ଶରୀର ଓଜନ ହ୍ରାସ ଚିନ୍ତାଧାରା କୋହଲିଙ୍କୁ ଫିଟ୍‌ କରାଇଥିଲା: ପ୍ୟାଡି

ନୂଆଦିଲ୍ଲୀ,: ‌ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗଙ୍କ ସହ ଏକାଠି ବ୍ୟାଟିଂ କରିବାଠୁ ଆରମ୍ଭ କରି ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ବ ନେବା ଘଟଣା ବିରାଟ କୋହଲିଙ୍କୁ ଲମ୍ବା ରାସ୍ତାର ଯାତ୍ରା ଅତିକ୍ରମ କରିବାକୁ ପଡ଼ିଛି। ଏଥିସହିତ ଜିତିବାର ଭୋକ ଓ ବିଶ୍ବର ଯେକୌଣସି ବୋଲିଂ ଆକ୍ରମଣ ‌ବିପକ୍ଷରେ ରନ୍‌ ସଂଗ୍ରହ କରିବାର ଲାଳସା ତାଙ୍କୁ ‘କିଂବଦନ୍ତି’ ଦୌଡ଼ରେ ସାମିଲ କରାଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ବେଳେ ତାଙ୍କୁ ଯେତେବେଳେ ୨୨ ବର୍ଷ ବୟସ ହୋଇଥିଲା, ସେତେବେଳେ ଆଇସିସି ଦିନିକିଆ ବିଶ୍ବକପ୍‌ ଉଠାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହି ଯୁବ ପ୍ରତିଭା ସେତେବେଳେ ତାଙ୍କ ପ୍ରଶଂସକଙ୍କ ଗହଣରେ ‘ଚିକୁ’ ନାମରେ ପରିଚିତ ହୋଇଥିଲେ ଏବଂ ଚାପରେ କେଉଁଭଳି ଭାବେ ଖେଳିବାକୁ ହୁଏ, ତାହା କୋହଲିଙ୍କଠାରେ ଦେଖିବାକୁ ମିଳିଥିଲା। ତେବେ କୋହଲିଙ୍କ ଓଜନଦାର ଶରୀର କିପରି ବିଶ୍ବର ସବୁଠୁ ଫିଟ୍‌ କ୍ରୀଡ଼ାବିତ୍‌ଙ୍କ ଶରୀ‌ରରେ ପରିଣତ ହୋଇଥିଲା, ସେ ବିଷୟରେ ଭାରତୀୟ ଦଳର ତତ୍କାଳୀନ ଷ୍ଟ୍ରେଙ୍ଗ୍‌ଥ ଓ ‌କଣ୍ଡିସନିଂ ପ୍ରଶିକ୍ଷକ ପ୍ୟାଡି ଅପଟନ୍‌ ଏକ ସାକ୍ଷାତକାରରେ କହିଛନ୍ତି। ଯେତେବେଳେ କୋହଲିଙ୍କ ଓଜନ ଅପେକ୍ଷାକୃତ ଅଧିକ ଥିଲା, ସେତେବେ‌ଳେ ତାଙ୍କର ଫିଟ୍‌ ରହିବା ଚିନ୍ତାଧାରା ହିଁ ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଯଦି ସେ ବିଶ୍ବର ଶ୍ରେଷ୍ଠ ଖେଳାଳି ହେବାକୁ ଚାହାଁନ୍ତି, ତାହେଲେ ପ୍ରଥମେ ଶାରୀରିକ ଭାବେ ଦକ୍ଷ ହେବାକୁ ପଡ଼ିବ ବୋଲି ସେ ମନସ୍ଥ କରିଥିଲେ। ଏହି ଚିନ୍ତାଧାରା ତାଙ୍କୁ ପରିବର୍ତ୍ତନ କରାଇବାର ଖୋରାକ ଯୋଗାଇଥିଲା ବୋଲି ପ୍ୟାଡି କହିଛନ୍ତି।

