ଅଭୁଲା ସ୍ମୃତି ନେଇ ଓଡ଼ିଶା ଛାଡ଼ିଲେ ହକି ହିରୋ

ଭୁବନେଶ୍ବର: ସ୍ମରଣୀୟ, ସୁଖଦ ଓ ଭବ୍ୟ ସମ୍ବର୍ଦ୍ଧନା ସହ ଓଡ଼ିଶାବାସୀଙ୍କ ଅଜସ୍ର ଭଲ ପାଇବା, ସ୍ନେହ ତଥା ସମ୍ମାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆଉ ୧୦ ବର୍ଷ ପୃଷ୍ଠପୋଷକତାର ପ୍ରତିଶ୍ରୁତିକୁ ସାଙ୍ଗରେ ନେଇ ବୁଧବାର ସକାଳେ ଭୁବନେଶ୍ବର ଛାଡ଼ିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିମାନେ। ମଙ୍ଗଳବାର ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ରାତ୍ର ଭୋଜନ କରିଥିବା ଏହି ହକି ତାରକାମାନେ ହୋଟେଲ ସାଣ୍ଡିଜ୍ ଟାୱାରରେ ରାତ୍ର ଯାପନ କରିଥ‌ିଲେ। ସକାଳୁ ଜଳଖିଆ ଖାଇ ଦୁଇଟି ବିଳାଶପୂର୍ଣ୍ଣ ବସ୍‌ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ବାହାରି ଯାଇଥିଲେ। ସେମାନଙ୍କ ସହ ଉତ୍ସବରେ ଯୋଗଦେବାକୁ ଆସିଥିବା ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର ଅଧିକାରୀମାନେ ମଧ୍ୟ ବିମାନ ବନ୍ଦରରେ ପୃଥକ ପୃଥକ ଭାବେ ପହଞ୍ଚିଥିଲେ। ପୂର୍ବାହ୍ନ ୧୦ଟାରେ ଖେଳାଳିମାନେ ଭୁବନେଶ୍ବର ଛାଡ଼ିଥିଲେ।ମଙ୍ଗଳବାର ଭୁବନେଶ୍ବର ପହଞ୍ଚିଲା ପରେ କମିସନରେଟ୍ ପୁଲିସ୍‌ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହୋଟେଲରେ ପହଞ୍ଚାଇଥିଲା। ଠିକ୍ ସେହିଭଳି ବୁଧବାର ଖେଳାଳିମାନେ ଯେତେବେଳେ ରାଜଧାନୀ ଛାଡ଼ିଥିଲେ ସେମାନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବି କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ୪୧ ବର୍ଷ ପରେ କାଂସ୍ୟ ପଦକ ଜିତିଥିଲା। ସେହିଭଳି ମହିଳା ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଖେଳିଥିଲା। ସେଥିପାଇଁ ଉଭୟ ଦଳର ଖେଳାଳିଙ୍କୁ ଭୁବନେଶ୍ବର ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ଲାଗି ଲୋକସେବା ଭବନରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ଦଳର ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଥିଲା। ସେହିଭଳି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୩ଟି ସ୍ବତନ୍ତ୍ର ପୁରସ୍କାର ବାବଦରେ କିଛି ଖେଳାଳିଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା।

ଭାରତୀୟ ହକିର ବିକାଶ ଲାଗି ଦେଇଥିବା ଅତୁଳନୀୟ ଅବଦାନ ଲାଗି ଏହି ଅବସରରେ ହକି ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଅଲିମ୍ପିକ୍ସ ପଦକ ଦେଶ ପାଇଁ ନବୀନଙ୍କ ଉପହାର ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂହ କହିଥିଲେ। ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ଓ ଅନ୍ତର୍ଜାତୀୟ ହକି ମହାସଂଘ ତଥା ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହିଁ ଭାରତୀୟ ହକି ଆଜି ସଫଳତାର ନୂଆ ସ୍ତର ଛୁଇଁଲା ବୋଲି କହିଥିଲେ।

ସମ୍ବନ୍ଧିତ ଖବର