ଓମିକ୍ରନ୍‌ର ପ୍ରଭାବ: ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଆଶଙ୍କାରେ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ କ୍ରିକେଟ୍‌ ଦଳ ଏକ ପୂର୍ଣ୍ଣାଙ୍ଗ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ସୂଚୀ ରହିଛି। ଏହି ଗସ୍ତରେ ଭାରତୀୟ ଦଳ ୩ ଲେଖାଏଁ ଟେ‌ଷ୍ଟ୍‌ ଓ ଦିନିକିଆ ସାଙ୍ଗକୁ ୪ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ଡିସେମ୍ବର ୧୭ ତାରିଖରୁ ୪ଟି ଭେନ୍ୟୁ ଜୋହାନ୍‌ସବର୍ଗ, ସେଞ୍ଚୁରିଅନ, କେପ୍‌ ଟାଉନ୍‌ ଏବଂ ପର୍ଲରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ହେଲେ ଦକ୍ଷିଣ ଆଫ୍ରିକାରେ ଏବେ କୋଭିଡ୍‌ ଭୂତାଣୁର ନୂଆ ରୂପ ‘ଓମିକ୍ରନ୍‌’ର ପ୍ରକୋପ ବଢ଼ିବାରେ ଲାଗିଥିବାରୁ ଶୃଙ୍ଖଳାର ଭାଗ୍ୟ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ସଂପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦ୍ବାରା ନାମିତ ହୋଇଥିବ ‘ଓମିକ୍ରନ୍‌’ ଦକ୍ଷିଣ ଆଫ୍ରିକାରେ ହିଁ ପ୍ରଥମେ ଚିହ୍ନଟ ହୋଇଛି। ସେଥିନେଇ ଭାରତ ସମେତ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ଫଳରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏହି ଗସ୍ତ ପାଇଁ ଚିନ୍ତା ପ୍ରକଟ କରିଛି।

ଗୋଟିଏ ପଟେ ସମସ୍ତ କୋଭିଡ୍‌ କଟକଣା ମଧ୍ୟରେ ଶୃଙ୍ଖଳା ସୂଚୀ ଅନୁଯାୟୀ ଆଗେଇ ନେବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା ବେଳେ ଏନେଇ ସରକାରଙ୍କ ସହ ପରାମର୍ଶ କରିବା ପରେ ଯାହାକିଛି ନିଷ୍ପତ୍ତି ନେବ ବୋଲି ବିସିସିଆଇ କହିଛି। ଦକ୍ଷିଣ ଆଫ୍ରିକାକୁ ଦଳ ପଠାଇବା ପୂର୍ବରୁ ବିସିସିଆଇ ସରକାରଙ୍କ ସହ ପରାମର୍ଶ କରିବା‌ ଉଚିତ ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ନୂଆ ଭୂତାଣୁ ମାରାତ୍ମକ ହୋଇପାରେ ବୋଲି କହିବା ସହ କେବଳ ବିସିସିଆଇ ନୁହେଁ ସମସ୍ତ ବୋର୍ଡ ମଧ୍ୟ ଅନ୍ୟ କୌଣସି ଦେଶକୁ ଦଳ ପଠାଇବା ପୂର୍ବରୁ ସରକାରଙ୍କ ପରାମର୍ଶ ନେବା ଉଚିତ ବୋଲି ଠାକୁର ଚେତାଇ ଦେଇଛନ୍ତି। ଭାରତର ଟେଷ୍ଟ୍‌ ଶୃଙ୍ଖଳା ପାଇଁ ନିର୍ଦ୍ଧାରିତ ଭେନ୍ୟୁ ମଧ୍ୟରୁ ଜୋହାନ୍‌ସବର୍ଗ ଓ ପ୍ରିଟୋରିଆରେ ଓମିକ୍ରନ୍‌ର ସଂକ୍ରମଣ ଅଧିକ ପରିଲକ୍ଷିତ ହୋଇଛି। ତେଣୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷରେ କୋଭିଡ୍‌ ସଂକ୍ରମଣ ଏବଂ ତତ୍‌ଜନିତ ଭ୍ରମଣ କଟକଣା ଯୋଗୁଁ ନେଦରଲାଣ୍ଡ୍‌ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର