ଲିଡ୍‌ସ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଲିଡ୍‌ସର ହେଡିଂଲେ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହେବ। ତା’ସହିତ ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ। ୨୫ ବର୍ଷୀୟ ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ। ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ନୂଆ ଆହ୍ବାନ ନେଇ ଆସିବ। ଗିଲ୍-ଗମ୍ଭୀର ଯୋଡ଼ି ମଧ୍ୟ ୧୮ବର୍ଷ ପରେ ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଶୃଙ୍ଖଳା ବିଜୟୀ କରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇବା ଲାଗି ଭାରତୀୟ ଖେଳାଳିଙ୍କୁ ଦଳଗତ କ୍ରିକେଟ୍‌ର ଶ୍ରେଷ୍ଠ ନମୁନା ଦେଖାଇବାକୁ ହେବ। ପୁଣି ଏହି ଶୃଙ୍ଖଳା ଏକ ନୂଆ ଟ୍ରଫି ‘ସଚିନ-ଆଣ୍ଡରସନ୍’ ଟ୍ରଫି ପାଇଁ ଖେଳାଯିବ। ସେଥିପାଇଁ ଉଭୟ ଦେଶର ଟେଷ୍ଟ୍ ଇତିହାସରେ ଏହି ଶୃଙ୍ଖଳା ଢେର ଗୁରୁତ୍ବ ବହନ କରିବ। ପ୍ରଥମ ଥର ପାଇଁ ମଧ୍ୟ ଶୃଙ୍ଖଳାର ବିଜୟୀ ଅଧିନାୟକଙ୍କୁ ପଟୌଦି ମେଡାଲ ପ୍ରଦାନ କରାଯିବ। ଯାହା ଏହାକୁ ସ୍ମରଣୀୟ ଓ ସ୍ବତନ୍ତ୍ର କରିଛି।

Advertisment

ଭାରତ ଶେଷ ଥର ପାଇଁ ୨୦୦୭ ମସିହାରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଣୁ ଗିଲ୍-ଗମ୍ଭୀର ଭାରତର ଏହି ୧୮ବର୍ଷର ପ୍ରତୀକ୍ଷାରେ ବିରାମ ଲଗାଇ ପାରିବେ କି ନାହିଁ ସେ ଚର୍ଚ୍ଚା ଏବେ ଚାରିଆଡ଼େ ଜୋର୍ ଧରିଛି। ଭାରତ ବି ଏହି ଶୃଙ୍ଖଳାରେ ୨୦୨୫-୨୭ ଚକ୍ର ଲାଗି ତା’ର ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଅଭିଯାନ ଆରମ୍ଭ କରିବ। ସେଥିପାଇଁ ଏହାର ଗୁରୁତ୍ବ ବହୁଗୁଣ ବଢ଼ିଛି। କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏକାଧିକ ଯୁଗ ତାରକାଙ୍କୁ ସୁଯୋଗ ଦେଇଛି। ଏହି ଗସ୍ତ ସେମାନଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା ଭାବେ ଉଭା ‌ହେବାକୁ ଯାଉଛି। ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ହାସଲ କରିଥିବା ଗିଲ୍‌ଙ୍କ ନେତୃତ୍ବ ଶୈଳୀ ଉପରେ ମଧ୍ୟ ସମସ୍ତଙ୍କ ଖାସ୍ ନଜର ରହିବ। ଗିଲ୍‌ଙ୍କ ନେତୃତ୍ବରେ ଭାରତ ୨୦୨୪ ମସିହା ଜୁଲାଇ ମାସରେ ଜିମ୍ବାୱେ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଇଂଲଣ୍ଡରେ ମଧ୍ୟ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। 

ଗିଲ୍ ଚତୁର୍ଥ ସ୍ଥାନରେ ଖେଳିପାରନ୍ତି
କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂକ୍ରମକୁ ନେଇ ତର୍କ ବିତର୍କ ଚାଲିଛି। ତେବେ ଅଧିନାୟକ ଶୁବମନ୍ ଗିଲ୍ ତୃତୀୟ ପରିବର୍ତ୍ତେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ  ବୋଲି ଉପଅଧିନାୟକ ଋଷଭ ପନ୍ତ ସୂଚନା ଦେଇଛନ୍ତି। କୋହଲିଙ୍କ ଅବସର ପରେ ଖାଲି ଥିବା ଏହି ସ୍ଥାନକୁ ଗିଲ୍ ହିଁ ପୂରଣ କରିବେ ବୋଲି ପନ୍ତ କହିଛନ୍ତି। ତେବେ ତିନି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ, ତାହା ଏବେବି ରହସ୍ୟ ହୋଇ ରହିଛି। ମ୍ୟାଚ୍ ପୂର୍ବଦିନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଗିଲ୍ ମଧ୍ୟ ଏହାକୁ ନେଇ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି। ୭ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରଥିବା କରୁଣ ନାୟର କିମ୍ବା ପ୍ରଥମ ଥର ଟେଷ୍ଟ୍ ଦଳରେ ସ୍ଥାନ ପାଇଥିବା ସାଇ ସୁଦର୍ଶନଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାର ସମ୍ଭାବନା ଅଧିକ ରହିଛି। ସେପଟେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଇଂଲଣ୍ଡ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ଓଲି ପୋପ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ ବୋଲି ମଧ୍ୟ ମଙ୍ଗଳବାର ସ୍ପଷ୍ଟ କରି ଦେଇଛି। ଋଷଭ ନିଜେ ପଞ୍ଚମରେ ବ୍ୟା‌ଟିଂ କରିବେ ବୋଲି ସଙ୍କେତ ଦେଇଛନ୍ତି। ଯଶପ୍ରୀତ୍ ବୁମ୍‌ରାଙ୍କ ସହ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ। ବ୍ୟାଟିଂ ଦକ୍ଷତା ପାଇଁ ଶାର୍ଦୁଳ ଠାକୁର ଚତୁର୍ଥ ଦ୍ରୁତ ବୋଲର ସ୍ଥାନ ନେଇ ପାରନ୍ତି। କୁଲଦୀପ ଯାଦବ ସ୍ପିନର୍‌ଙ୍କ ପାଇଁ ଥିବା ଗୋଟିଏ ସ୍ଥାନ ଏବଂ ଅଲରାଉଣ୍ଡର୍ ଭାବେ ରବୀନ୍ଦ୍ର ଜାଡ଼େଜା ସୁଯୋଗ ପାଇ ପାରନ୍ତି। 

୨୩ ବର୍ଷ ଲିଡ୍‌ସ‌ରେ ଜିତିନି ଭାରତ
ଲିଡ୍‌ସରେ ଭାରତର ରେକର୍ଡ ଆଦୌ ଭଲ ନାହିଁ। ଏଠାରେ ଟିମ୍ ଇଣ୍ଡିଆ  ୭ଟି ମ୍ୟାଚ୍ ଖେଳି ମାତ୍ର ଦୁଇଟିରେ ବିଜୟୀ ହୋଇଛି। ୨୦୨୧-୨୨ରେ ଏଠାରେ ଖେଳିଥିବା ଶେଷ ଟେଷ୍ଟ୍‌କୁ ଭାରତ ଗୋଟିଏ ପାଳି ଓ ୭୬ ରନ୍‌ରେ ହାରିଥିଲା। ପୁଣି ଯେଉଁ ଦୁଇଟି ବିଜୟ ପାଇଥିଲା ତାହା ୧୯୮୬ ଓ ୨୦୦୨ ମସିହାରେ ହାସଲ କରିଥିଲା। ଫଳରେ ଭାରତ ପାଇଁ ଏହି ମ୍ୟାଚ୍ ସହଜ ହେଲା ଭଳି ଆଦୌ ମନେ ହେଉନି। ଏହି ଶୃଙ୍ଖଳାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଆଉ ୫ ୱିକେଟ୍ ନେଲେ ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ପ୍ରଥମ ଭାରତୀୟ ‌ବୋଲର୍ ଭାବେ ୧୫୦ ୱିକେଟ୍ କରାୟତ୍ତ କରିବେ। ଏସୀୟ ବୋଲରଙ୍କ ମଧ୍ୟରେ କେବଳ ୱାସିମ ଆକ୍ରମ ତାଙ୍କଠାରୁ ସେନା ଦେଶରେ ଅଧିକ ୱିକେଟ୍ ନେଇଛନ୍ତି।

ପିଚ୍‌ରେ ସାମାନ୍ୟ ଘାସ
ମ୍ୟାଚ୍‌ ପୂର୍ବଦିନ ହେଡିଂଲେ ପଡ଼ିଆ ପିଚ୍‌ରେ ସାମାନ୍ୟ ଘାସ ଥିବା ପରିଲକ୍ଷିତ ହୋଇଥିଲା। ତେବେ ମ୍ୟାଚ୍ ପୂର୍ବରୁ ଏହାର ସ୍ବଭାବ ଇଂଲଣ୍ଡର ଆବଶ୍ୟକତା ମୁତାବକ ବଦଳାଇ ଦିଆଯିବାର ମଧ୍ୟ ସମ୍ଭାବନା ରହିଛି।  ଶୁକ୍ରବାର ଲିଡ୍‌ସର ପାଗ ମୁଖ୍ୟତଃ ଶୁଷ୍କ ରହିବ। କ୍ୟୁରେଟର୍‌ଙ୍କ ପୂର୍ବାନୁମାନ ଅନୁସାରେ ପିଚ୍ ସମୟକ୍ରମେ ବ୍ୟାଟିଂ ପାଇଁ ସହଜ ହୋଇ ଚାଲିବ। ଏଣୁ ଟସ୍ ଜିତିବା ଦଳ ଏଠାରେ ପ୍ରଥମେ ବୋଲିଂ କଲେ ଫାଇଦାରେ ରହିବେ। ଏଠାରେ ଖେଳାଯାଇଥିବା କିଛି କାଉଣ୍ଟି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରି ଦଳଗୁଡ଼ିକ ବିଜୟୀ ହେବାର ନଜିର ରହିଛି। 

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, କରୁଣ ନାୟର, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ ରକ୍ଷକ), ନୀତୀଶ କୁମାର ରେଡ୍ଡୀ,  ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ। 

ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍‌ରକ୍ଷକ), କ୍ରିସ୍ ଓକ୍ସ, ବ୍ରାଇଡନ୍ କାର୍ସ, ‌ଜୋସ୍ ଟଙ୍ଗ୍, ସୋଏବ ବସିର।