‘ମାଉଣ୍ଟେନ୍ ହକି’ର ମହାଗୁରୁ: ପାଠ ସହ ହକିକୁ ଫେଣ୍ଟୁଛନ୍ତି ଫାଦର ରାଜେନ୍ଦ୍ର

ହକି ଜୀବନସାଥୀ, ଛାତ୍ର-ଛାତ୍ରୀ ପୁଅ ଝିଅ

ଦେବାଶିଷ ସୁ୍ନ୍ଦରାୟ
ଭୁବନେଶ୍ବର: ପ୍ରଚଣ୍ଡ ପ୍ରତିଭା ଥିଲା। ହେଲେ କିଛି ଅନିଚ୍ଛାକୃତ ପ୍ରତିବନ୍ଧକ ପାଇଁ ଅନ୍ତର୍ଜାତୀୟ ହକି ଖେଳିବାର ସ୍ବପ୍ନ ଅକାଳରେ ଭାଙ୍ଗି ଚୁରମାର ହୋଇଯାଇଥିଲା। ଦୁର୍ଭାଗ୍ୟଜନକ ଭାବେ କ୍ରୀଡ଼ା ଛାତ୍ରାବାସ ଆଗକୁ ବଢ଼ି ପାରିନଥିଲା ତାଙ୍କ ହକି ଜୀବନ। ଫାଦର ରାଜେନ୍ଦ୍ର କୁଜୁର୍‌ କିନ୍ତୁ ହାର ମାନିନଥିଲେ। ଶିକ୍ଷକତାକୁ ପେସା କରି ଶହ ଶହ ପିଲାଙ୍କୁ ହକି ଖେଳିବାକୁ ପ୍ରେରିତ କରିଚାଲିଥିଲେ। ସେମାନଙ୍କ ମାଧ୍ୟମରେ ହିଁ ନିଜ ସ୍ବପ୍ନକୁ ସାକାର କରିବାକୁ ଯେମିତି ଜୀବନର ବ୍ରତ କରି ନେଇଥିଲେ। ପାଠ ସହ ଖେଳର କକ୍‌ଟେଲ୍ କିଭଳି ୪୦୦ରୁ ଅଧିକ ବାଳିକାଙ୍କୁ ହକି ପଡ଼ିଆକୁ ଟାଣି ଆଣିଛି, ତାହା କରି ଦେଖାଇଥିଲେ ଫାଦର ରାଜେନ୍ଦ୍ର। ଆଜୀବନ ଅବିବାହିତ ଥିବା ଏହି ସରଳ ଓ ମିଷ୍ଟଭାଷୀ ପାଦ୍ରି ପାଲଟି ଯାଇଥିଲେ ହକି ପର୍ବତ। ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ‘ମାଉଣ୍ଟେନ୍ ହକି’ ଚଳଚ୍ଚିତ୍ରର ପ୍ରେରଣାସ୍ରୋତ ଓ ମହାଗୁରୁ। ହକି ପ୍ରତି ରାଜେନ୍ଦ୍ରଙ୍କ ସମର୍ପଣ ଭାବ, ନିଷ୍ଠା ଓ ଭଲପାଇବାକୁ ନେଇ ନିର୍ମାଣ କରାଯାଇଥିବା ଏହି ଚଳଚ୍ଚିତ୍ର ଏବେ ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଜିତି ଚାଲିଛି। ମାଉଣ୍ଟେନ୍ ହକି ମଧ୍ୟ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାରେ ପ୍ରଥମ ଓଡ଼ିଆ ପ୍ରାମାଣିକ ଚିତ୍ରର କୀର୍ତ୍ତିମାନ ଲାଭ କରିଛି। ରାଜେନ୍ଦ୍ରଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନିଖୁଣ ଭାବେ ଦର୍ଶାଇବା ହିଁ ଚଳଚ୍ଚିତ୍ରଟିକୁ ଅଧିକ ରୋଚକ କରିଛି। ରାଜେନ୍ଦ୍ର ମଧ୍ୟ ନିଆରା ହକି ପିତା ଓ ଗୁରୁର ଯୁଗଳ ଗୌରବ ପାଇ ବେଶ୍ ଖୁସି ଅଛନ୍ତି।