କୋହଲି ୨୦୧୪ରେ ଭାରତୀୟ ଦଳର ଟେଷ୍ଟ ଅଧିନାୟକ ଭାବେ ‌ମହେନ୍ଦ୍ର ସିଂହ ଧୋନିଙ୍କଠୁ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ସେ ଇଂଲଣ୍ଡ ବିପକ୍ଷରେ ୪-୦ରେ ଶୃଙ୍ଖଳା ଜିତି ଭାରତକୁ ବିଶ୍ବର ୧ନମ୍ବର ସ୍ଥାନରେ ପହଞ୍ଚାଇଥିଲେ। ପରେ ସେ ୨୦୧୭ରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଭାର ମଧ୍ୟ ନିଜ କାନ୍ଧକୁ ନେଇଥିଲେ। ତେବେ କୋହଲି ଓ ଧୋନିଙ୍କ ନେତୃତ୍ବ ନେବାର ଶୈଳୀ ବିଷୟରେ ପ୍ୟାଡି କହିଛନ୍ତି ଯେ ଉଭୟ ନିଜ‌ ନିଜ କ୍ଷେତ୍ରରେ ଭିନ୍ନ। ଧୋନି ଶାନ୍ତ ସ୍ବଭାବର ହୋଇଥିଲା ବେଳେ କୋହଲି ଭାବାତ୍ମକ ବୋଲି ସେ କହିଥିଲେ। ତାଙ୍କ ମତରେ, ଅଧିନାୟକଙ୍କ ବ୍ୟବହାର ଦଳ ଉପରେ ପ୍ରଭାବ ପକାଇଥାଏ। ଜଣେ ଖେଳାଳିଙ୍କୁ ଉପରକୁ ଉଠାଇବାକୁ ହେଲେ ମାତ୍ର ଗୋଟିଏ ଶବ୍ଦ ହିଁ ତାଙ୍କୁ ଉତ୍ସାହିତ କରିପାରିବ ଏବଂ ସେହି ଖେଳାଳିଠୁ ଶ୍ରେଷ୍ଠ ପ୍ରଦର୍ଶନ ବାହାରିପାରିବ। କିନ୍ତୁ ସାଥୀ ଖେଳାଳିଙ୍କ ମତକୁ ସମ୍ମାନ ନଦେଲେ ତାଙ୍କର ଆତ୍ମବିଶ୍ବାସ ହରାଇବାକୁ ପଡ଼ିଥାଏ। ତେଣୁ କୋହଲି ସବୁବେଳେ ଖେଳାଳିଙ୍କୁ ଉତ୍ସାହିତ କରିଥାନ୍ତି ଓ ସେମାନଙ୍କ ଆତ୍ମବିଶ୍ବାସ ବଢାଇବା ପାଇଁ‌ କୋହଲିଙ୍କ ଦକ୍ଷତା ରହିଥିବା ପ୍ୟାଡି ବର୍ଣ୍ଣନା କରିଥିଲେ।

ପ୍ୟାଡି କେବଳ ଭାରତୀୟ ଦଳର ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ନଥିଲେ ବରଂ ଦଳୀୟ ପରିଚାଳନା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରୁଥିଲେ। ସେ ମଧ୍ୟ ଆଇପିଏଲ୍‌ ଦଳ ପୁନେ ୱାରିୟର୍ସ, ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ବିଶ୍ବବିଦ୍ୟାଳୟସ୍ତରରେ ସେ ରଗ୍‌ବି ଖେଳିବାକୁ ପସନ୍ଦ କରୁଥିଲା ବେଳେ ଏକଦା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ଆଇପିଏଲ୍‌ରେ ପ୍ରଶିକ୍ଷକ ଥିବାବେଳେ ରାହୁଲ ଦ୍ରାବିଡ଼ଙ୍କ ନିକଟତର ହୋଇଥିଲେ। ତେବେ ଦ୍ରାବିଡ଼ଙ୍କୁ ‌ସେ ବହୁତ ପ୍ରଶଂସା କରିଥିଲା ବେଳେ ଜଣେ ବ୍ୟକ୍ତି ଭାବେ ତାଙ୍କୁ ବହୁତ ଭଲ ପାଉଥିବା ସେ କହିଛନ୍ତି। ଦ୍ରାବିଡ଼ ଜଣେ ଭଲ କ୍ରିକେଟର। ଏଥିସହ ସେ ଅବିଶ୍ବସନୀୟ ସ୍ତରର ବ୍ୟକ୍ତି ହୋଇଥିଲା ବେଳେ ତାଙ୍କ ପାଖରେ ପରିପକ୍ବତା, ନମ୍ରତା ଆଦି ରହିଛି। ତାଙ୍କ ପାଖରେ କ୍ରିକେଟକୁ ନେଇ ଯେଉଁ ବ୍ୟବସ୍ଥିତ ଜ୍ଞାନ ରହିଛି ତାହାଦ୍ବାରା ସେ ସମସ୍ତଙ୍କ ସହ ଖୋଲା ଆଲୋଚନା କରନ୍ତି ଏବଂ ସବୁବେଳେ ଶୁଣିବାକୁ ଓ ଶିଖାଇବାକୁ ସେ ପ୍ରସ୍ତୁତ ରହିଥାନ୍ତି ବୋଲି ପ୍ୟାଡି କହିଛନ୍ତି।

