ଅଲିମ୍ପିକ୍ସରେ ଟି-୨୦ ଫର୍ମାଟ୍‌ ଲାଗି ଆଇସିସି ଆଗ୍ରହୀ

ଦୁବାଇ: କ୍ରିକେଟ୍‌ର ଛୋଟ ଟି-୨୦ ଫର୍ମାଟ୍‌କୁ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇସିସି ଆଗ୍ରହୀ ଅଛି। ତେବେ ଅନ୍ୟ ଫର୍ମାଟ୍‌ ପାଇଁ ମଧ୍ୟ ଆଇସିସି ଚିନ୍ତା କରୁଛି। ‌ହେଲେ ଯେକୌଣସି ଫର୍ମାଟ୍‌ ହେଉ ୨୦୨୮ ଲସ୍‌ ଏଞ୍ଜେଲ୍ସ କ୍ରୀଡ଼ାରେ ସାମିଲ ପାଇଁ ଜୋର୍‌ଦାର ଉଦ୍ୟମ ଚାଲିଛି ବୋଲି ଆମେରିକା କ୍ରିକେଟ୍‌ ମୁଖ୍ୟ ପରାଗ ମରାଠେ କହିଛନ୍ତି। ୧୯୦୦ ପ୍ୟାରିସ କ୍ରୀଡ଼ା ପରେ ପ୍ରଥମ ଥର ଲାଗି କ୍ରିକେଟ୍‌କୁ ସାମିଲ କରିବାକୁ ଆଇସିସି ବିଡ୍‌ ଦଖଲ ପାଇଁ ପ୍ରସ୍ତୁତ ହେଉଛି। ଇଂଲିସ ବୋର୍ଡ ମୁଖ୍ୟ ଇଆନ୍‌ ୱାଟ୍‌ମୋର୍‌ଙ୍କ ନେତୃତ୍ବରେ ଗଠିତ ଆଇସିସି ଅଲିମ୍ପିକ୍‌ କାର୍ଯ୍ୟକାରୀ ଗ୍ରୁପ୍‌ରେ ମରାଠେ ସଦସ୍ୟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଗ୍ରୁପ୍‌ରେ ରହିଛନ୍ତି ପୂର୍ବତନ ପେପ୍‌ସିକୋ ସିଇଓ ଇନ୍ଦ୍ରା ନୁୟି। ‘‘ମୋର ବିଶ୍ବାସ ଯଥାଶୀଘ୍ର ଆଇସିସିର ୧୦୬ ସଦସ୍ୟ ଦେଶ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ପାଇଁ ସହମତି ଦେବେ। ଟି-୨୦ ମ୍ୟାଚ୍‌ ୩ ଘଣ୍ଟିଆ ହୋଇଥିବାରୁ ଏହା ସାମିଲ ହେବା ଅଶା ଅଧିକ ରହିଛି। ଏହା ଫର୍ମାଟ୍‌ ମଧ୍ୟ ଅମେରିକୀୟଙ୍କୁ ସୁହାଉଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମତି (ଆଇଓସି) ସହ ଆମର ଆଲୋଚନା ଚାଲିଛି। ଅନ୍ୟ ଫର୍ମାଟ୍‌ କଥା ମଧ୍ୟ ବିଚାର କରାଯାଉଛି। ମୁଖ୍ୟ ଲକ୍ଷ୍ୟ ହେଉଛି କ୍ରିକେଟ୍‌କୁ ଅଲିମ୍ପିକ୍ସରେ ସାମିଲ କରିବା’’ ବୋଲି ମରାଠେ କହିଛନ୍ତି।

ସମ୍ବନ୍ଧିତ ଖବର