ଭାରତର ବିଶ୍ବକପ୍‌ ଆଶା ବଢ଼ାଇବ ‘ଦ ହଣ୍ଡ୍ରେଡ୍‌’

ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳାଯିବାକୁ ଥିବା ‘ଦ ହଣ୍ଡ୍ରେଡ୍‌’ ପ୍ରତିଯୋଗିତାରେ ଭାରତର ବହୁ ଶୀର୍ଷସ୍ଥାନୀୟ ମହିଳା ଖେଳାଳି ଭାଗନେବାକୁ ଯାଉଥିବାରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଖୁସି ହୋଇଛି। ଖେଳାଳିମାନେ ସେଠାରୁ ଅର୍ଜନ କରିଥିବା ଅଭିଜ୍ଞତା ବଳରେ ଆସନ୍ତାବର୍ଷ ନ୍ୟୁଜିଲାଣ୍ଡ୍‌ରେ ଖେଳାଯିବାକୁ ଥିବା ମହିଳା ୫୦ ଓଭରିଆ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବାର ଆଶା ବଢ଼ିବ ବୋଲି ବିସିସିଆଇ କହିଛି। ବିସିସିଆଇ ଇଂଲଣ୍ଡର ଏହି ନବ ଉନ୍ମେଷ ଫ୍ରାଞ୍ଚାଇଜ୍ ଭିତ୍ତିକ ପ୍ରତିଯୋଗିତାରେ ଦେଶର ପୁରୁଷ ଖେଳାଳିମାନଙ୍କୁ ଅଂଶଗ୍ରହଣର ସୁଯୋଗ ଦେଇନାହିଁ। କିନ୍ତୁ କିଛି ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଇଂଲଣ୍ଡରେ କାଉଣ୍ଟି ଖେଳିବାର ସୁଯୋଗ ପାଉଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲ୍‌ ଢାଞ୍ଚାରେ ଆୟୋଜିତ ‘ଦ ହଣ୍ଡ୍ରେଡ’ର ପ୍ରଥମ ସଂସ୍କରଣ ଦ ଓଭାଲରେ ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଯାଉଛି। ୧୦୦ ବଲ୍‌ ଭିତ୍ତିକ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୮ ଲେଖାଏଁ ଫ୍ରାଞ୍ଚାଇଜ୍ ଭାଗ ନେବେ। ଭାରତରୁ ୫ ଜଣ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ବେଣ୍ଟି-୨୦ ଦଳ ଅଧିନାୟିକା ହର୍ମନପ୍ରୀତ୍ କୌର, ଉପ ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ବିସ୍ଫୋରକ ଓପନର୍‌ ସେଫାଳି ବର୍ମା। ପୂର୍ବରୁ ହର୍ମନପ୍ରୀତ୍‌ ଓ ସ୍ମୃତି ମଧ୍ୟ ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତା ଭାରତୀୟ ଖେଳାଳିମାନଙ୍କୁ ଇଂଲଣ୍ଡରେ ଏକ୍ସପୋଜର ଦେବ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମାଲ ପ୍ରକାଶ କରିଛନ୍ତି। ପୂର୍ବରୁ ଆମର କିଛି ଖେଳାଳି କାଉଣ୍ଟି ଖେଳିଛନ୍ତି ଏବଂ ସେମାନଙ୍କୁ ସୁଯୋଗ ଦେଇଛି। ଏବେ ମହିଳା କ୍ରିକେଟ୍‌କୁ ଆଗକୁ ବଢ଼ିବାକୁ ଏହା ମଧ୍ୟ ସୁଯୋଗ ଆଣି ଦେଇଛି। ଆସନ୍ତା ବ‌ର୍ଷର ବିଶ୍ବକପ୍‌ ଲାଗି ଏହାର ଅଭିଜ୍ଞତା ନିଶ୍ଚିତ କାମରେ ଲାଗିବ ବୋଲି ଧୂମାଲ୍ ପ୍ରକାଶ କରିଥିଲେ। କୋଭିଡ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରାୟ ଗୋଟିଏ ବର୍ଷ ସ୍ଥାଣୁ ରହିବା ପରେ ମାର୍ଚ୍ଚ ମାସରେ ଭାରତୀୟ ମହିଳା ଦଳ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ସୀମିତ ଓଭର ଶୃଙ୍ଖଳା ଖେଳିଥିଲା। ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତୀୟ ମହ‌ିଳା କ୍ରିକେଟ୍‌ ଦଳ ଆସନ୍ତା ସପ୍ତାହରୁ ଇଂଲଣ୍ଡ ବିପକ୍ଷରେ ବ୍ରିଷ୍ଟଲରେ ଏକମାତ୍ର ଟେଷ୍ଟ୍‌ ଖେଳିବାକୁ ଯାଉଛି। ଜୁନ୍‌ ୧୬ ତାରିଖରୁ ଏହା ଆରମ୍ଭ ହେବ। ଏହା ପରେ ସୀମିତ ଓଭର ଦଳ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ସେହିଭଳି ଚଳିତ ବର୍ଷ ଶେଷ ଭାଗରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ୍‌ ଖେଳିବ। ୟୁଏଇରେ ମଧ୍ୟ ମହିଳା ଚାଲେଞ୍ଜ୍‌ ଖେଳାଯିବାର ସମ୍ଭାବନା ରହିଛି। ଆଇପିଏଲ୍‌ର ଅବଶିଷ୍ଟ ଭାଗ ଖେଳାଯିବା ବେଳେ ବିସିସିଆଇ ଏହାକୁ କରିବା ଯୋଜନା ରଖିଛି। ଏଥି ପାଇଁ ଉଦ୍ୟମ ଜାରି ରହିଛି ବୋଲି ଧୂମାଲ ପ୍ରକାଶ କରିଛନ୍ତି।

‘ଦ ହଣ୍ଡ୍ରେଡ୍‌’ରୁ ଓହରିଲେ ୱାର୍ଣ୍ଣର, ଷ୍ଟୋଇନିସ
ସିଡ୍‌ନି : ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ଣ୍ଣର ଏବଂ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ ମହାମାରୀ କରୋନା ଯୋଗୁଁ ପ୍ରଥମ ଥର ଲାଗି ଆରମ୍ଭ ହେବାକୁଥିବା ‘ଦ ହଣ୍ଡ୍ରେଡ୍‌’ କ୍ରିକେଟ୍‌ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଏହି ବିଷୟରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଶୁକ୍ରବାର ସ୍ପଷ୍ଟ କରିଛି। ଉଭୟ ଖେଳାଳିଙ୍କ ନାଁ ୱେଷ୍ଟ୍‌ଇଣ୍ଡିଜ୍‌ ଓ ବାଂଲାଦେଶ ଗସ୍ତ କରିବାକୁ ଥିବା ଅଷ୍ଟ୍ରେଲିଆ ଧଳା ବଲ୍‌ ଦଳର ପ୍ରାରମ୍ଭିକ ତାଲିକାରେ ରହିଥିଲା। ଜୁଲାଇ-ଅଗଷ୍ଟରେ ‘ଦ ହଣ୍ଡ୍ରେଡ୍‌’ ଖେଳାଯିବାର ଯୋଜନା ରହିଛି। ‘‘ଡେଭିଡ ଓ ମାର୍କସ ‌ଓହରିଯିବା ନିଶ୍ଚିତ ଦୁଃଖର ବିଷୟ। କୋଭିଡ ପାଇଁ ହିଁ ବହୁ ବିଦେଶୀ ଖେଳାଳି ଆସିବାକୁ ଅମଙ୍ଗ ହେଉଛନ୍ତି। ସଦର୍ନ ବ୍ରେଭ୍‌ ବିଦେଶୀ ଖେଳାଳିଙ୍କ ବଦଳ ଖେଳାଳିଙ୍କୁ ଦଳରେ ନେଇପାରିବାର ବିକଳ୍ପ ଦେଇଛୁ। ଏହି ଗ୍ରୀଷ୍ମରେ କିଭଳି ‘ଦ ହଣ୍ଡ୍ରେଡ୍‌’ ଖେଳାଯିବ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ।’’ ବୋଲି ଇସିବି ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି। ୱାର୍ଣ୍ଣର ପ୍ରାୟ ୧ କୋଟି ୪ ଲକ୍ଷ ଟଙ୍କା (୧ ଲକ୍ଷ ପାଉଣ୍ଡ) ଏବଂ ଷ୍ଟୋଇନିସ ପାଖାପାଖି ୮୩ ଲକ୍ଷ ଟଙ୍କା (୮୦୦୦୦ ପାଉଣ୍ଡ)ରେ ସଦର୍ନ ବ୍ରେଭ୍‌ ସହ ଚୁକ୍ତି କରିଥିଲେ। ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ପ୍ରତିଯୋଗିତା ଆ‌ୟୋଜିତ ହେବାର ଥିଲା। ହେଲେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର