ପଦାର୍ପଣରେ ଗୁଜରାଟ ଟାଇଟନ୍ସ ଫାଇନାଲ୍‌ରେ

ବଟଲର୍‌ ବି‌ସ୍ଫୋରଣ ବେକାର

କୋଲ୍‌କାତା: ଆଇପିଏଲ୍‌ର ନବାଗତ ଦଳ ଗୁଜରାଟ ଟାଇଟନ୍ସ କେବଳ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହି ପ୍ଲେ ଅଫ୍‌ ଆସିନାହିଁ, ପଦାର୍ପଣ ଋତୁରେ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ମଙ୍ଗଳବାର ଅନାୟାସରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ପରାସ୍ତ କରି ଟ୍ରଫି ହାସଲଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। ଜୋସ ବଟଲର୍‌ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୮୮ ରନ୍‌) ବଳରେ ରାଜସ୍ଥାନ ରୟାଲ୍ସ ୧୮୮ ରନ୍‌ର ଲଢ଼ୁଆ ସ୍କୋର ଛିଡ଼ା କରିଥିଲା। କିନ୍ତୁ ଡେଭିଡ୍ ମିଲର୍ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମାତ୍ର ୧୦ ଓଭରରେ ୧୦୬ ରନ୍‌ ଯୋଡ଼ି ରାଜସ୍ଥାନ ହାତରୁ ସୁଯୋଗ ଛଡ଼ାଇ ନେଇଥିଲେ। ଶେଷ ଓଭରରୁ ୧୬ ରନ୍‌ ଆବଶ୍ୟକ ପଡ଼ିଥିଲେ ମଧ୍ୟ ପ୍ରସିଦ୍ଧ କୃଷ୍ଣଙ୍କ ପ୍ରଥମ ୩ ବଲ୍‌ରୁ ହ୍ୟାଟ୍ରିକ୍ ଛକା ମାରି ଡେଭିଡ୍ ମିଲର୍‌ (୬୮*, ୩୮ ବଲ୍‌, ୩‌ ଚୌକା, ୫ ଛକା) ୩ ବଲ୍ ପୂର୍ବରୁ ମ୍ୟାଚ୍‌ ଶେଷ କରି ଦେଇଥିଲେ। ଦାୟିତ୍ବପୂର୍ଣ୍ଣ ପାଳି ଖେଳି ହାର୍ଦିକ ୨୭ ବଲ୍‌ରୁ ୪୦ ରନ୍‌ରେ ଅପରାଜିତ ରହିଥିଲେ। ମିଲର୍‌ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମିଲର୍‌ ମଙ୍ଗଳବାର ପ୍ରଥମ ୧୪ ବଲ୍‌ରୁ ୧୦ ରନ୍‌ କରିଥିବା ବେଳେ ଶେଷ ୨୪ ବଲ୍‌ରୁ ୫୮ ରନ୍‌ ଯୋଡ଼ିଥିଲେ। ପରାଜୟ ସତ୍ତ୍ବେ ରାଜସ୍ଥାନ ରୟାଲ୍ସ ଫାଇନାଲ୍ ଖେଳିବା ଲାଗି ଦ୍ବିତୀୟ ସ‌ୁଯୋଗ ପାଇବ। ୨୭ ତାରିଖରେ ଖେଳାଯିବାକୁ ଥିବା କ୍ବାଲିଫାୟାର୍‌-୨ ଖେଳିବାକୁ ପଡ଼ିବ। ବୁଧବାର କୋଲକାତାରେ ଖେଳାଯିବାକୁ ଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ-ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମ୍ୟାଚ୍‌ର ବ‌ିଜେତା ଦଳ ସହ ରୟାଲ୍‌ସ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବ। ମଇ ୨୯ ତାରିଖରେ ଫାଇନାଲ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେହି ଦୃଷ୍ଟିରୁ ଘରୋଇ ମାଟିରେ ଫାଇନାଲ୍ ଖେଳିବାର ସୁଯୋଗ ପାଇଛି ଗୁଜରାଟ ଟାଇଟନ୍ସ।

ବଟଲର୍‌ ବି‌ସ୍ଫୋରଣ ବେକାର
ଜୋସ୍ ବଟଲର ଠିକଣା ସମୟରେ ଆଉ ଏକ ବିସ୍ଫୋରକ ପାଳି ଖେଳିବାରୁ ରାଜସ୍ଥାନ ରୟାଲ୍ସ ପୁଣି ବଳିୟାନ ହୋଇଥିଲା। ପ୍ରଥମ ସଂସ୍କରଣ ବିଜେତା ଏହି ଦଳ ଗୁଜରାଟ ଟାଇଟନ୍ସ ବିପକ୍ଷ କ୍ବାଲିଫାୟାର୍‌-୧ରେ ୧୮୮ ରନ୍‌ର ଲଢ଼ୁଆ ସ୍କୋର୍‌ କରିନେଇଥିଲା। ଯଶସ୍ବୀ ଜୟସ୍ବାଲ ସଅଳ ଆଉଟ୍ ହୋଇଯିବା ପରେ ବଟଲର୍‌ ଏବଂ ସଞ୍ଜୁ ସାମସନ୍‌ ଦ୍ବିତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଦୀଦାରି (୭.୫ ଓଭରରୁ ୬୮ ରନ୍‌) ଗଢ଼ିଥିଲେ। ବଟଲର୍‌ ପ୍ରଥମରୁ ମନ୍ଥର ପାଳି ଖେଳିଥିବା ବେଳେ ସାମସନ୍ ପ୍ରଥମ ବଲରୁ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ। ସ୍ପିନର୍‌ ସାଇ କିଶୋରଙ୍କୁ ଛକା ମାରି ଅର୍ଦ୍ଧଶତକ ପୂର୍ଣ୍ଣ ପ୍ରୟାସ କରୁଥିବା ସାମସନ୍‌ (୨୬ ବଲ୍‌ରୁ ୪୭ ରନ୍‌) ଆଉଟ୍ ହୋଇଯାଇଥିଲେ। ଏହା ପରେ କେବଳ ପଡ଼ିକଲ୍ (୨୦ ବଲରୁ ୨୮ ରନ୍) ଭଲ ଖେଳିଥିଲେ। ଶେଷ ଓଭରରେ ବଟଲର୍‌ (୫୬ ବଲ୍‌ରୁ ୮୯ ରନ୍‌) ଏବଂ ରିଆନ୍ ପରାଗ ରନ୍‌ ଆଉଟ୍ ହୋଇଥିଲେ। ରସିଦ୍ ଖାନ୍‌ (୪-୦-୧୫-୦) ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ ମଧ୍ୟ ଅନ୍ୟମାନେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ମହମ୍ମଦ ସାମି, ୟାଶ ଦୟାଲ, ସାଇ କିଶୋର ପ୍ରତ୍ୟେକ ସେମାନଙ୍କ ୪ ଓଭରରେ ୪୩ ରନ୍‌ରୁ ଉର୍ଧ୍ବ ବ୍ୟୟ କରିଥିଲେ। ଶେଷ ୪ ଓଭରରେ ରୟାଲ୍‌ସ ୬୦ ରନ୍‌ ଯୋଡ଼ିଥିଲା। ବଟଲରଙ୍କ ପାଳି କିନ୍ତୁ ଶେଷରେ ଯଥେଷ୍ଟ ନଥିଲା ବୋଲି ପ୍ରମାଣିତ ହୋଇଥିଲା।

ସମ୍ବନ୍ଧିତ ଖବର