ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ମୁହୂର୍ତ: ହାଡ୍‌ଲି

ସାଉଥାମ୍ପଟନ୍‌: ନ୍ୟୁଜିଲାଣ୍ଡ୍‌ ଦଳ ଆଇସିସି ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ମୁକୁଟ ଜିତିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ଦେଶର କିଂବଦନ୍ତି ଖେଳାଳି ରିଚାର୍ଡ ହାଡଲି। ‘ଏହା ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ ଇତିହାସର ସବୁଠାରୁ ସ୍ବତନ୍ତ୍ର ଦିବସ, ଉତ୍ସବ ମନାଇବାର ବେଳ, ସର୍ବଶ୍ରେଷ୍ଠ ମୁହୂର୍ତ’ ବୋଲି କହିଛନ୍ତି ଏହି ବିଗତ ଦିନର ଦ୍ରୁତ ବୋଲର। ଗତ ୨ ବର୍ଷ ଧରି ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ ‘ଉଲ୍ଲେଖନୀୟ’ ପ୍ରଦର୍ଶନ କରି ଆସିଛି। ଭାରତ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ ଉତଥାନ ଓ ପତନ ଭିତରେ ଗତି କରିଥିଲା। ବ୍ଲାକ୍‌କ୍ୟାପ୍ ଦଳ କିନ୍ତୁ ପ୍ରାଧାନ୍ୟ ବିସ୍ତାର କରିଥିଲା। ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ର ଗଭୀରତା ବଢ଼ିଛି, ଫଳରେ ବିଶ୍ବ କ୍ରିକେଟରେ ଆମ ଦେଶ ସବୁଠୁ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି’ ବୋଲି ହାଡଲି କହିଥିଲେ। ଦୁଇ ବର୍ଷ ଧରି ଲାଗି ରହିଥିବା ଉତ୍କର୍ଷରୁ ଏହି ଫଳ ମିଳିଛି ବୋଲି ବିଶ୍ବର ପ୍ରଥମ ବୋଲର ଭାବେ ୪୦୦ ଟେଷ୍ଟ୍ ୱିକେଟ୍‌ ନେଇଥିବା ହାଡଲି ପ୍ରକାଶ କରିଥିଲେ। ଘରେ ଏବଂ ବାହାରେ ଟେଷ୍ଟ୍ ଶୃଙ୍ଖଳା ଜିତିବା ସହ ଏବେ ବିଶ୍ବ ବିଜେତା ହେବାର ହକ୍‌ଦାର ଥିଲୁ’ ବୋଲି ହାଡଲି କହିଥିଲେ। ବିଶ୍ବରେ ନ୍ୟୁଜିଲାଣ୍ଡ୍‌ କେବେ ଏକ ନମ୍ବର ହେବା ସ୍ବପ୍ନରେ ବି ମୁଁ ଭାବିନଥିଲି। ସମ୍ପୂର୍ଣ୍ଣ ଦଳରେ ପେସାଦାର ସ୍ତର ଉଚ୍ଚରେ ରହିଛି। ଦକ୍ଷତାରେ ପରସ୍ପରକୁ ସହଯୋଗ କରିବା ସହ ଗୋଟିଏ ଦଳ ଭାବେ‌ ଖେଳିଥିଲେ। ପରିଚାଳକ ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଉଚ୍ଚସ୍ତରୀୟ ପ୍ରଦର୍ଶନ ପାଇଁ ଭଲ ସହାୟତା କରିଥିଲେ ବୋଲି ହାଡଲି କହିଥିଲେ।

ସମ୍ବନ୍ଧିତ ଖବର