍ଗ୍ସ କ୍ରିକେଟ୍ ଏକାଡେମୀ)ରେ ନାମ ଲେଖାଇଦେଇଥିଲି। ପ୍ରାୟ ୬ ମାସ ଧରି ସେ ସେଠାରେ ଅଭ୍ୟାସ କରିଥିଲା କିନ୍ତୁ ପୁଣି ଥରେ ଲକ୍‌ଡାଉନ୍ ଫେରିବାରୁ ଏକାଡେମୀ ଯିବା ବନ୍ଦ ହୋଇଯାଇଛି। ତେଣୁ‌ ସେ ଗତ ଏପ୍ରିଲ୍‌ ମାସରୁ ପୁଣି ଫ୍ଲାଟ୍ ପରିସରରେ ଅଭ୍ୟାସ କରୁଛି’ ବୋଲି ମଧ୍ୟ ଭି ପ୍ରେଜିଥ୍‌ କହିଥିଲେ। ବି‌ଘ୍ନଜଙ୍କ ଷ୍ଟମ୍ପ୍‌ ବ୍ୟାଟିଂ ଭିଡିଓ କିନ୍ତୁ ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍ସକୁ ପ୍ରଭାବିତ କରିବାରୁ ଏହାର ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ଥିବା ରୋମି ଭିଣ୍ଡର ତାଙ୍କୁ ସବୁ ପ୍ରକାର ସହାୟତା ଓ ଭବିଷ୍ୟତର ତାଲିମ ସମ୍ଭାଳିବେ ବୋଲି ପ୍ରତିଶ୍ରୁ୍ତି ଦେଇଛନ୍ତି। ବିଘ୍ନଜଙ୍କୁ ମଧ୍ୟ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ସଞ୍ଜୁ ସାମସନ୍‌ କିଛି ଟିପ୍ସ ପ୍ରଦାନ କରିବେ‌ ବୋଲି ଭିଣ୍ଡର୍ କହିଛନ୍ତି। ସୂଚନାଯୋଗ୍ୟ, ସଞ୍ଜୁ ସାମସନ୍‌ ମଧ୍ୟ କେରଳର ଏବଂ ଷ୍ଟମ୍ପରେ ଅଭ୍ୟାସ କରି ନିଜ ବ୍ୟାଟିଂକୁ ଶାଣିତ କରିଥିଲେ।

ସମ୍ବନ୍ଧିତ ଖବର