ରାଜେନ୍ଦ୍ରଙ୍କ ପିତା ସ୍ଲାଭିଆନସ୍ କୁଜୁର ଥିଲେ ଜଣେ ହକି ଖେଳାଳି। ସେ ମଧ୍ୟ ଥିଲେ ରାଜେନ୍ଦ୍ରଙ୍କ ପ୍ରଥମ ପ୍ରଶିକ୍ଷକ। ୬ ଭାଇଭଉଣୀର ବଡ଼ ପରିବାର ସତ୍ତ୍ବେ ମା’ ଜୋହାନୀ ମିଞ୍ଜ୍ ମଧ୍ୟ ପୁଅକୁ ହକି ଖେଳିବାକୁ ଉତ୍ସାହିତ କରୁଥିଲେ। ସୁନ୍ଦରଗଡ଼ ଜିଲ୍ଲା ରଙ୍ଗିଆଡ଼ିପା ଗାଁ ବାସିନ୍ଦା ସ୍ଲାଭିଆନସ୍ ଚାହୁଁଥିଲେ ରାଜେନ୍ଦ୍ର ଗାଁର ଶ୍ରେଷ୍ଠ ହକି ଦଳରେ ସ୍ଥାନ ପାଆନ୍ତୁ। ରାଜେନ୍ଦ୍ର ବି ସଫଳ ହୋଇଥିଲେ। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ବେଳେ ହକି ପ୍ରଶିକ୍ଷକ ସିଲଭେଷ୍ଟର ଟପ୍ପୋଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଅନ୍ୟ ୧୨ ଜଣ ପିଲାଙ୍କ ସହ ରାଜେନ୍ଦ୍ରଙ୍କୁ ୬ ମାସ ପ୍ରଶିକ୍ଷଣ ଦେଇଥିଲେ। ସେଥିରୁ ରାଜେନ୍ଦ୍ରଙ୍କ ସହ ମାତ୍ର ଦୁଇ ଜଣଙ୍କୁ ପଞ୍ଜାବର ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ବାଛିଥିଲେ। ହେଲେ ରାଜେନ୍ଦ୍ରଙ୍କୁ ସୁଦୂର ପଞ୍ଜାବକୁ ପଠାଇବାକୁ ସ୍ଲାଭିଆନସ୍ ରାଜି ହୋଇନଥିଲେ। ସେଥିପାଇଁ ଏକ ବିରାଟ ସୁଯୋଗ ରାଜେନ୍ଦ୍ରଙ୍କ ହାତରୁ ଖସି ଯାଇଥିଲା। ଅବଶ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦଳରୁ ଖେଳିବାର ସୁଯୋଗ ମିଳିଥିଲା ତାଙ୍କୁ। ଏହା ପରେ କିନ୍ତୁ ରାଜେନ୍ଦ୍ର ଶିକ୍ଷକତାକୁ ପେସା କରିଥିଲେ।

