ଭୁବନେଶ୍ବର: ଆସନ୍ତାବର୍ଷ ଓଡ଼ିଶାରେ ଅନୁଷ୍ଠିତ ହେବ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବକପ୍। ଏଥିରେ ସମୁଦାୟ ୧୬ଟି ଦେଶ ଅଂଶଗ୍ରହଣ କରୁଥିବା ବେଳେ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ। ତେବେ ଜରୁରୀ ପରିସ୍ଥିତିରେ ଖେଳାଳିମାନଙ୍କ ଚିକିତ୍ସା ପାଇଁ ଅନୁବନ୍ଧିତ ହୋଇଛି ଆପୋଲୋ ହସ୍ପିଟାଲ୍ ଓ ଆଇଜିଏଚ୍। କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲାର ନିର୍ଦେଶକ ଆପୋଲୋ ହସ୍ପିଟାଲ ସହିତ ସମନ୍ବୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Advertisment

ହକି ବିଶ୍ବକପ୍ ନେଇ ନିକଟରେ ସ୍ବାସ୍ଥ୍ୟ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଖେଳାଳିମାନଙ୍କ ସ୍ବାସ୍ଥ୍ୟ ସମନ୍ଧୀୟ ନୋଡାଲ ଅଧିକାରୀଭାବେ ଡିଏମ୍‌ଇଟିଙ୍କୁ ଦାୟିତ୍ବ ଦିଆଯାଇଛି। ଆପୋଲୋ ହସ୍ପିଟାଲ, ଆଇଜିଏଚ୍‌ ରାଉରକେଲା ସମେତ ବିଏମ୍‌ସି ଓ ଆରଏମ୍‌ସି ସହିତ ସମନ୍ବୟ ରକ୍ଷା କରି ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିବେ। ଦର୍ଶକଙ୍କ କୌଣସି ପ୍ରକାର ସମସ୍ୟା ପାଇଁ କ୍ୟାପିଟାଲ ହସ୍ପିଟାଲ/ଆରଜିଏଚ୍‌ର ନିର୍ଦେଶକ କାଜୁଆଲ୍‌ଟି, ଓପିଡି, ଡାଏଗ୍ନୋଷ୍ଟିକ୍ ପରୀକ୍ଷା, ଶଯ୍ୟା, ଔଷଧ ଓ ମାନବ ସମ୍ବଳ ପ୍ରସ୍ତୁତ ରହିବେ। ଏହାସହ ସୁନ୍ଦରଗଡ଼ ସିଡିଏମ୍‌ଓ ମଧ୍ୟ ସମାନଭାବେ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି।

ସେହିପରି ରାଜ୍ୟ ଜନସ୍ବାସ୍ଥ୍ୟ ‌ନିର୍ଦେଶକଙ୍କୁ କୋଭିଡ ଟେଷ୍ଟିଂର ନୋଡାଲ ଅଧିକାରୀ ଘୋଷଣା କରାଯାଇଛି। ଖେଳ ସମୟରେ କେତେ ସଂଖ୍ୟକ ଆରଟି-ପିସିଆର ଓ ଆଣ୍ଟିଜେନ୍ ପରୀକ୍ଷା କରାଯିବ ତାହା ସଂପର୍କରେ କ୍ରୀଡ଼ା ବିଭାଗ ସୂଚନା ଦେବ। ଏହାସହ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଦର୍ଶକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନୋଡାଲ ଅଧିକାରୀ ରହିଛନ୍ତି। ଭୁବନେଶ୍ବର ଓ ରାଉରକେଲାରେ ବିଏମ୍‌ସି, ଆରଏମ୍‌ସି ଓ କ୍ରୀଡ଼ା ବିଭାଗ ସମନ୍ବୟରେ ଦର୍ଶକଙ୍କ ପାଇଁ ଫାଷ୍ଟଏଡ୍‌ ସହିତ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିବ। ଏହାସହ କେତେ ସଂଖ୍ୟକ ଡାକ୍ତରଙ୍କ ଆବଶ୍ୟକତା ରହିଛି ତାହା ସଂପର୍କରେ କ୍ରୀଡ଼ା ବିଭାଗ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା ସହିତ ମ୍ୟାଚ୍ ହେବାକୁ ଥିବା ଦୁଇ ସ୍ଥାନରେ ସିଏଚ୍‌ସି ଓ ପିଏଚ୍‌ସିକୁ ସୁଦୃଢ଼ କରିବାକୁ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ଏହାସହ ହକି ବିଶ୍ବକପ୍ ସମୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ଖାଦ୍ୟ ନିରାପତ୍ତା ପକ୍ଷରୁ ଏ ସଂପର୍କିତ ଏକ ଏସ୍‌ଓପି ଜାରି କରାଯିବ। ସ୍ବଚ୍ଛତା ସହିତ ଷ୍ଟାଡିୟମ୍‌ରେ ଖେଳାଳିଙ୍କ ଖାଦ୍ୟ ପ୍ରସ୍ତୁତି ସଂପର୍କରେ କ୍ରୀଡ଼ା ବିଭାଗ ଖାଦ୍ୟ ନିରାପତ୍ତାକୁ ସମସ୍ତ ସୂଚନା ପ୍ରଦାନ କରିବେ। ଏହାସହ ଉଭୟ ସ୍ବାସ୍ଥ୍ୟ ଓ କ୍ରୀଡ଼ା ବିଭାଗର ନିର୍ଦେଶକଙ୍କୁ ନେଇ ଏକ ହ୍ବାଟ୍‌ସଆପ ଗ୍ରୁପ୍ କରିବା ଲାଗି ମଧ୍ୟ ନିଷ୍ପତ୍ତି ‌ନିଆଯାଇଛି।