ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବା ଲାଗି ଆଇସିସିର ପ୍ରସ୍ତୁତି

ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କଲା

ଦୁବାଇ: ଦୀର୍ଘ ଦିନର ସ୍ବପ୍ନ ମାତ୍ର କିଛି ବର୍ଷ ପରେ ପୂରଣ ହେବାକୁ ଯାଉଛି। ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବା ଲାଗି ଆଇସିସି ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ଏଥିଲାଗି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ୨୦୨୮ ଲସ୍‌ଏଞ୍ଜଲ୍ସ ଅଲିମ୍ପିକ୍ସରେ ହିଁ କ୍ରିକେଟ୍‌କୁ ଯେମିତି ଅଲିମ୍ପିକ୍ସ ଖେଳର ସ୍ବୀକୃତି ମିଳିଯାଏ, ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏଭଳି ଏକ ସମ୍ଭାବନାକୁ ତୀବ୍ର ବିରୋଧ କରି ଆସୁଥିବା ବିସିସିଆଇର ସବୁଜ ସଙ୍କେତ ପରେ ଆଇସିସି ଏହି ଦିଗରେ ଅଧିକ ଦାୟିତ୍ବବାନ ହେବା ଆରମ୍ଭ କରିଛି।

ପାରମ୍ପରିକ ଭାବେ କ୍ରିକେଟ୍‌କୁ ଅଲିମ୍ପିକ୍ସରେ ସାମିଲ କରିବା ପ୍ରସ୍ତାବକୁ ବିସିସିଆଇ ବିରୋଧ କରି ଆସୁଥିଲା। ହେଲେ ଜୟ ଶାହା ବୋର୍ଡର ସମ୍ପାଦକ ହେବା ପରେ ବିଶ୍ବର ଏହି ସବୁଠାରୁ ଧନୀ କ୍ରିକେଟ୍ ଲିଗ୍‌ର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା। କ୍ରିକେଟ୍‌କୁ ଅଲିମ୍ପିକ୍ସରେ ସାମିଲ କରିବା କ୍ଷେତ୍ରରେ ଆଇସିସିର ଆଭିମୁଖ୍ୟକୁ ବିସିସିଆଇ ସମର୍ଥନ କରେ ବୋଲି ସେ ନିକଟରେ ମତ ପ୍ରକାଶ କରିଥିଲେ। ଫଳରେ ଖୁବଶୀଘ୍ର ଅନ୍ୟ ଦଳଗତ ଖେଳ ଭଳି କ୍ରିକେଟ୍‌କୁ ମଧ୍ୟ ପ୍ରଶଂସକ ଅଲିମ୍ପିକ୍ସରେ ଦେଖି ପାରିବାର ଆଶା ସଂଚାର ହୋଇଥିଲା। ଏବେ ଏହା ସତ ହେବା ଲାଗି ମୂଳଦୁଆ ପଡ଼ିଯାଇଛି।

ଆଇସିସି ମଙ୍ଗଳବାର ଗଠନ କରିଥିବା କାର୍ଯ୍ୟକାରୀ ଗୋଷ୍ଠୀରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ମୁଖ୍ୟ ଇଆନ ୱାଟମୋର ଅଧ୍ୟକ୍ଷ ଥିଲା ବେଳେ ଆଇସିସିର ନିରପେକ୍ଷ ନିର୍ଦ୍ଦେଶକ ଇନ୍ଦ୍ରା ନୁଇ, ଜିମ୍ବାୱେ କ୍ରିକେଟ୍‌ର ମୁଖ୍ୟ ତଭେଙ୍ଗୱା ମୁକୁହଲାନି, ଆଇସିସି ସହଯୋଗୀ ସଦସ୍ୟ ନିର୍ଦ୍ଦେଶକ ଏବଂ ଏସୀୟ କ୍ରିକେଟ୍ ପରିଷଦର ଉପସଭାପତି ମହିନ୍ଦା ଭାଲିପୁରମ, ଆମେରିକା କ୍ରିକେଟ୍‌ର ଅଧ୍ୟକ୍ଷ ପରାଗ ମରା‌ଥେ ପ୍ରମୁଖ ଏହି ଗୋଷ୍ଠୀର ସଦସ୍ୟ ଅଛନ୍ତି। ୨୦୨୮ରେ ଅଲିମ୍ପିକ୍ସ ଆମେରିକାର ଲସ୍‌ଏଞ୍ଜେଲ୍ସରେ ଆୟୋଜିତ ହେବାକୁ ଥିବାରୁ କାର୍ଯ୍ୟକାରୀ ଗୋଷ୍ଠୀରେ ମରାଥେଙ୍କୁ ଆଇସିସି ସାମିଲ କରିବାର ଢେର ମହତ୍ବ ଥିବା କୁହାଯାଉଛି। ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍ଲେ ମଧ୍ୟ ସଫଳତାର ସହ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହୋଇଥିବାରୁ ଜାପାନ ସରକାର, ସେଠାକାର ଜନତା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର