ହ୍ୟାଣ୍ଡ୍‌ବଲ୍‌ ପୁଣି ହୁଗୁଳା, ରାଜ୍ୟ ସଂଘ ସଭାପତିଙ୍କ ଜିଲ୍ଲାକୁ ଅଣଦେଖା

ଭୁବନେଶ୍ବର: ରାଜ୍ୟରେ ଅଣ ଅଲିମ୍ପିକ୍ସ ତଥା ଅଣସ୍ବୀକୃତ ଖେଳର ସଂଖ୍ୟା କ୍ରମେ ବଢ଼ି ବଢ଼ି ଚାଲିଥିବାବେଳେ ଅଲିମ୍ପିକ୍ସରେ ସ୍ଥାନ ପାଉଥିବା ହ୍ୟାଣ୍ଡବଲ୍‌ ଖେଳର ଅବସ୍ଥା ଅତି ଦୟନୀୟ। ଏହି ଖେଳ ରାଜ୍ୟରେ ସଫଳତା ପାଇଁ ନୁହେଁ ବିବାଦ, ବିରୋଧାଭାଷ, ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ମନମୁଖୀ କାରବାର, ସାର୍ଟିଫିକେଟ୍‌ ବିକ୍ରୀ ଓ ଅଭିସନ୍ଧିମୂଳକ କାରବାର ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରୋ ରହି ଆସିଛି। ଓଡ଼ିଶାରେ ଏହି ଖେଳର ପ୍ରଚାର ଓ ପ୍ରସାର କ୍ରମେ ନିମ୍ନମୁଖୀ ହେବାରେ ଲାଗିଛି ଏବଂ ଲୋକପ୍ରିୟତା ହରାଇ ଚାଲିଛି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି‌ ସ୍ଥାଣୁତ୍ବ ପାଇଁ ନିଜେ ରାଜ୍ୟ ସଂଘ (ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘ) ଦାୟୀ ରହୁଛି। ଏକାଧିକ ଅଭିଯୋଗ ଓ କାଦୁଅ ଫୋପଡ଼ା‌ ଫୋପଡ଼ି ପରେ ୨୦୧୮ ମସିହାରେ ନୂଆ କର୍ମକର୍ତା ନିର୍ବାଚିତ ହୋଇ ଦେଖାଇଥିବା ସମ୍ଭାବନା ବି ଚୁଲିକି ଚାଲିଯାଇଛି। ରାଜ୍ୟ ହ୍ୟାଣ୍ଡବଲ୍ ଉପରେ ନଜର ପକାଇଲେ ଏହାକୁ ସଂ‌କ୍ଷେପ୍ତରେ ‘ଯଥା ପୂର୍ବଂ ତଥା ପରଂ’ କହିହେବ।

