ସ୍ବର୍ଣ୍ଣ ସ୍ବପ୍ନ ଚୁରମାର, ନାନା ମୋଡ଼ ନେଇଥିବା ନାଟକୀୟ ୪ କ୍ବାର୍ଟର

ଭାରତ ସେମିରେ ବେଲଜିୟମ୍‌ଠାରୁ ୨-୫ରେ ହାରିଲା, କାଂସ୍ୟ ପଦକ ପାଇଁ ଜର୍ମାନି ବିପକ୍ଷରେ ଖେଳିବ

ଟୋକିଓ: ଭାରତୀୟ ହକି ଦଳର ଦୀର୍ଘ ଚାରି ଦଶନ୍ଧି ବ୍ୟବଧାନ ପରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ୪୯ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲକୁ ଯାଇଥିବା ଭାରତୀୟ ହକି ଦଳ ଏହି ବହୁ ପ୍ରତୀକ୍ଷିତ ଏବଂ ବହୁ ଚର୍ଚ୍ଚିତ ମୁକାବିଲାରେ ମଙ୍ଗଳବାର ବିଶ୍ବ ବିଜେତା ବେଲଜିୟମଠାରୁ ୨-୫ ଗୋଲ୍‌ରେ ହାରିବା ପରେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଯାଇଛି। ତଥାପି ଲଢ଼ୁଆ ଓ ସାହସିକ ହକି ପାଇଁ ଉଚ୍ଚ ପ୍ରଶଂସିତ ହୋଇଛି ମନପ୍ରୀତ ସିଂହଙ୍କ ଯୁବ ବାହିନୀ। ସ୍ବର୍ଣ୍ଣ ଦୌଡ଼ରୁ ବାଦ ପଡ଼ିଥିଲେ ବି ଭାରତ ପାଖରେ ଏବେବି କାଂସ୍ୟ ଜିତିବାର ସୁଯୋଗ ରହିଛି।

କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଆତ୍ମବିଶ୍ବାସର ସହ ସେମିଫାଇନାଲ୍ ଖେଳିଥିବା ଭାରତ ଫାଷ୍ଟ ହକି, ଶ୍ରେଷ୍ଠ ତାଳମେଳ, ସୁବ୍ୟବସ୍ଥିତ ଆକ୍ରମଣ ଏବଂ ଉଚ୍ଚ ଶାରୀରିକ ଫିଟନେସ୍ ପାଇଁ ପରିଚିତ ମହାଶକ୍ତିଶାଳୀ ବେଲଜିୟମ୍‌ ବିପକ୍ଷରେ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ତେବେ କିଛି ବିତର୍କିତ ନିଷ୍ପତ୍ତି ସହ ବିପଜ୍ଜନକ ଖେଳ ପାଇଁ ଠିକଣା ସମୟରେ ଅଧିନାୟକ ମନପ୍ରୀତ ସିଂହ ଟର୍ଫ ବାହାରକୁ ଯିବା, ରକ୍ଷଣଭାଗ ସିରିଜ୍ ପେନାଲ୍ଟି କର୍ଣ୍ଣର ବରଣ କରିବା ଏବଂ ଟିଭି ଅମ୍ପାୟାର ପେନାଲ୍ଟି କର୍ଣ୍ଣରକୁ ପେନାଲ୍ଟି ଷ୍ଟ୍ରୋକ୍‌ରେ ବଦଳାଇ ଦେବା ଭଳି ଦୁର୍ଭାଗ୍ୟଜନକ ଘଟଣା ଲାଗି ଭାରତ ଦୁଃଖଦ ପରାଜୟ ବରଣ କରିଥିଲା। ତେବେ ରିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ବେଲଜିୟମକୁ ଏକଦା ୨-୧ରେ ଆଗୁଆ ଥିବା ଉତ୍ସାହୀ ଭାରତୀୟ ଦଳ ପୂରା ପାଣି ପିଆଇ ଦେଇଥିଲା। ସ୍କୋର ଲାଇନ୍‌ରେ ୩ ଗୋଲ୍‌ର ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ଭାରତର ‌ଖେଳ ‌ଯଥେଷ୍ଟ ଉଚ୍ଚକୋଟୀର ଥିଲା। ବେଲଜିୟମ ଆଜି ୧୪ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ସେଥିମଧ୍ୟରୁ ଚାରିଟିକୁ ଗୋଲ୍‌ରେ ରୂପାନ୍ତର କରିଥିଲା। ଏହା ହିଁ ଶେଷରେ ଦୁଇ ଦଳ ମଧ୍ୟରେ ମୁଖ୍ୟ ଫରକ ‌ହୋଇଥିଲା। ଅବଶ୍ୟ ଭାରତ ପାଖରେ ଏବେବି ପୋଡିୟମ୍ ଫିନିସ୍ ପାଇବାର ସୁଯୋଗ ରହିଛି। ସ୍ବର୍ଣ୍ଣ ଜିତିବା ସମ୍ଭାବନା ହାତଛଡ଼ା ହୋଇଥିଲେ ବି ଭାରତ କାଂସ୍ୟ ପଦକ ଦୌଡ଼ରେ ସାମିଲ ରହିଛି। କାଂସ୍ୟ ଜିତିବା ଲାଗି ଟିମ୍ ଇଣ୍ଡିଆ ଏବେ ଜର୍ମାନିର ମୁକାବିଲା କରିବ। କାରଣ ମଙ୍ଗଳବାରର ଦ୍ବିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୟୁରୋପୀୟ ଦେଶ ଜର୍ମାନିକୁ ୩-୧‌ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ-ଜର୍ମାନି କାଂସ୍ୟ ପଦକ ମ୍ୟାଚ୍ ଏବଂ ବେଲଜିୟମ-ଅଷ୍ଟ୍ରେଲିଆ ଫାଇନାଲ୍ ଗୁରୁବାର ଖେଳାଯିବ। ‘‘ସେମିଫାଇନାଲ୍ ପରାଜୟ ପରେ ହୃଦୟ ଭାଙ୍ଗିଛି। ତେବେ ଆମେ ଏକ କାଂସ୍ୟ ପଦକ ଉପରେ ଧ୍ୟାନ ନିବେଶ କରିବୁ’’ ବୋଲି ଅଧିନାୟକ ମନପ୍ରୀତ ସିଂହ ମ୍ୟାଚ୍ ପରେ କହିଥିଲେ।

୧୪ ପେନାଲ୍ଟି କର୍ଣ୍ଣର ବରଣ ପରାଜୟର କାରଣ

ଭାରତ-ବେଲଜିୟମ ମହାଲଢ଼େଇର ଚାରି କ୍ବାର୍ଟର ବେଶ୍ ରୋଚକ ଭରା ଥିଲା। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଉପରେ ରହିଥିଲା। ଏପରିକି ତୃତୀୟ କ୍ବାର୍ଟରରେ ବି ଭାରତ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବାର ‌ଢେର ସମ୍ଭାବନା ଥିଲା। ହେଲେ ଚତୁର୍ଥ କ୍ବାର୍ଟରରେ ଭାରତର ଆଶା, ଆକାଂକ୍ଷାକୁ ଧଳିସାତ୍ କରି ବେଲଜିୟମ୍ ମ୍ୟାଚ୍ ସହ ଫାଇନାଲ୍ ଟିକେଟ ଛଡ଼ାଇ ନେଇଥିଲା। ଆସନ୍ତୁ ଏହି ମ୍ୟାଚ୍‌ର ୪ କ୍ବାର୍ଟରର ନାଟକୀୟ ପଟ୍ଟକଥା ଉପରେ ନଜର ପକାଇବା।

ପ୍ରଥମ କ୍ବାର୍ଟର: ବେଲଜିୟମ ପ୍ରଥମ ମିନିଟ୍‌ରୁ ଭାରତ ଉପରେ ଚାପ ପକାଇବା ଆରମ୍ଭ କରିଥିଲା। ଦ୍ବିତୀୟ ମିନିଟ୍‌ରେ ଲୋଇକ୍‌ ଲୁଇପାର୍ଟ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ବେଲଜିୟମ୍‌କୁ ଆଗୁଆ କଲେ। ଏହାର ପରେ ପରେ ଭାରତ ପେନାଲ୍ଟି କର୍ଣ୍ଣର ଅର୍ଜନ କଲା। ହେଲେ ବିବେକ ସାଗର ପ୍ରସାଦ ଏହାକୁ ଗୋଲ୍‌ରେ ରୂପାନ୍ତର କରିବାରେ ବିଫଳ ହେଲେ। ସପ୍ତମ ମିନିଟ୍‌ରେ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କଲା। ହରମନପ୍ରୀତ ସିଂହ ଗୋଲ୍ ଛଡ଼ାଇ ଆଣି ସ୍ଥିତି ୧-୧ କରିନେଲେ। ନବମ ମିନିଟ୍‌ରେ ଅମିତ ରୋହି ଦାସଙ୍କଠାରୁ ପାସ୍ ପାଇ ମନଦୀପ ସିଂହ ରିଭର୍ସ ସଟ୍‌ରେ ଗୋଲ୍ କରି ଭାରତକୁ ୨-୧ରେ ଆଗୁଆ କଲେ। ଦଶମ ମିନିଟ୍‌ରେ ଭାରତ ଆଉ ଏକ ପେନାଲ୍ଟି ପାଇଲା। ରୂପିନ୍ଦର ପାଲ ସିଂହଙ୍କ ପ୍ରହାରକୁ ବେଲଜିୟମ ଗୋଲ୍ ରକ୍ଷକ ଭିନସେଣ୍ଟ ଭନାଶ ସଫଳତାର ସହ ରୋକିନେଲେ।

