ହକି କିଂବଦନ୍ତି ବଲବୀର ସିଂହ ଜୁନିଅରଙ୍କ ପରଲୋକ

ଚଣ୍ଡିଗଡ: ୧୯୫୮ ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ଦେଶର ଅନ୍ୟତମ ହକି କିଂବଦନ୍ତି ବଲବୀର ସିଂହ ଜୁନିଅରଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ଝିଅ ମନଦୀପ ଶର୍ମା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ‘‘ରବିବାର ସକାଳେ ‌ଶୋଇବା ଅବସ୍ଥାରେ ହୃଦ୍‌ଘାତରେ ମୋ ପିତାଙ୍କ ପରଲୋକ ହୋଇଯାଇଛି’’ ବୋଲି ସେ ଲେଖିଥିଲେ। ଏହି ଖବର ପଦାକୁ ଆସିବା ପରେ ହକି ଇଣ୍ଡିଆ ଏବଂ ଭାରତୀୟ ହକିର ବହୁ ଜଣାଶୁଣା ନାଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବଲବୀର ସିଂହ ଜୁନିଅରଙ୍କ ପୁଅ ସଂପ୍ରତି କାନାଡାରେ ରହୁଛନ୍ତି। କୋଭିଡ୍-୧୯ କଟକଣା ପାଇଁ ପିତାଙ୍କ ଶୁଦ୍ଧିକ୍ରିୟାରେ ସେ ଯୋଗ ଦେଇପାରିନଥିଲେ। ୧୯୩୨ ମସିହା ମେ ୨ ତାରିଖରେ ଜଳନ୍ଧରର ସଂସାରପୁରଠାରେ ଜନ୍ମଗ୍ରହଣ କରିଥିବା ଏହି ମହାନ ହକି ଖେଳାଳି ଭାରତୀୟ ହକିର ଅନ୍ୟତମ ଆଦ୍ୟଗୁରୁ ଭାବେ ପରିଚିତ ଥିଲେ। ବଲବୀର ସିଂହ ସିନିଅର, ଲେସ୍‌ଲି କ୍ଲାଉଡିଅସ୍, ପ୍ରୀତିପାଲ ସିଂହ, ବାଲକୃଷ୍ଣନ୍, ଚାର୍ଲସ ଷ୍ଟିଫେନ୍ସଙ୍କ ଭଳି ମହାନ ଖେଳାଳିଙ୍କ ସହ ଖେଳିବାର ସୌଭାଗ୍ୟ ସେ ପାଇଥିଲେ। ବଲବୀର ସିଂହ ଜୁନିଅର ମାତ୍ର ୬ ବର୍ଷ ବୟସରେ ହକି ଖେଳିବା ଆରମ୍ଭ କରିଥିଲେ। ଜଳନ୍ଧରର ଖାଲସା କଲେଜ୍‌ରୁ ପାଠପଢ଼ା ଶେଷ କରିଥିବା ବଲବୀର ସିଂହ ଜୁନିଅର ୧୯୫୧ ମସିହାରେ ଆଫଗାନିସ୍ତାନ ଗସ୍ତରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ସ୍ପେନ୍, ସ୍ବିଜରଲାଣ୍ଡ ଓ ଇଟାଲିରେ ହକି ଖେଳିଥିଲେ। ୧୯୬୨ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିବା ଏହି ମହାନ କ୍ରୀଡ଼ା ତାରକା ଅବସର ପରେ ସୌଖିନ ଭାବେ ଗଲ୍ଫ ଖେଳିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର