କାକ୍‌ଚିଙ୍ଗ୍‌ର ଚର୍ଚ୍ଚିତ ଚାନୁ, ରିଓ ଗ୍ଲାନିରୁ ଟୋକିଓ ଗୌରବ

କାଠ ଗୋଟାଳିରୁ ଅଲିମ୍ପିକ୍ସ ବିଜୟିନୀ, ଦେଶବାସୀଙ୍କୁ ପଦକ ଉତ୍ସର୍ଗ ଗଲେ ମୀରା

ଟୋକିଓ: ଟୋକିଓରେ ରୌପ୍ୟ ପଦକ ଜିତି ସଫଳତାର ନୂଆ ଫର୍ଦ ଯୋଡ଼ିଥିବା ଭାରୋତ୍ତୋଳନ ତାରକା ମୀରାବାଇ ଚାନୁଙ୍କ ଜନ୍ମ ୧୯୯୪ ମସିହା ଅଗଷ୍ଟ ୮ ତାରିଖରେ ମଣିପୁରର ପୂର୍ବ ଇମ୍ଫାଲସ୍ଥିତ ନାଙ୍ଗପକ କାକଚିଙ୍ଗ୍ ଗାଁରେ ହୋଇଥିଲା। ମାତ୍ର ୧୨ ବର୍ଷ ବୟସରେ ଭରୋତ୍ତୋଳନ କରିବା ଆରମ୍ଭ କରିଥିଲେ ସେ। ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାନୁ ପ୍ରଥମ ଥର ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ୪୮ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଏହାପରେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ପ୍ରତିଦ୍ବନ୍ଦ୍ବିତା ଶେଷ କରିନପାରି ନୈରାଶ୍ୟର ସହ ବିଦାୟ ନେଇଥିଲେ।

ଆମେରିକାରେ ଆୟୋଜିତ ୨୦୧୭ ବିଶ୍ବ ଚାମ୍ପିଅନସିପ୍‌ ଏବଂ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୪୮ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସେ। ଏହା ପରେ ୪୯ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବା ଆରମ୍ଭ କରି ଦେଇଥିଲେ। ୨୦୨୦ ଟୋକିଓ ବିଶ୍ବ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ପାଇଥିଲେ। ୨୦୧୯ କାତାର ଅନ୍ତର୍ଜାତୀୟ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଚାନୁ। ୨୦୧୮ରେ ‌ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧି ଖେଳ ରତ୍ନ’ ପୁରସ୍କାର ପାଇବା ପରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ବିଭୂଷିତ ହୋଇଥିଲେ ସେ। ମଣିପୁରୀ ଝିଅ ଏମ୍‌ସି ମେରିକମ ଲଣ୍ଡନ ଅଲିମ୍ପିକ୍ସରେ ପଦକ ଜିତି ମହିଳା ମୁଷ୍ଟିଯୁଦ୍ଧକୁ ନୂଆ ମୋଡ଼ ଦେଇଥିଲେ। ଭାରୋତ୍ତୋଳନରେ ଚାନୁ ଅଲିମ୍ପିକ୍ସ ପଦକ ଜିତିବା ପରେ ଏହି ଖେଳକୁ ଅଧିକରୁ ଅଧିକ ମହିଳା ପେସା କରିବାକୁ ଆଗେଇ ଆସିବେ ବୋଲି ଆଶା କରାଯାଉଛି। ମେରିଙ୍କ ପରେ ମୀରା ଏବେ ଭାରତୀୟ ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ସ୍ବପ୍ନ ଦେଖିବାର ନୂଆ କାରଣ ଯୋଗାଇ ଦେଇଛନ୍ତି।

ମା’ଙ୍କ ଆଖିରେ ଲୁହ, ଧ୍ୟାନ ଆକର୍ଷଣ କଲା କାନଫୁଲ

ଚାନୁଙ୍କ ଐତିହାସିକ ସଫଳତା ପରେ ତାଙ୍କ ଗାଁ ନଙ୍ଗପକ କାକ୍‌ଚିଙ୍ଗ (ଇମ୍ଫାଲ, ମଣିପୁର) ଗାଁ ଏକ ପ୍ରକାର ଉତ୍ସବ ମୁଖର ହୋଇଉଠିଛି। ତାଙ୍କ ପରିବାରର ସବୁ ସଦସ୍ୟ ଭାବବିହ୍ବଳ ହୋଇଯାଇଥିଲେ। ଟେଲିଭଜିନ୍ ପରଦାରେ ଚାନୁଙ୍କ ପଦକ ବିଜୟର ଐତିହାସିକ ମୁହୂର୍ତକୁ ସମଗ୍ର ଗାଁ ଏକାଠି ଉପ‌ଭୋଗ କରିଥିଲେ। ତେବେ ସବୁଠାରୁ ଖୁସି ଥିଲେ ମା’ ସାଇଖମ୍ ଅଙ୍ଗବୀ ତମ୍ବି ଲିମା ଏବଂ ପିତା ସାଇଖମ କ୍ରିତି ମେଇତି। ଉଭୟ ଖୁସିରେ କାନ୍ଦି ପକାଇଥିଲେ। ଚାନୁଙ୍କୁ ତାଙ୍କ ତ୍ୟାଗ, ତପସ୍ୟା ଓ ନିଷ୍ଠାର ଫଳ ମିଳିଲା ବୋଲି ଉଭୟ ଆବେଗଭରା କଷ୍ଠରେ କହିଥିଲେ। ୬ ଭାଇ ଭଉଣୀଙ୍କୁ ନେଇ ଗଠିତ ଚାନୁଙ୍କ ବଡ଼ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ। ତଥାପି ତାଙ୍କୁ ସବୁ ପ୍ରକାର ସମର୍ଥନ ଦେଇ ଆସୁଥିଲା ପରିବାର। ଏବେ ସେ ସେସବୁ ସୁଧ ସହ ଫେରାଇ ଦେଇଛନ୍ତି। ଏହି ସଫଳତା ଲାଗି ମଣିପୁର ସରକାର ଚାନୁଙ୍କୁ ୧‌େକାଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।

ଧ୍ୟାନ ଆକର୍ଷଣ କଲା କାନଫୁଲ
ପ୍ରଥମ ଦିନରେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇ ଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ନଜର ଚାନୁଙ୍କ ଉପରେ ଥିଲା। ସେ କିନ୍ତୁ ଚାପ ଗ୍ରସ୍ତ ନଥିଲେ। ବରଫ ଭଳି ଥଣ୍ଡା ରହିବା ସହ ନିଜ ଶାନ୍ତ ଓ ସରଳ ସ୍ବଭାବର ପରିଚୟ ଦେଇଥିଲେ। ପ୍ରତ୍ୟେକ ପ୍ରୟାସ ପରେ ତାଙ୍କ ମୁହଁରେ ଖେଳି ଯାଉଥିଲା ମେଞ୍ଚାଏ ହସ। ତେବେ ସେ ପିନ୍ଧିଥିବା ଅଲିମ୍ପିକ୍ସ ରିଙ୍ଗ୍ ଭଳି କାନଫୁଲ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି କାନଫୁଲ ଦୁଇଟିକୁ ତାଙ୍କ ମା’ ପାଞ୍ଚବର୍ଷ ତଳେ ଉପହାର ଆକାରରେ ଦେଇଥିଲେ। ଏଥିଲାଗି ସେ ନିଜର କିଛି ସୁନା ଅଳଙ୍କାରକୁ ବିକି ଦେଇଥିଲେ। ଶନିବାର ଚାନୁ ଭାର ଉଠାଇଲା ବେଳେ ଏହି କାନଫୁଲ ପିନ୍ଧିଥିବା ଦେଖି ତାଙ୍କ ମା ଅଙ୍ଗବି ଲିମା ଲୁହ ରୋକି ପାରିନଥିଲେ। ‘‘ ମୁଁ ଟିଭିରେ ସେହି କାନଫୁଲ ଦେଖିଲି। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ମୁଁ ତାକୁ ଏହି କାନଫୁଲ ଦୁଇଟି ଦେଇଥିଲି। ରିଓରେ ତାକୁ ଭାଗ୍ୟ ସହାୟ ହୋଇ ନଥିଲା। ଟୋକିଓରେ କିନ୍ତୁ ପଦକ ଜିତିବାରୁ ମୋ ଛାତି ଆଜି କୁଣ୍ଢେମୋଟ ହୋଇଯାଇଛି’’ ବୋଲି ଅଙ୍ଗବି କହିଥିଲେ।

ବିନ୍ଦ୍ରା ଲେଖିଲେ ଆବେଗଭରା ଚିଠି
ଚାନୁ ରୌପ୍ୟ ପଦକ ଜିତିବା ପରେ ଭାରତର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା ତାଙ୍କୁ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି। ଚାନୁଙ୍କୁ ତାଙ୍କ ଐତିହାସିକ ସଫଳତା ଲାଗି ଅଭିନନ୍ଦନ ଜଣାଇବା ସହ ଆଗାମୀ ଅନେକ ପିଢ଼ି ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ବିନ୍ଦ୍ରା। ଚାନୁ ଓ ତାଙ୍କ ପରିବାରକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସ ପୋଡିୟମରେ ଛିଡ଼ା ହୋଇ ଦେଶ ପାଇଁ ସେ ଯେଉଁ ଗର୍ବ ଓ ଗୌରବ ଆଣିଛନ୍ତି ତାହା ଅବର୍ଣ୍ଣନୀୟ ବୋଲି କହିଛନ୍ତି ବିନ୍ଦ୍ରା।

ରିଓ ଗ୍ଲାନିରୁ ଟୋକିଓ ଗୌରବ

୪ ଫୁଟ ୧୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ମୀରାବାଇ ଚାନୁ ୫ବର୍ଷ ତଳେ ଅର୍ଥାତ୍ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଅନ୍ୟତମ ପଦକ ଦାବିଦାର ଥିଲେ। ହେଲେ ୪୮ କିଲୋଗ୍ରାମ ବର୍ଗର ୬ଟିରୁ (ଉଭୟ ସ୍ନାଚ୍ ଓ କ୍ଲିନ୍ ଆଣ୍ଡ ଜର୍କ) ୫ଟି ପ୍ରୟାସରେ ବିଫଳ ହେବା ପରେ କାନ୍ଦି କାନ୍ଦି ବିଦାୟ ନେଇଥିଲେ। ସେଥି‌ରେ ହାରିନଯାଇ କଠିନ ଅଭ୍ୟାସ ଜାରି ରଖିଥିଲେ। ସତ କହିବାକୁ ଗଲେ ଏହା ପରେ ନିଜ ବଳିଷ୍ଠ ଆତ୍ମବିଶ୍ବାସ ବଳରେ ଲଗାତାର ସ୍ଥିର ପ୍ରଦର୍ଶନ ଦେଇଆସୁଥିଲେ। ଯାହାର ଫଳ ତାଙ୍କୁ ଟୋକିଓରେ ମିଳିଛି। କରୋନା ମହାମାରୀ ସଙ୍କଟ ପାଇଁ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଏକାଗ୍ରତା ହରାଇ ନଥିଲେ ସେ। ଟୋକିଓ ଅଲିମ୍ପିକ୍ସର ଦୁଇ ମାସ ପୂର୍ବରୁ ଆମେରିକା ଯାଇ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବା ହିଁ ତାଙ୍କ ପାଇଁ ପଦକ କରାୟତ୍ତ କରିବାରେ ବେଶ୍ ସହାୟକ ହୋଇଥିଲା। ତାଙ୍କ ପ୍ରଶିକ୍ଷକ ବିଜୟ ଶର୍ମା, ସହକାରୀ ପ୍ରଶିକ୍ଷକ ସନ୍ଦୀପ କୁମାର ମଧ୍ୟ କଠିନ ପରିଶ୍ରମ କରିଥିଲେ। ଯାହାର ଫଳ ଆଜି ସମଗ୍ର ଭାରତ ବର୍ଷକୁ ମିଳିଛି। ଦେଶ ଚାନୁଙ୍କୁ ନେଇ ଗର୍ବ ଅନୁଭବ କରୁଛି।