ଦ୍ବିତୀୟ କ୍ବାର୍ଟର: ଗୋଟିଏ ଗୋଲ୍‌ରେ ପଛୁଆ ଥିବା ବେଲଜିୟମ୍‌ ଆକ୍ରମଣର ତୀବ୍ରତା ବଢ଼ାଇଲା। ଲଗାତାର ତିନିଟି ପେନାଲ୍ଟି କର୍ଣ୍ଣର ଅର୍ଜନ କଲା। ହେଲେ ଅମିତ ରୋହି ଦାସଙ୍କ ନେତୃତ୍ବରେ ଭାରତୀୟ ରକ୍ଷଣଭାଗ ଏହାକୁ ସଫଳତାର ସହ ନିଷ୍ଫଳ କଲା। ଊନ୍ନବିଂଶ ମିନିଟ୍‌ରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ଆଉ ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ସ୍ଥିତି ୨-୨ କଲେ। ଭାରତୀୟ ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ ବେଲଜିୟମର ଦୁଇଟି ନିଶ୍ଚିତ ଗୋଲ୍ ପ୍ରୟାସକୁ ବିଫଳ କଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳ ୨-୨ରେ ରହିଲେ।
ତୃତୀୟ କ୍ବାର୍ଟର: ତୃତୀୟ କ୍ବାର୍ଟରରେ ଭାରତୀୟ ରକ୍ଷଣଭାଗ ଉପରକୁ ବେଲଜିୟମ ଆକ୍ରମଣ ଜାରି ରହିଲା। ଦଳ ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିବାକୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କଲା। ହେଲେ ଭାରତ ଚତୁର ଓ ଚମତ୍କାର ହକି ଖେଳି ୩୮ତମ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ କିନ୍ତୁ ଅଧିନାୟକ ମନପ୍ରୀତ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲେ। ତୃତୀୟ କ୍ବାର୍ଟର ଶେଷ ପରେ ବି ଦୁଇ ଦଳ ବରାବର ସ୍ଥିତିରେ ରହିଥିଲେ।

ଚତୁର୍ଥ ତଥା ନିର୍ଣ୍ଣାୟକ କ୍ବାର୍ଟର: ଚତୁର୍ଥ କ୍ବାର୍ଟର ଆରମ୍ଭ ହେବାର ମାତ୍ର ୩ ମିନିଟ୍ ପରେ ଭାରତକୁ ଏକ ଶକ୍ତିଶାଳୀ ଧକ୍କା ଲାଗିଥିଲା। ଅଧିନାୟକ ମନପ୍ରୀତ ସିଂହଙ୍କୁ ଅମ୍ପାୟାର ଗ୍ରିନ୍ କାର୍ଡ ଦେଖାଇବା ପରେ ସେ ଟର୍ଫ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେ ପଡ଼ିଆ ଛାଡ଼ିବା ପରେ ପରେ ବେଲଜିୟମ ଆଉ ତିନିଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ତୃତୀୟରୁ ଗୋଲ୍ କରି ହେଣ୍ଡ୍ରିକ୍ସ ବେଲଜିୟମକୁ ଆଗୁଆ କରି ଦେଇଥିଲେ। ୪ ମିନିଟ୍ ପରେ ଅର୍ଥାତ୍ ୫୩ତମ ମିନିଟ୍‌ରେ ସେ ବ୍ୟକ୍ତିଗତ ଭାବେ ଆଉ ଏକ ଗୋଲ୍ ଦେଇ ହ୍ୟାଟ୍ରିକ୍ କରିବା ସହ ବେଲଜିୟମ ମ୍ୟାଚ୍‌କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ବେଲଜିୟମ୍‌ ରେଫରାଲ ପରେ ଟିଭି ଅମ୍ପାୟାର ସେତେବେଳେ ପେନାଲ୍ଟି କର୍ଣ୍ଣରକୁ ପେନାଲ୍ଟି ଷ୍ଟ୍ରୋକ୍‌ରେ ରୂପାନ୍ତର କରି ଦେଇଥିଲେ। ଶେଷ କିଛି ମିନିଟ୍‌ରେ ଭାରତୀୟ ଗୋଲ୍ ରକ୍ଷକ ପିଆର ଶ୍ରୀ‌ଜେସ୍ ଗୋଲ୍ ପୋଷ୍ଟ ମୁକୁଳା କରି ବେଲଜିୟମ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହାର ସୁଯୋଗ ନେଇ ଜନ୍ ଜନ୍ ଡୋହେମନ୍ ଏକ ସହଜ ଗୋଲ୍ ଦେଇ ବେଲଜିୟମକୁ ୫-୨ରେ ବିଜୟୀ କରାଇଥିଲେ।

ସମ୍ବନ୍ଧିତ ଖବର