କୋଭିଡ୍‌ ପରିସ୍ଥିତିକୁ ବାଦ୍‌ ଦେଲେ ଏହାର ପୂର୍ବ ଓ ପରବର୍ତୀ ପରିସ୍ଥିତିରେ ବି କିଛି ଫରକ ଦେଖିବାକୁ ମିଳିନାହିଁ। ଏବେ ବି ପ୍ରତି ବର୍ଗରେ ରାଜ୍ୟ ପ୍ରତିଯୋଗିତା ହେଉ ନାହିଁ କିମ୍ବା ପ୍ରତିଯୋଗିତା ହେଲେ ଜାତୀୟ ପ୍ରତିଯୋଗିତା ଲାଗି ଦଳ ଯାଉନାହିଁ। ଯେଉଁ କିଛି ବର୍ଗ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଅଂଶଗ୍ରହଣ କରୁଛି‌ ସେଠି ଲଜ୍ଜାଜନକ ପରାଜୟ ସହ ଫେରୁଛନ୍ତି ଖେଳାଳି। ପରିସ୍ଥିତି ଏଭଳି ବି ହେଲାଣି ଯେ ଜାତୀୟ ଦଳ ପାଇଁ ଯୋଗ୍ୟ ଖେଳାଳି ମିଳୁନାହାନ୍ତି, କେତେବେଳେ ମ୍ୟାନେଜର ତାଙ୍କ ପତ୍ନୀଙ୍କ ନାମକୁ ଖେଳାଳି ତାଲିକାରେ ସାମିଲ କରୁଛନ୍ତି ତ ଆଉ କେତେବେଳେ ଫୁଟ୍‌ବଲ୍‌ ଓ କବାଡ଼ି ଖେଳାଳିଙ୍କୁ ଡାକି ନେଇ ଜାତୀୟ ପ୍ରତିଯୋଗିତା ଯାଉଛି ଦଳ। ସେଥିରେ ପୁଣି ଜିଲ୍ଲା କୋଟା, କର୍ମକର୍ତାଙ୍କ କୋଟା, ଅଗ୍ରୀମ ଟଙ୍କା ‌ଦେଉଥିବା ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଯାଉଛି। ଜଣେ ଖେଳାଳି ନାମରେ ଆଉ ଜଣେ ଜାତୀୟ ପ୍ରତିଯୋଗିତା ଯିବା ଭଳି ନିନ୍ଦନୀୟ ଘଟଣା ଏବଂ ଓଡ଼ିଶା ଦଳରେ ଅନ୍ୟ ରାଜ୍ୟ ଖେଳାଳି ପ୍ରତିନିଧିତ୍ବ ଭଳି ଉଦାହରଣ ରହିଛି। ହ୍ୟାଣ୍ଡବଲ୍‌ରୁ ଏଭଳି ହୁଗୁଳା ଫର୍ଦକୁ ଲେଖିଲେ ସମ୍ଭବତଃ କାହାଣୀ ଶେଷ ହେବ ନାହିଁ। ବିଶ୍ବର ଏହି ଦ୍ବିତୀୟ ଦ୍ରୁତତମ ଅଲିମ୍ପିକ୍ସ କ୍ରୀଡ଼ାର ଦୟନୀୟ ସ୍ଥିତି ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ରାଜ୍ୟର କିଛି ହ୍ୟାଣ୍ଡବଲ୍‌ ପ୍ରଶାସକଙ୍କ ମତ ନିଆଯାଇଥିଲା।

ଅଧିକ ଖରାପ ହୋଇଛି: ରମେଶ ପୃଷ୍ଟି
ପୂର୍ବତନ ରାଜ୍ୟ ସମ୍ପାଦକ
ପୂର୍ବ ତୁଳନାରେ ଓଡ଼ିଶାରେ ହ୍ୟାଣ୍ଡବଲ୍‌ର ସ୍ଥିତି ଅଧିକ ଖରାପ ହୋଇଛି। ରାଜ୍ୟ ସଂଘ ଏବେ ମୌଖିକ ଡାକରାରେ ଚାଲିଛି, ଚିଠି ଦିଆଯାଉନି। ଟ୍ରାଏଲ୍ ମାଧ୍ୟରେ ଦଳ ଚୟନ ହେଉଛି, ସେଥିରେ ପୁଣି ସମସ୍ତଙ୍କ ପାଇଁ ଏହା ଉନ୍ମୁକ୍ତ ନୁହେଁ। ଏହି ଖେଳକୁ ନେଇ ଓଡ଼ିଶା କ୍ରୀଡ଼ା ପ୍ରଶାସନର ପ୍ରମୁଖ ବ୍ୟକ୍ତି ଆଶୀର୍ବାଦ ବେହେରା ଏତେ ଅତିଷ୍ଠ ଯେ ‘କିଂ କର୍ତ୍ତବ୍ୟ ବିମୁଢ଼’ ହୋଇ ହାତ ଟେକି ଦେଉଛନ୍ତି। ଯଦି କେଉଁ ଜିଲ୍ଲା ସଂଘ ଅଭିଯୋଗ କରୁଛି ତେବେ ସମ୍ପୃକ୍ତ ଜିଲ୍ଲାକୁ ନିଲମ୍ବିତ କିମ୍ବା ଏଡ଼ାଇଦିଆଯାଉଛି। ରାଜ୍ୟ ସମ୍ପାଦକଙ୍କ ବ୍ୟକ୍ତିଗତ ରାଗ ଚରମ ସୀମାରେ ପହଞ୍ଚିଛି। ସେ କାହାଦ୍ବାରା ପ୍ରଭାବିତ ହେବା ଭଳି କାମ କରୁଛନ୍ତି। ଫୁଟ୍‌ବଲ୍‌ରୁ ଆସିଥିବାରୁ ସେ ହ୍ୟାଣ୍ଡବଲ୍‌ ପ୍ରତି ଆନ୍ତରିକତା ରଖୁନାହାନ୍ତି।

କେବଳ ରାଜନୀତି: ସୀତେନ୍ଦ୍ରନାଥ ଦାସ
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଓଡ଼ିଶାରେ ହ୍ୟାଣ୍ଡବଲ୍‌ର ସ୍ଥିତି ସମ୍ପର୍କରେ କିଛି ନ କହିଲେ ଭଲ। ରାଜ୍ୟ ହେଉ କି ଜିଲ୍ଲା ସ୍ତରରେ କେବଳ ରାଜନୀତି ଓ ବ୍ୟକ୍ତିଗତ ସ୍ବାର୍ଥରେ ସଭିଏ ବୁଡି ରହୁଛନ୍ତି। ରାଜ୍ୟ ପ୍ରତିଯୋଗିତା ହୋଇପାରୁନାହିଁ, ଆଜିଯାଏ ପ୍ୟାଡ୍‌ ଛାପିପାରିଲେନି, ମୁଁ ଅଭିଯୋଗ କରିଥିବାରୁ ଦୁଇ ଦୁଇ ଥର କାର୍ଯ୍ୟନିର୍ବାହୀ ବୈଠକକୁ ଡକାଯାଉନାହିଁ। ସବୁ ଚୋର ସେଇଠି ଏକାଠି ହୋଇଛନ୍ତି। ସମ୍ପାଦକଙ୍କ ପୁଅ ବି ରାଜ୍ୟ ଦଳରୁ ଖେଳି ପାରୁଛି, ମ୍ୟାନେଜରଙ୍କ ପତ୍ନୀ ବି ରାଜ୍ୟ ଦଳ‌ରେ ସ୍ଥାନ ପାଉଛି। ସମ୍ପାଦକଙ୍କ ଭାଷା ଓ ଆଚାର ବ୍ୟବହାର ସୀମା ଟପିଗଲାଣି। ରାଜ୍ୟ ହ୍ୟାଣ୍ଡବଲ୍‌ ହବ୍‌ ଭାବେ ପରିଚିତ ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଏବେ ଖେଳ ହେଉନି। ରାଜ୍ୟ ସଂଘ ଏବଂ ଜିଲ୍ଲା ସଂଘ ମଧ୍ୟରେ ବ୍ୟବଧାନ ବଢ଼ୁଥିବାରୁ ଖେଳ ତଳିତଳାନ୍ତ ହେବାରେ ଲାଗିଛି।

ମନଈଚ୍ଛା ଦଳ ଚୟନ: ଋତିକ ଅଧିକାରୀ
କେନ୍ଦୁଝର ଜିଲ୍ଲା ସଂଘ ସମ୍ପାଦକ
ଏକଦା ଚୟନ ସମିତି ଅଧ୍ୟକ୍ଷ ଥିବା ଋତିକ ଅଧିକାରୀ ନିଜେ ଅଭିଯୋଗ କରିଛନ୍ତି ଏବେ ଓଡ଼ିଶା ଦଳ ଚୟନ ଲାଗି କିଛି ମାପକାଠି ନାହିଁ। ସବୁକିଛି ମନମୁଖି ହେଉଛି। ରାଜ୍ୟ ପ୍ରତିଯୋଗିତା ହେଉନଥିବାରୁ ଏହା ପାତରଅନ୍ତର ପାଇଁ ସୁହାଉଛି। ଛତିଆରେ ରାଜ୍ୟ ମହିଳା ପ୍ରତିଯୋଗିତାରେ ମାତ୍ର ୪/୫ ଜିଲ୍ଲା ଭାଗନେ‌ଲେ। କିନ୍ତୁ କୋଭିଡ୍‌ ଆଳରେ ଜାତୀୟ ପ୍ରତିଯୋଗିତାକୁ ଦଳ ପଠାଗଲା ନାହିଁ। ଖେଳର କିଛି ଉନ୍ନତି ହେଉନଥିବାରୁ ଦୁଃଖ ଲାଗୁଛି। କେନ୍ଦୁଝରରେ କିନ୍ତୁ ୩/୪ ମାସ ଭିତରେ ଆମେ ରାଜ୍ୟର ପ୍ରଥମ ସି‌ନ୍ଥେଟିକ୍‌ ହ୍ୟାଣ୍ଡବଲ୍‌ ଗ୍ରାଉଣ୍ଡ୍‌ ପ୍ରତିଷ୍ଠା କରିବାକୁ ଯାଉଛି।

ଖେଳ ଖେଚଡ଼ି ହୋଇଯାଇଛି: ମକବୁଲ୍ ଅଲୀ
ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘ ସଭାପତି
ରାଜ୍ୟ ହ୍ୟାଣ୍ଡବଲ୍‌ ଖେଳରେ ଏକେ ଖେଚଡି ହୋଇଯାଇଛି ବୋଲି ରାଜ୍ୟ ସଂଘ ସଭାପତି ମକବୁଲ୍ ଅଲୀ ନିଜେ ସ୍ବୀକାର କରିଛନ୍ତି। କିଛି ପ୍ରଭାବୀ ବ୍ୟକ୍ତିଙ୍କ ପାଇଁ କିଛି କରିପାରୁନୁ‌ ବୋଲି ମଧ୍ୟ ଅସହାୟତା ପ୍ରକାଶ କରିଥିଲେ ଏହି ପୂର୍ବତନ ହ୍ୟାଣ୍ଡବଲ୍ ଖେଳାଳି। ଏବେ ବି ଆମେ ରାଜ୍ୟର ୫୦ ପ୍ରତିଶତ ଜିଲ୍ଲାକୁ ଅନୁବଂଧିତ କରିପାରିନାହୁଁ, ଯାହାକି ଏକ ବଡ଼ ଦୁର୍ବଳତା ବୋଲି ସେ ସ୍ବୀକାର କରିଥିଲେ। ମାତ୍ର ୮/୯ ଜିଲ୍ଲା ଅନୁବଂଧିତ ଥିବାରୁ ସ୍ବଚ୍ଛତା ବଜାୟ ରଖି ହେଉନାହିଁ। କିଛି ଜିଲ୍ଲା ଖୁବ୍ ଶୀଘ୍ର ଅନୁବଂଧିତ ହେବାକୁ ଯାଉଛି। କିନ୍ତୁ ନିଜ ଜିଲ୍ଲା ଭୁବନେଶ୍ବରକୁ (ଭୁବନେଶ୍ବର ହ୍ୟାଣ୍ଡବଲ୍‌ ସଂଘ) ରାଜ୍ୟ ପ୍ରତିଯୋଗିତା କି ଚୟନରୁ ଦୂରେଇ ରଖାଯିବା ସମ୍ପର୍କରେ କିଛି ଠୋସ୍‌ ଉତ୍ତର ରଖି ପାରିଥିଲେ।

ହାଇକୋର୍ଟ ଆମ ହାତ ବାନ୍ଧିଛି: ବୀରେନ ବେହେରା
ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘ ସମ୍ପାଦକ
ଏହି ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ଓଡ଼ିଶା ହ୍ୟାଣ୍ଡବଲ୍ ସଂଘ ସମ୍ପାଦକ ବୀରେନ ବେହେରାଙ୍କ ସହ ଯୋଗାଯୋଗ କରିବା ପରେ ସେ ପ୍ରଥମେ ସମୟ ନାହିଁ ବୋଲି କହି ଏଡ଼ାଇଯିବାକୁ‌ ଚେଷ୍ଟା କରିଥିଲେ। ଦଳ ଚୟନ ପାଇଁ ସମିତି ଥିବା ଏବଂ ପୂର୍ବାପେକ୍ଷା ହ୍ୟାଣ୍ଡବଲ୍‌ ଭଲ ସ୍ଥିତିରେ ପହଞ୍ଚିଥିବା ଦାବି କରିଥିଲେ। ଆଗରୁ ବହୁ ଡୁପ୍ଲିକେଟ୍‌ ହେଉଥିଲା। ଏବେ ମୁଁ ସବୁ ସଜାଡ଼ିଛି। ତିନି ପୂର୍ବ ସମ୍ପାଦକ ଦୁଃଶାସନ ଦେଓ, ରମେଶ ପୃଷ୍ଟି ଓ ବଳରାମ ମହାନ୍ତି କେହି କାଗଜପତ୍ର ଠିକ୍ ରଖିନଥିଲେ। ମୋତେ ଦାୟିତ୍ବ ମଧ୍ୟ ହସ୍ତାନ୍ତର ହୋଇନାହିଁ। ନିର୍ବାଚନ ପରଠାରୁ ହାଇକୋର୍ଟରେ ଅନୁଗୁଳ ସଂଘ ଦ୍ବାରସ୍ଥ ହୋଇଥିବାରୁ ଆମ ହାତ ବାନ୍ଧି ହୋଇଯାଇଛି ଓ ଏଥିପାଇଁ ଆଗେଇ ପାରୁନାହୁଁ ବୋଲି ପ୍ରକାଶ କରିଥିଲେ ଏହି ପୂର୍ବତନ ଫୁଟ୍‌ବଲ, ହ୍ୟାଣ୍ଡବଲ୍‌ ଓ ହାଇଜମ୍ପର୍‌। ଓଡ଼ିଶା ହ୍ୟାଣ୍ଡବଲ୍‌ର ଶ୍ରେଷ୍ଠ ଜାତୀୟ ପ୍ରଦର୍ଶନ ସମ୍ପର୍କରେ କିଛି ସୂଚନା ଦେଇପାରିନଥିଲେ। ଅନୁବଂଧିତ ଭୁବନେଶ୍ବର ହ୍ୟାଣ୍ଡ୍‌ବଲ୍‌ ସଂଘ (ବିଏଚ୍‌ଏ)କୁ ରାଜ୍ୟ ପ୍ରତିଯୋଗିତାରୁ ଦୂରେଇ ରଖାଯିବା ସମ୍ପର୍କରେ ସେ ସଭାପତିଙ୍କ ଜିଲ୍ଲା ସଂଘ ହୋଇଥିବାରୁ ତାଙ୍କୁ ପ୍ରଶ୍ନ କରିବାକୁ କହି ଏଡ଼ାଇଯାଇଥିଲେ।

