ଆଇସିସି-ବିସିସିଆଇ ଇମେଲ୍‌ ଯୁଦ୍ଧ, ବୋର୍ଡ ବୈଠକରେ ଉଠିବ ପ୍ରସଙ୍ଗ

ମୁମ୍ବାଇ: ସାଂପ୍ରତିକ କରୋନା ମହାମାରୀ ମଧ୍ୟରେ ଭୟଙ୍କର ଭାବେ ପେଷି ହୋଇଯାଉଥିବା ବିଶ୍ବ କ୍ରିକେଟ୍‌ରେ ନିର୍ବାଚନୀ ଜ୍ବର ବଢ଼ିବାରେ ଲାଗିଛି। ଯାହାକି କ୍ରିକେଟ୍‌ର ରାଜନୈତିକ ପରିବେଶକୁ ଅରୁଚିକର କରିଦେଲାଣି। ଏପରିକି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏବଂ ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ (ବିସିସିଆଇ) ମଧ୍ୟରେ ବି ଅପ୍ରୀତିକର ପରିସ୍ଥିତି ‌ସୃଷ୍ଟି ହେବାକୁ ବସିଛି। ବିଶେଷକରି ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌କୁ ନେଇ ଉଭୟ ଆଇସିସି ଓ ବିସିସିଆଇ ଅପ୍ରୀତିକର ଇମେଲ୍‌ ବିନିମୟରେ ମାତିଯାଇଛନ୍ତି। ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ବେଳେ ଭାରତ ସରକାରଙ୍କଠାରୁ ଟିକସ ରିହାତି ହାସଲ କରିବାରେ ବିସିସିଆଇ ବିଫଳ ହେବା ଆଇସିସିକୁ କ୍ଷୁବ୍ଧ କରିଥିଲା। ପ୍ରତିଯୋଗିତା ପାଇଁ ଦିଆଯାଇଥିବା ଟିକସ ରାଶିକୁ ବିସିସିଆଇ ରାଜସ୍ବ ଅଂଶ (ଆଇସିସିରୁ ମିଳୁଥିବା)ରୁ କାଟିବାକୁ ଆଇସିସି ସେବେଠାରୁ ଧମକ ଦେଇ ଆସୁଛି। ବିସିସିଆଇ କିନ୍ତୁ ଗତ ଚାରି ବର୍ଷ ହେବ ଏହାକୁ ବିରୋଧ କରି ଆସୁଛି। ଏବେ ୨୦୨୧ ଓ ୨୦୨୩ ବିଶ୍ବକପ୍‌ର ଟିକସ ପ୍ରସଙ୍ଗ ନେଇ ଆଇସିସି ଓ ବିସିସିଆଇ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି।

ଆଇସିସିର ସାଧାରଣ ପରାମର୍ଶଦାତା ଏବଂ କଂପାନି ସଚିବ ଜୋନାଥନ୍‌ ହଲ୍‌ ତାଙ୍କ ପ୍ରତିପକ୍ଷ ବିସିସିଆଇ ସଚିବଙ୍କ ପାଖକୁ ଚିଠି ଲେଖି ଉଭୟ ବିଶ୍ବକପ୍‌ ଆୟୋଜନ ନିମନ୍ତେ ଟିକସ ସମାଧାନ ଦିଗରେ କ’ଣ ସବୁ ପ୍ରୟାସ କରିଛନ୍ତି ତା’ର ତଥ୍ୟ ପ୍ରମାଣ ଦେବାକୁ କହିଛନ୍ତି। ବିସିସିଆଇ କିନ୍ତୁ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ କିଛି ସମୟ ଲୋଡିଛି। ଗତ ଦୁଇ ମାସ ଧରି ଦେଶ ସାରା