କାଠ ଗୋଟାଳିରୁ ଅଲିମ୍ପିକ୍ସ ବିଜୟିନୀ, ଦେଶବାସୀଙ୍କୁ ପଦକ ଉତ୍ସର୍ଗ ଗଲେ ମୀରା

ପ୍ରଥମ ଭାରତୀୟ ଭାବେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିବା ପରେ ମୀରାବାଇ ଚାନୁଙ୍କ ପିଲାଦିନକୁ ମନେ ପକାଇଛନ୍ତି ତାଙ୍କ ଭାଇ ବିୟନ୍ତ ମିତେଇ। ପିଲାଟି ଦିନରୁ ଚାନୁଙ୍କ ପାଖରେ ବିଶ୍ବବିଜୟିନୀ ହେବାର ଗୁଣ ଥିଲା ବୋଲି ସେ କହିଛନ୍ତି। ପିଲାବେଳ କଥା ମନେ ପକାଇ ବିୟନ୍ତ ମତ ରଖିଛନ୍ତି ଯେ ମୀରାବାଇ ଆମ ସହ ଜଙ୍ଗଲକୁ କାଠ ଗୋଟାଇବାକୁ ଯାଉଥିଲା। ବୟସରେ ସାନ ଥିଲେ ମଧ୍ୟ ସେ ଆମଠାରୁ ଅଧିକ ଓଜନର କାଠ ଗଣ୍ଡି ବୋହି ଆଣୁଥିଲା। ସେ ବହୁତ ପନିପରିବା ଖାଉଥିଲା। ଫଳ ରସ ପିଇବାକୁ ବହୁତ ଭଲ ପାଉଥିଲା। କେବେ କେବେ ଏକାକି ଜଙ୍ଗଲକୁ ଯାଇ ଫଳ ଓ କାଠ ସଂଗ୍ରହ କରୁଥିଲା। ସେ ପିଲାଟି ଦିନରୁ ଶକ୍ତିଶାଳୀ ଥିଲା। ବଡ଼ ହେଲା ପରେ ଜଙ୍ଗଲରେ କାଠ ସଂଗ୍ରହ କରିବାରେ ସେ ଆମ ନେତୃତ୍ବ ନେଉଥିଲା। ଯଦି କେହି କାଠ ଗଣ୍ଡି ଉଠାଇ ପାରୁ ନଥିଲେ, ତାହ‌ା‌ଲେ ସେ ସେହି କାମକୁ ଖୁସିରେ କରୁଥିଲା।

ଅନ୍ୟ ସମସ୍ତେ କୁହନ୍ତି ତୁ ହେଉଛୁ ଭାରୋତ୍ତୋଳକ, ଆମ ଭାର ବି ତୁ ଉଠାଇନେଉନୁ। ପିଲାଟି ବେଳୁ ମୀରାବାଇ ଟିଭିରେ କ୍ରୀଡ଼ା ତାରକାଙ୍କୁ ଦେଖି ଉଲ୍ଲସିତ ହୋଇଯାଏ। ନିଜେ ଜଣେ କ୍ରୀଡ଼ାବିତ୍ ହେବ ବୋଲି ଛୋଟ ବେଳୁ ହିଁ ସଂକଳ୍ପ କରିଥିଲା। ମୀରବାଇଙ୍କ ସଫଳତାରେ ପରିବାର ବର୍ଗ ବେଶ୍ ଆନନ୍ଦିତ। ସମର୍ଥନ ଓ ଭଲପାଇବା ପାଇଁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ‘‘ଦେଶବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବହୁତ ଲୋକ ଆମକୁ ଘରେ ଆସି ଅଭିନନ୍ଦନ ଜଣାଇଛନ୍ତି। ଆମେ ସ୍ବର୍ଣ୍ଣ ପଦକ ଆଶାରେ ଥିଲୁ। ଅନ୍ତତଃ ସେ ରୌପ୍ୟ ପଦକ ତ ଜିତିଲା। ମଣିପୁର ଓ ଭାରତକୁ ମୀରାବାଇ ଗର୍ବିତ କରିଛନ୍ତି। ଆମେ ତାଙ୍କ ଫେରନ୍ତାବାଟକୁ ଚାହି ବସିଛୁ। ମୀରାବାଇଙ୍କ ପାଇଁ ସର୍ପାଇଜ୍ ପାର୍ଟି ରଖିଛୁ’’ ବୋଲି ସେନା ବାହିନୀରେ କାର୍ଯ୍ୟ କରୁଥିବା ବିୟନ୍ତ ମତ ଦେଇଛନ୍ତି।