ରାଜ୍ୟ ସଂଘ ସଭାପତିଙ୍କ ଜିଲ୍ଲାକୁ ଅଣଦେଖା
ଆଉ ଏକ ବଡ଼ ଆଶ୍ଚର୍ଯ୍ୟ ଓ ବିଡ଼ମ୍ବନାର ବିଷୟ ହେଉଛି ଓଡ଼ିଶା ହ୍ୟାଣ୍ଡବଲ୍ ସଂଘ (ଓଏଚ୍ଏ)ର ସଭାପତି ମକବୁଲ ଅଲୀଙ୍କ ନିଜ ଜିଲ୍ଲା ସଂଘ (ଭୁବନେଶ୍ବର ହ୍ୟାଣ୍ଡବଲ୍‌ ସଂଘ)କୁ ଏବେ ଏକ ପ୍ରକାର ନିଲମ୍ବିତ ରଖାଯାଇଛି। ଫଳରେ ହ୍ୟାଣ୍ଡବଲ୍‌ର ଅନ୍ୟତମ ପ୍ରାଣକେନ୍ଦ୍ର ଭୁବନେଶ୍ବରର ଖେଳାଳି ରାଜ୍ୟ କିମ୍ବା ଜାତୀୟ ପ୍ରତିଯୋଗିତାରେ ଖେଳିବାରୁ ବଞ୍ଚିତ ରହୁଛନ୍ତି। ଯେଉଁ ସଂଘରୁ ପ୍ରତିନିଧିତ୍ବ କରି ମକବୁଲ୍ ଅଲୀ ରାଜ୍ୟ ସଭାପତି ହୋଇଛନ୍ତି ତାହାର କିଛି ଅସ୍ଥିତ୍ବ ନଥିବା ଅବସ୍ଥାକୁ ବୁଝି ହେଉନାହିଁ। ୧୯୮୫ ମସିହାରୁ ଭୁବନେଶ୍ବର ହ୍ୟାଣ୍ଡବଲ୍‌ ସଂଘ ଗଠିତ ହୋଇଛି କିନ୍ତୁ କ୍ରୀଡ଼ା ରାଜଧାନୀ ହେବାକୁ ଦାବିଦାର ସହରର ଖେଳାଳି ବିଶ୍ବର ଏହି ଅନ୍ୟତମ ଆକର୍ଷଣୀୟ ଅଲିମ୍ପିକ୍ସ ଖେଳରେ ସାମିଲ ହେବାରୁ ବଞ୍ଚିତ ରହୁଛନ୍ତି। ଏହା ଏକ ପ୍ରହସନ ପାଲଟିଛି ବୋଲି କୁହନ୍ତି ପୂର୍ବତନ ଖେଳାଳି ତଥା ଭୁବନେଶ୍ବର ହ୍ୟାଣ୍ଡବଲ୍ ସଂଘର ପୂର୍ବତନ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ।

ସମ୍ବନ୍ଧିତ ଖବର