କୋଭିଡ୍‌-୧୯ ଯୋଗୁଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏବଂ ଏଭଳି ଅପ୍ରତ୍ୟାଶିତ ଘଟଣା ଦୃଷ୍ଟିରୁ କେନ୍ଦ୍ର ସରକାର ଏଥିପାଇଁ ପୂରା ବ୍ୟସ୍ତ ରହୁଥିବାରୁ ବିସିସିଆଇ ସମୟ ନେବାର ଉଦ୍ୟମ କରିଛି। କିନ୍ତୁ ଆଇସିସି ଏହାକୁ ସହଜରେ ନେଇନି। ମାତ୍ର ଏବେ ସମାଜର ସ୍ଥିତି କ’ଣ ଏବଂ କିପରି ଚାଲିଛି ସେସବୁକୁ ଆଇସିସି ନଜରଅନ୍ଦାଜ କରିବା ଅନୁଚିତ। ପରନ୍ତୁ ବିସିସିଆଇର ଅଧିସୂଚନା ଅନୁଯାୟୀ ଆମେ ତା’ର ଦାୟିତ୍ବ ପ୍ରତି ସଜାଗ ରହିବା ଦିଗରେ ଚେତାଇ ଦେଇଛୁ। କାରଣ ଟିକସ ସମାଧାନ ନକଲେ ଆଇସିସିର ବ୍ୟାବସାୟିକ କର୍ପୋରେସନ୍‌ (ଆଇବିସି) ଆୟୋଜନ ଅଧିକାର ଚୁକ୍ତିନାମାକୁ ବାତିଲ କରିଦେଇପାରେ ବୋଲି ବିସିସିଆଇକୁ ଜଣାଇଥିବା ଆଇସିସି କହିଛି। ଚଳିତ ମେ’ ୧୮ ତାରିଖ ପରେ ଯେକୌଣସି ଦିନ ହିଁ ଆଇବିସି ଚୁକ୍ତି ବାତିଲ କରିଦେଇପାରେ ବୋଲି ଆଇସିସି ତରଫରୁ ଜୋନାଥନ୍‌ ହଲ୍‌ ବିସିସିଆଇକୁ ଇମେଲ୍‌ରେ ଜଣାଇ ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ଉଭୟଙ୍କ ମଧ୍ୟରୁ କେହି କାହାରି କଥା ବୁଝିବାକୁ ଚାହୁଁନଥା’ନ୍ତି। ଯେଉଁଥିପାଇଁ ଅପ୍ରୀତିକର ଇମେଲ୍‌ ଯୁଦ୍ଧରେ ମାତିଛନ୍ତି। ବିସିସିଆଇଠୁ ନିର୍ଦିଷ୍ଟ କୌଣସି ଟିକସ ସମାଧାନର ପନ୍ଥା ପାଇନଥିବାରୁ ଆଇବିସି ବିସିସିଆଇ ହାତରୁ ଦୁଇଟିଯାକ ବିଶ୍ବକପ୍‌ ଆୟୋଜନ ଅଧିକାର କାଢି ନେବାକୁ ବାଧ୍ୟ ହୋଇପାରେ ବୋଲି ହଲ୍‌ ଆଭାସ ଦେଇଛନ୍ତି।

ଆଇସିସିର କହିବା କଥା ହେଲା, ଟିକସ ସମାଧାନ ପନ୍ଥା ବାହାର କରିବା ପାଇଁ ଗତ ୧୮ ମାସ ହେଲା ବିସିସିଆଇ କୌଣସି ପଦକ୍ଷେପ ନେଇନି। ହେଲେ କୋଭିଡ୍‌-୧୯ ସଙ୍କଟ ଯୋଗୁଁ ମେ’ ୧୮ର ଧାର୍ଯ୍ୟ ସମୟ ସୀମାକୁ ବଢ଼ାଯାଉ ବୋଲି ବିସିସିଆଇ ଇମେଲ୍‌ ଜରିଆରେ ଆଇସିସି ଓ ହଲ୍‌ଙ୍କୁ ଚିଠି ଲେଖିଛି। ଏହି ସମୟସୀମାକୁ ଅତି କମ୍‌ରେ ଜୁନ୍‌ ୩୦ କିମ୍ବା ଲକ୍‌ଡାଉନ୍‌ ଉଠିବାର ଗୋଟିଏ ମାସ (ଯେଉଁଟା ଆଗ) ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି କହିଛି। ହେଲେ ଆଇସିସି ପଠାଇଥିବା ଚିଠିର ଏକ ପଂକ୍ତିକୁ ପଢ଼ି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିସିସିଆଇ। ବିସିସିଆଇ ଦ୍ବାରା କରାଯାଇଥିବା ମେ’ ୧୮ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ଆଇବିସି ସହମତି ପ୍ରକାଶ କରିବାକୁ ପ୍ରସ୍ତୁତ ନାହିଁ ବୋଲି ଆଇସିସି ଲେଖିଥିଲା। ଏହାକୁ ନେଇ ବିସିସିଆଇ କ୍ଷୁବ୍‌ଧ ହୋଇଛି। ବିସିସିଆଇର କହିବା କଥା ହେଲା ଏବର ସମୟ ଧୈର୍ଯ୍ୟ ଉଡାଇବାର ନୁହେଁ। ଆଇବିସି ହେଉଛି ଆଇସିସିର ସଦସ୍ୟ ବୋର୍ଡଙ୍କ ଡାଇରେକ୍ଟରଙ୍କୁ ନେଇ ଗଠିତ। ତେଣୁ କେଉଁ ନିର୍ଦେଶକ ସମୟସୀମା ବୃଦ୍ଧି କରିବା ପ୍ରସ୍ତାବରେ ରାଜି ନୁହେଁ ବୋଲି ବିସିସିଆଇ ପ୍ରଶ୍ନ କରିଛି। ଯଦି ଏଭଳି କୌଣସି ଦସ୍ତଖତ ସମ୍ବଳିତ ଅରାଜି ନଥିପତ୍ର ରହିଛି ତାହାଲେ ବିସିସିଆଇ ସହ ସେୟାର କର ବୋଲି ଇମେଲ୍‌ ଆଇସିସିକୁ ପଠାଯାଇଛି। ହେଲେ ବିଭିନ୍ନ ଦେଶର ତିନି ଜଣ ଡାଇରେକ୍ଟରଙ୍କ ସହ କଥା ହେଲା ବେଳେ ସମସ୍ତେ ଏ ବାବଦରେ ଖୋଲାରେ କିଛି କହିବାକୁ ରାଜି ହୋଇନଥିଲେ। ମାତ୍ର ତାଙ୍କ ଭିତରୁ କେହି ବି ସେଭଳି କୌଣସି ଦସ୍ତାବିଜ୍‌ରେ ଦସ୍ତଖତ କରିନଥିବା ସ୍ପଷ୍ଟ କରିଥିଲେ। ତେଣୁ ଏସବୁ ଦୃଷ୍ଟିରୁ ଆଇସିସି ଓ ବିସିସିଆଇ ମଧ୍ୟରେ ରାଜନୈତିକ ଖେଳ ଚାଲିଥିବା‌ ପ୍ରମାଣିତ ହେଉଛି। ଆଇସିସି ମଧ୍ୟରେ କେବଳ ଦୁଇ ତିନିଜଣ ବ୍ୟକ୍ତି ହିଁ ସେମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କୁହାଯାଉଛି। ସେମାନଙ୍କ ଦୋଷକୁ ଦୂର କରିବା ଜରୁରି ହୋଇପଡ଼ିଛି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ କୁହାଯାଇଛି। ଚଳିତ ମାସ ୨୬ ତାରିଖରୁ ଟେଲିକନ୍‌ଫରେନ୍ସିଂ ଜରିଆରେ ଆଇସିସି ବୋର୍ଡ ବୈଠକ ଆରମ୍ଭ ହେବାକୁ ଯାଉଛି। ସେହି ବୈଠକରେ ହିଁ ସର୍ବାଧିକ ଗୁରୁତ୍ବ ସହ ବିସିସିଆଇ ଏହି ପ୍ରସଙ୍ଗକୁ ଉପସ୍ଥାପନ କରିବାର ଆଶା ରହିଛି।

ସମ୍ବନ୍ଧିତ ଖବର