ହକି ଜୀବନସାଥୀ, ଛାତ୍ର-ଛାତ୍ରୀ ପୁଅ ଝିଅ
୨୦୦୮ରେ ସହକାରୀ ଶିକ୍ଷକ ନିଯୁକ୍ତି ମିଳିବା ପରେ କିଛି ଆଦିବାସୀ ବାଳିକାଙ୍କୁ ହକି ଶିଖାଇବା ଆରମ୍ଭ କରିଥିଲେ। ମନରେ ପିଲାବେଳର ସ୍ବପ୍ନ ବି ପୁଣି ଥରେ ମନରେ ଉଙ୍କି ମାରିଥିଲା। ନିଜେ ନହେଲେ ବି ଏହି ଗରିବ ଆଦିବାସୀ ପିଲାଙ୍କୁ ହକି ଶିଖାଇ ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଣ କରିଥିଲେ। ପାଦ୍ରି ହେବା ପରେ ହକିକୁ ‌ନିଜ ଜୀବନସାଥୀ, ଛାତ୍ର ଛାତ୍ରୀଙ୍କୁ ପୁଅ ଝିଅ ମାନି ନେଇଥିଲେ ରାଜେନ୍ଦ୍ର। ଯାହାର ସୁଫଳ ଖୁବଶୀଘ୍ର ତାଙ୍କୁ ମିଳିଥିଲା। ମାତ୍ର ୫ ବର୍ଷ ଭିତରେ ତାଙ୍କର ଅନେକ ପିଲା ହକି ଏକ୍ସଲେନ୍ସି ସେଣ୍ଟରରେ ସ୍ଥାନ ପାଇଥିଲେ। ରାଜେନ୍ଦ୍ର ବଣଜଙ୍ଗଲ ଭରା ଓ ଆଦିବାସୀ ଅଧ୍ୟୁଷିତ ସମ୍ବଲପୁରର ଅମଲିଖମନ ଏମ୍‌ଇ ସ୍କୁଲର ୧୦ଜଣ ଛାତ୍ରୀଙ୍କୁ ନେଇ ହକି ପ୍ରଶିକ୍ଷଣ ଆରମ୍ଭ କରିଥିଲେ। କ୍ରମଶଃ ଆଖପାଖର ପିଲାମାନେ ହକି ଶିଖୁବାରେ ରୁଚିପ୍ରକାଶ କରିଥିଲେ। ଏବେ ରାଜେନ୍ଦ୍ର ପାଖାପାଖି ୪୦୦ ବାଳିକାଙ୍କୁ ହକି ପ୍ରଶିକ୍ଷଣ ଦେଉଛନ୍ତି କିମ୍ବା ଏଥିଲାଗି ବ୍ୟବସ୍ଥା କରିଛନ୍ତି। ସଂପ୍ରତି ଭୁବନେଶ୍ବରରେ ଥିବା ହକି ଏକ୍ସଲେନ୍ସ ସେଣ୍ଟରରେ ରାଜେନ୍ଦ୍ରଙ୍କ ଦୁଇ ଜଣ ଛାତ୍ରୀ ଅଭିନାସୀ ମୁକ୍ତି ସୋରେନ୍ ଓ ସାମିରା ଲାକ୍ରା ପ୍ରଶିକ୍ଷଣ ନେଉଛନ୍ତି। ଟାଟା ଏଚ୍‌ଟିସିରେ ମେରିକା କୁନ୍ଦଲିନା, ସାଇରେ ସ୍ଥାନ ପାଇଥିବା ଗାୟତ୍ରୀ କିଶାନ ବି ଅନ୍ତର୍ଜାତୀୟ ହକି ଖେଳିଛନ୍ତି।

ସଂପ୍ରତି ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ଅର୍ଜନ କରିବା ନେଇ ରାଜେନ୍ଦ୍ର ବେଶ୍ ଖୁସି ଅଛନ୍ତି। ସେହିଭଳି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ନିଶ୍ଚିତ ପଦକ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତା’ ପୂର୍ବରୁ ଏସୀୟ କ୍ରୀଡ଼ା ଓ ବିଶ୍ବକପ୍‌ରେ ଭାରତୀୟ ହକି ଦଳ କମାଲ କରିବ ବୋଲି ଆଶା ରଖିଛନ୍ତି। ରାଜେନ୍ଦ୍ର ସଂପ୍ରତି ସମ୍ବଲପୁରର ଅମଲିଖମନ ସ୍କୁଲରେ ପ୍ରଧାନଶିକ୍ଷକ ଥିଲା ବେଳେ କେବଳ ହକି ପ୍ରଶିକ୍ଷଣ ନୁହେଁ ହକି ଉପକରଣ ବାଣ୍ଟିବା, ପ୍ରତିଯୋଗିତା ଆୟୋଜନ କରିବା ଭଳି କାର୍ଯ୍ୟରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି। ଅମଲିଖମନରେ ହକି ଏକାଡେମି କରିବା ସହ ପେସାଦାର ପ୍ରଶିକ୍ଷକ ରଖି ହକି ବିକାଶ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଆର୍ଥିକ ସମସ୍ୟା ସହ କ୍ରୀଡ଼ା ପରିବେଶର ଅଭାବ ସତ୍ତ୍ବେ ହକିକୁ ଗାଁ ଗହଳିରେ ଆହୁରି ଲୋକପ୍ରିୟ କରାଇବାର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛନ୍ତି।

ପାଠ ସହ ହକିକୁ ଫେଣ୍ଟୁଛନ୍ତି ଫାଦର ରାଜେନ୍ଦ୍ର
ପାଠ ସହ ହକିର ଅପୂର୍ବ ମିଶ୍ରଣ କରିଛନ୍ତି ରାଜେନ୍ଦ୍ର। ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବାର ସହ କ୍ରୀଡ଼ାର ମହତ୍ବକୁ ବୁଝାଇ ଚାଲିଛନ୍ତି। ସ୍କୁଲସ୍ତରରେ ପାଠ ସହ ଖେଳକୁ ମଧ୍ୟ ଗୁରୁତ୍ବ ଦେବାକୁ ସରକାରଙ୍କୁ ଆହ୍ବାନ କରି ସେ କହିଛନ୍ତି ଯେ ଯେକୌଣସି ଖେଳକୁ ନେଇ ତିଆରି କରାଯାଉଥିବା ଚଳଚ୍ଚିତ୍ର ସଂପୃକ୍ତ ଖେଳର ଲୋକପ୍ରିୟତାକୁ ଯଥେଷ୍ଟ ବଢ଼ାଇଥାଏ। ତେବେ ଅଧିକରୁ ଅଧିକ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲାଗି ଆମକୁ ସ୍କୁଲ୍‌ସ୍ତରରୁ ଏ ଦିଗରେ ଧ୍ୟାନ ଦେବାକୁ ହେବ। ଆମ ରାଜ୍ୟ ହକିକୁ ଯଥେଷ୍ଟ ସମର୍ଥନ କରୁଛନ୍ତି। ମାଉଣ୍ଟେନ୍ ହକି ଚଳଚ୍ଚିତ୍ର ପାଇଁ ସୁନ୍ଦରଗଡ଼, ସମ୍ବଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ହକି କ୍ରେଜ୍ ବଢ଼ି ଯାଇଛି। ଏହି ଧାରା ଜାରି ରହିଲେ ଆମକୁ ଆହୁରି ଅଧିକରୁ ଅଧିକ ଖେଳାଳି ମିଳିବେ। ଆସନ୍ତା ଅଲିମ୍ପିକ୍ସ ପାଇଁ ବହୁ ଖେଳାଳି ସୃଷ୍ଟି ହୋଇପାରିବେ। ଅନୁପା ବାର୍ଲା, ଶିଳାନନ୍ଦ ଲାକ୍ରାଙ୍କ ଖେଳକୁ ପ୍ରଶଂସା କରିଥିଲେ ସେ। କ୍ଲଷ୍ଟରସ୍ତରୀୟ ହକି ବିକାଶ ଯୋଜନାକୁ ସେ ସମର୍ଥନ କରିଛନ୍ତି। ଖେଳରତ୍ନ ପୁରସ୍କାର ହକି ଯାଦୁଗର ହକି ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବାକୁ ସମର୍ଥନ କରିଛନ୍ତି ସେ। ବରଂ ବହୁ ଆଗରୁ ଏହା ହେବାର ଥିଲା ବୋଲି କହିଛନ୍ତି ସେ। ବିଶ୍ବସ୍ତରୀୟ ଭିତ୍ତିଭୂମି ସହ ବ୍ଲକ୍ ଓ ଗ୍ରାମ୍ୟ ସ୍ତରର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରୟାସ କରିବା ସହ ଏମ୍‌ଇ ସ୍କୁଲ୍‌ରେ ମଧ୍ୟ ଶା‌ରୀରିକ ଶିକ୍ଷକ ନିଯୁକ୍ତ କରିବାକୁ ଓଡ଼ିଶା ସରକାରଙ୍କୁ ଆହ୍ବାନ କରିଛନ୍ତି ରାଜେନ୍ଦ୍ର। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ହକି ବିଶ୍ବକପ୍ ଆୟୋଜନ ହେବା ନେଇ ବେଶ୍ ଉଲ୍ଲସିତ ଅଛନ୍ତି ସେ।

ସମ୍ବନ୍ଧିତ ଖବର