ଦୁବାଇ: ସଦ୍ୟ ସମାପ୍ତ ଶ୍ରୀଲଙ୍କା-ଭାରତ ଟେଷ୍ଟ ଶୃଙ୍ଖଳା ଅନ୍ତର୍ଗତ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ପିଚ୍‌କୁ ନିମ୍ନମାନର କହିଛି ଆଇସିସି। ଚନ୍ନାସ୍ବାମୀ ପିଚ୍‌ ହାରାହାରିଠାରୁ ତଳେ ଥିଲା ବୋଲି ରବିବାର ଏକ ରିପୋର୍ଟରେ ଆଇସିସି ଉଲ୍ଲେଖ କରିଛି। ଏଥି ସହ ପିଚ୍‌ ଉପରେ ମଧ୍ୟ ଗୋଟିଏ ଡିମେରିଟ୍‌ ପଏଣ୍ଟ୍‌ ଲାଗୁ କରାଯାଇଛି। ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି ଟେଷ୍ଟ‌ ମ୍ୟାଚ୍‌କୁ ଭାରତ ୩ ଦିନ ଭିତରେ ୨୩୮ ରନ୍‌ ବ୍ୟବଧାନରେ ଜିତିଥିଲା। ସବୁଠାରୁ ବଡ଼ କଥା ହେଲା ବେଙ୍ଗାଲୁରୁ ନିବାସୀ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜଭାଗାଲ୍ ଶ୍ରୀନାଥ ହିଁ ଏକ ରିପୋର୍ଟରେ ଏହି ଦଣ୍ଡ ଲାଗୁ କରିଛନ୍ତି। ଅବଶ୍ୟ ଆଇସିସି ମ୍ୟାଚ୍‌ ରେଫରି ଭାବେ ଶ୍ରୀନାଥ ଏହି ପଦକ୍ଷେପ ନେଇଛନ୍ତି। ‘ପ୍ରଥମ ଦିନରୁ ହିଁ ପିଚ୍‌ ଟର୍ଣ୍ଣ ଦେଇଥିଲା, ପ୍ରତିଟି ଅଧିବେସନରେ ଏଥିରେ ଉନ୍ନତି ଘଟିଥିଲେ ମଧ୍ୟ ମୋ ମତରେ ଏଠାରେ ବଲ୍‌ ଓ ବ୍ୟାଟ୍‌ର ସନ୍ତୁଳନ ନଥିଲା’ ବୋଲି ଶ୍ରୀନାଥ ଉଲ୍ଲେଖ କରିଛନ୍ତି।

Advertisment

ଶ୍ରୀନାଥଙ୍କ ରିପୋର୍ଟକୁ ଆଇସିସି ମଧ୍ୟ ବିସିସିଆଇକୁ ପଠାଇ ଦେଇଛି। ଅତୀତରେ ୨୦୧୭ରେ ମଧ୍ୟ ଚିନ୍ନାସ୍ବାମୀ ପିଚ୍‌କୁ ଆଇସିସିା ‘ବିଲୋ ଆଭରେଜ୍‌’ ଦର୍ଶାଇଥିଲା। ୨୦୧୮ ଜାନୁଆରି ୪ ପରଠାରୁ ପ୍ରଚଳିତ ନିୟମ ଅନୁସାରେ କୌଣସି ପଡ଼ିଆର ପିଚ୍‌ ଓ ଆଉଟ୍‌ ଫିଲ୍ଡ ଖରାପ ଥିବା ରିପୋର୍ଟ ମିଳିଲେ ଆଇସିସି ଡିମେରିଟ୍‌ ପଏଣ୍ଟ୍‌ ଦଣ୍ଡ ବ୍ୟବସ୍ଥା କରିଛି। ଖରାପ ଥିଲେ ୩ ପଏଣ୍ଟ୍‌ ଓ ସମ୍ପୂର୍ଣ୍ଣ ଅନଫିଟ୍‌ ଥିଲେ ୫ ଡିମେରିଟ୍‌ ପଏଣ୍ଟ୍‌ ଲାଗୁ କରାଯିବ। ଡିମେରିଟ୍‌ ପଏଣ୍ଟ୍‌ ୫ ବର୍ଷ ପାଇଁ ସଚଳ ରହିଥାଏ। ମିଳିତ ଭାବେ ୫ ‌ଡିମେରିଟ୍‌ ପଏଣ୍ଟ୍‌ ମିଳିଲେ ପଡିଆକୁ ଆଇସିସି ୧୨ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିଥାଏ। ୧୦ ଡିମେରିଟ୍‌ ପଏଣ୍ଟ୍‌ ପାଇଁ ୨୪ ମାସର ବାସନ୍ଦ ବ୍ୟବସ୍ଥା ମଧ୍ୟ ରହିଛି।