ଟୋକିଓ: ‌୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ଗୋଟିଏ ବି ବୈଧ ଉତ୍ତୋଳନ କରିପାରିନଥିବା ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତି ସେଦିନର ଦୁଃଖକୁ ଭୁଲିଯାଇଛନ୍ତି। ଏହି ଅବସରରେ ସେ ନିଜ ସଫଳତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ‘ବାସ୍ତବରେ ଏବେ ମୋ ସ୍ବପ୍ନ ସାକାର ହୋଇଛି। ମୁଁ ଏହି ସଫଳତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଚାହିଁବି। ମୋ ଅଲିମ୍ପିକ୍ ଯାତ୍ରା ପଥରେ ପ୍ରାର୍ଥନା କରିଥିବା କୋଟି କୋଟି ଭାରତୀୟଙ୍କୁ ଧନ୍ୟବାଦ ଜଣାଉଛି। ମୋ ପରିବାରକୁ ମଧ୍ୟ ଧନ୍ୟବାଦ ‌ଦେବି, ବିଶେଷ କରି ମୋ ମା’ଙ୍କୁ ଯିଏ ଅନେକ ତ୍ୟାଗ କରିଛନ୍ତି ଏବଂ ମୋ ଉପରେ ବିଶ୍ବାସ ରଖିଥିବାରୁ।

ସେହିଭଳି କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଭାରତୀୟ ଅଲିମ୍ପିକ୍ ସଂଘ, ଭାରତୀୟ ଭାରୋତ୍ତୋଳନ ସଂଘ, ରେଳବାଇ, ଅଲିମ୍ପିକ ଗୋଲ୍ଡ କୋଷ୍ଟ୍, ପ୍ରା‌ୟୋଜକ ଏବଂ ମାର୍କେଟିଂ ଏଜେନ୍ସି ଆଇଓଏସ୍‌କୁ ନିରଂତର ସମର୍ଥନ ପାଇଁ ମଧ୍ୟ କୃତଜ୍ଞତା ଜଣାଇବି ବୋଲି ପଦକ ବିଜୟ ପରେ ଚାନୁ ପ୍ରକାଶ କରିଛନ୍ତି। ନିଜ ପ୍ରଶିକ୍ଷକ ବିଜୟ ଶର୍ମା ସାର୍‌ଙ୍କୁ ସ୍ବତନ୍ତ୍ର ଧନ୍ୟବାଦ ଦେବି। ତାଙ୍କ ସମର୍ଥନ, କଠିନ ପରିଶ୍ରମ, ତାଲିମ, ପ୍ରବର୍ତ୍ତାଇବାକୁ ସବୁ ଶ୍ରେୟ ଯିବ। ‘ମୁଁ ଚାନୁଙ୍କ ସହ ଦୀର୍ଘ ୮ ବର୍ଷ ହେବ ରହିଛି। ତାଙ୍କ ଲଢ଼ୁଆ ଆଚରଣ ଅବିଶ୍ବସନୀୟ। ଆହତ ହେବା ସତ୍ତ୍ବେ ସେ ଚମତ୍କାର ପ୍ରତ୍ୟାବର୍ତନ କରି ଏହି ସଫଳତା ପାଇଛନ୍ତି। ମୁଁ ମୋ ଛାତ୍ରୀ ମୀରା ପାଇଁ ବାସ୍ତବରେ ଗର୍ବିତ। ଏ ପଦକ ତାଙ୍କ ତ୍ୟାଗର ଫଳ’ ବୋଲି କହିଥିଲେ ତାଙ୍କ ପ୍ରଶିକ୍ଷକ ବିଜୟ ଶର୍ମା।

ସମ୍ବନ୍ଧିତ ଖବର