କୋହଲିଙ୍କୁ ଦେଖି ପ୍ରେରଣା ପାଉଛନ୍ତି ହନୁମା
ନୂଆଦିଲ୍ଲୀ: ଗୋଟିଏ ମ୍ୟାଚ୍‌ ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲିଙ୍କ ପ୍ରସ୍ତୁତି ଓ ତାଙ୍କର କଠିନ ପରିଶ୍ରମ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଥିବା କଥା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ରବିବାର କହିଛନ୍ତି। କୋହଲିଙ୍କ ଖେଳର ମୁଖ୍ୟ ଅଂଶ ହେଉଛି ତାଙ୍କର ପ୍ରସ୍ତୁତି। ଏଥିସହ ତାଙ୍କର କାର୍ଯ୍ୟଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ ବୋଲି ୨୬ ବର୍ଷିୟ ବିହାରୀ ଏକ ଇନଷ୍ଟାଗ୍ରାମ ଚାଟ୍ ସମୟରେ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫୫ ରନ୍ କରିଥିବା ବିହାରୀ ଭାରତର ବିଦେଶ ଗସ୍ତ ବେଳେ ନିୟମିତ ଖେଳୁଥିଲେ ମଧ୍ୟ ଘରୋଇ ଆନ୍ତର୍ଜାତିକ ମ୍ୟାଚ୍‌‌ରେ ସେ ଅଧିକାଂଶ ସମୟରେ ଏହି ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ତଥାପି ଦଳ ପାଇଁ କିଛି କରିବାକୁ ପ୍ରତ୍ୟେକ ସମୟରେ ପ୍ରସ୍ତୁତ ଅଛି। ଯେତେବେଳେ ବିଦେଶରେ ଖେଳିବାକୁ ମିଳିଥାଏ ସେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳିବା ସହ ଅଧିକ ରନ୍ ସ୍କୋର କରିବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ସେ ଉଦ୍ୟମ କରିଥାନ୍ତି ବୋଲି ବିହାରୀ କହିଛନ୍ତି। ଜଣେ ଟେଷ୍ଟ ବିଶେଷଜ୍ଞ ଭାବେ ତାଙ୍କୁ ଅଭିହିତ କରାଯାଉଥିଲା ବେଳେ ସେ ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବେନି ବୋଲି କହିଛନ୍ତି। ତାଙ୍କ ପାଖରେ ସମସ୍ତ ତିନି ଫର୍ମାଟରେ ବ୍ୟାଟିଂ କରିବା ଗୁଣ ରହିଛି। ତେଣୁ ଏହାହିଁ ତାଙ୍କ ପାଇଁ ଯଥେଷ୍ଟ। ଯେତେବେଳେ ବି ସୁଯୋଗ ମିଳିବ ସେତେବେଳେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ବିହାରୀ କହିଛନ୍ତି। ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ୨ କୋଟି ଟଙ୍କାରେ କିଣାଯିବାର ବର୍ଷକ ପରେ ତାଙ୍କର ମୂଳ ନିଲାମ ଦର ୫୦ ଲକ୍ଷ ରହିଥିଲା ଏବଂ ଚଳିତ ଥର ତାଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇନଥିଲେ।

ସମ୍ବନ୍ଧିତ ଖବର